ସଲମାନଙ୍କ ଜାମିନ୍‌ ପରେ ଭାବପ୍ରବଣ ହୋଇ ଇନ୍‌ଷ୍ଟା ପୋଷ୍ଟ କଲେ ଅର୍ପିତା

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ଦବଙ୍ଗ ଖାନଙ୍କ ଜୀବନ ଓଲଟପାଲଟ ହୋଇଯାଇଛି। ଏପ୍ରିଲ୍‌ ୫ ତାରିଖ ଦିନ କୃଷ୍ଣସାର ମୃଗ ହତ୍ୟା ଅଭିଯୋଗରେ ଯୋଧପୁର କୋର୍ଟ ସଲମାନ ଖାନଙ୍କୁ ୫ ବର୍ଷ ଜେଲ୍‌ ଏବଂ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଥିଲା । ଏହି ଶୁଣାଣି ପରେ ସଲମାନଙ୍କ ପରିବାର ସଦସ୍ୟ ଏବଂ ବଲିଉଡ଼ ଜଗତ ହଠାତ୍‌ ଦୋହଲି ଯାଇଥିଲା । ଏହି ସମୟରେ କିଛି ଲୋକ ତାଙ୍କୁ ସମର୍ଥନ କରିଥିବା ବେଳେ ଆଉ କେତେ ଜଣ ତାଙ୍କ କଟା ଘା’ରେ ଲୁଣ ବୋଳିଥିଲେ । ଫଳରେ ସଲମାନ୍‌ ଜେଲ୍‌ ଯାଇଥିଲେ। ଠିକ୍‌ ଦୁଇ ଦିନ ପରେ ସଲମାନଙ୍କୁ ସର୍ତ୍ତଭିତ୍ତିକ ଜାମିନ୍‌ ମିଳିଥିଲା । ସଲମାନଙ୍କ ଜାମିନ୍‌ ପରେ ଖୁସିରେ ଝୁମି ଉଠିଥିଲା ତାଙ୍କ ପରିବାର ଏବଂ ବଲିଉଡ୍‌। ଏହି ଦୁଃଖଦ ସମୟରେ ସଲମାନଙ୍କ ସହ ଛାଇ ହୋଇ ରହିଥିଲେ ତାଙ୍କ ଦୁଇ ଭଉଣୀ ଏବଂ ଅଙ୍ଗରକ୍ଷୀ ଶେରା । ଦବଙ୍ଗ ଖାନ ମୁମ୍ବାଇକୁ ଫେରିବା ପରେ ତାଙ୍କ ଭଉଣୀ ଅର୍ପିତା ଭାବପ୍ରବଣ ହୋଇ ଇନ୍‌ଷ୍ଟାଗ୍ରାମରେ ସଲମାନଙ୍କ ଫଟୋ ସହ କ୍ୟାପସନ ପୋଷ୍ଟ କରିଥିଲେ । ତାଙ୍କର ଏହି ପୋଷ୍ଟ ପଢ଼ିବା ପରେ ସାଧାରଣ ସମସ୍ତଙ୍କର ଆଖିରୁ ଲୁହ ବାହାରି ଆସିବ ।

ଅର୍ପିତା ତାଙ୍କ ପୋଷ୍ଟରେ ଲେଖିଛନ୍ତି ‘ମୋର ଶକ୍ତି , ମୋର ଦୁର୍ବଳତା , ମୋ ସମ୍ମାନ, ମୋର ଖୁସି , ମୋର ଦୁନିଆ । ତୁମେ ଭଗବାନଙ୍କ ସନ୍ତାନ , ଭଗବାନ ତୁମକୁ ଖୁସିରେ ରଖନ୍ତୁ। ତୁମର ସଫଳତା ଏବଂ ଖୁସିକୁ ସହ୍ୟ ନ କରିପାରୁଥିବା ବ୍ୟକ୍ତିଙ୍କ ପାଇଁ ଭଗବାନଙ୍କ ପାଖରେ ମୁଁ ପ୍ରାର୍ଥନା କରୁଛି । ତୁମଠାରୁ ଇର୍ଷା ଏବଂ ଖରାପ ଚିନ୍ତା ଦୂରରେ ରହୁ । ତୁମକୁ ଭଗବାନ ଜୀବନରେ ସଫଳତା ଦିଅନ୍ତୁ ଏବଂ ତୁମର ସଫଳତାର ଆଲୋକରେ ସମସ୍ତ ଖରାପ ବ୍ୟକ୍ତି ଲୁଚିଯାଆନ୍ତୁ । ମୁଁ ତୁମକୁ ବହୁତ ଭଲ ପାଏ ଭାଇ।’

ସଲମାନ୍‌ ମଧ୍ୟ ଜାମିନ୍‌ ପରେ ଟ୍ଵିଟର ଜରିଆରେ ନିଜର ପ୍ରଂଶସକ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏପରି ଏକ ଦୁଃଖଦ ସମୟରେ ତାଙ୍କ ସହିତ ଠିଆ ହେବାରୁ ସମସ୍ତଙ୍କୁ ଧନ୍ୟବାଦ କହିବା ସହ କେବେ ମଧ୍ୟ ତାଙ୍କ ପ୍ରଂଶସକଙ୍କର ବିଶ୍ୱାସ ଭାଙ୍ଗିବେ ନାହିଁ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର