ମୁମ୍ବାଇ: ୨୦୨୩ରେ କରିଥିଲେ ନିର୍ବନ୍ଧ। ଏବେ ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ କଣ୍ଠଶିଲ୍ପୀ ଅରମାନ ମଲିକ୍ ଓ ତାଙ୍କ ପ୍ରେମିକା ତଥା ଫ୍ୟାଶନ ଇନଫ୍ଲୁଏନସର ଆଶନା ଶ୍ରଫ। ଦୁହେଁ ସୋସିଆଲ ମିଡିଆରେ ଫଟୋ ସେୟାର କରିବା ପରେ ବିବାହ ଖବର ସାମ୍ନାକୁ ଆସିଛି। ବିବାହରେ ଆଶାନା ଲୋକପ୍ରିୟ ଡିଜାଇନର ମନୀଷ ମଲହୋତ୍ରୋଙ୍କ ଦ୍ବାରା ଡିଜାଇନ୍ କରାଯାଇଥିବା ଲେହେଙ୍ଗା ପିନ୍ଧିଥିବା ବେଳେ ଅରମାନ କୂର୍ତ୍ତା ପିନ୍ଧିଥିବା ଦେଖିବାକୁ ମିଳିଛି। ଫଟୋ ସେୟାର କରି ଅରମାନ ଲେଖିଛନ୍ତି, ତୁମେ ହିଁ ମୋ ଘର।
ବିବାହର ଫଟୋ ସେୟାର କରିବା ପରେ ଏବେ ଦୁହିଁଙ୍କ ପ୍ରଶଂସକ ସେମାନଙ୍କୁ ଶୁଭେଚ୍ଛା ଦେବା ଆରମ୍ଭ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ବଲିଉଡର 'ହ୍ୟଣ୍ଡସମ ହଙ୍କ' ଗାୟକ ଭାବେ ଲୋକପ୍ରିୟ ଅରମାନ ମଲିକଙ୍କ ପାଇଁ ସାରା ଦୁନିଆ ପାଗଳ। ସେ ନିଜ ସ୍ୱର ସହିତ ସମସ୍ତଙ୍କୁ ବିସ୍ମିତ କରିଛନ୍ତି। ତାଙ୍କ ଲୁକ୍ ଓ କଣ୍ଠ ପାଇଁ ସେ ଅନେକ ଯୁବତୀଙ୍କ ହୃଦୟ ଉପରେ ରାଜ କରୁଥିବା ବେଳେ ତାଙ୍କ ହୃଦୟ ଉପରେ କିଏ ରାଜ୍ କରିଆସୁଥିଲେ, ତାହା ୨୦୨୩ରେ ଜଣାପଡ଼ିଥିଲା। ଅରମାନଙ୍କ ମନର ନାୟିକା ଫ୍ୟାଶନ ଇନଫ୍ଲୁଏନସର ଆଶନା ଶ୍ରଫ ବୋଲି ଜଣାପଡ଼ିଥିଲା। ଅଗଷ୍ଟ ୨୦୨୩ରେ ନିର୍ବନ୍ଧ କରି ସେ ଏହି ଖବର ସମସ୍ତଙ୍କୁ ଦେଇଥିଲେ।
୨୦୧୭ରେ ଅରମାନ ଏବଂ ଆଶନା ପରସ୍ପରକୁ ଡେଟ୍ କରୁଥିବା ବେଳେ ପରେ ସେମାନଙ୍କର ବ୍ରେକଅପ ହୋଇଥିଲା। ହେଲେ ୨୦୧୯ରେ ପୁଣି ଥରେ ଅରମାନ ଏବଂ ଆଶନା ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ। ସେବେଠାରୁ ଦୁହେଁ ନିଜ ସମ୍ପର୍କ ବିଷୟରେ ଖୁଲମ ଖୁଲା ସମସ୍ତଙ୍କୁ ଜଣାଇଥିବା ବେଳେ ଇନଷ୍ଟାରେ ପରସ୍ପରର ଫଟୋ ସେୟାର କରିଥିଲେ।