ନୂଆଦିଲ୍ଲୀ: ଜାହ୍ନବୀ କପୁର, ସାରା ଅଲି ଖାନ କିମ୍ବା ଆଲିଆ ଭଟ୍ଟ ହୁଅନ୍ତୁ ଏଭଳି ଅନେକ ଷ୍ଟାର ପିଲା ଅଛନ୍ତି ଯେଉଁମାନେ ବଲିଉଡରେ କ୍ୟାରିୟର କରିଛନ୍ତି, ଆଉ ସେମାନଙ୍କ ଅଭିନୟ ଆମେ ବଲିଉଡରେ ଦେଖିବାକୁ ପାଇଛୁ। ଏହି ସିରିଜ୍ କ୍ରମାଗତ ଭାବରେ ଜାରି ରହିଛି କିନ୍ତୁ ଏମିତି ଜଣେ ଷ୍ଟାର ପିଲା ଅଛନ୍ତି ଯିଏ ବଲିଉଡରେ ଅଭିନେତା ଭାବେ ନିଜର କ୍ୟାରିଅର୍ କରିବାକୁ ଚାହୁଁ ନାହାଁନ୍ତି । ସେ ହେଉଛନ୍ତି ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ।

Advertisment

ବଲିଉଡରେ ଷ୍ଟାର କିଡ୍ ଲଞ୍ଚ କରିବା ପାଇଁ ଲୋକପ୍ରିୟ କରଣ ଜୋହର ଆର୍ଯ୍ୟନ ଖାନଙ୍କୁ ଡେବ୍ୟୁ କରିବାକୁ ଅଫର ଦେଇଥିଲେ, କିନ୍ତୁ ଆର୍ଯ୍ୟନ କରଣ ଜୋହରଙ୍କ ଅଫରକୁ ଥରେ ନୁହେଁ ଅନେକ ଥର ପ୍ରତ୍ୟାଖ୍ୟାନ କରିଛନ୍ତି। ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଚାହୁଁଛନ୍ତି ଯେ ଆର୍ଯ୍ୟନ ଖାନ ଜଣେ ଅଭିନେତା ଭାବରେ ବଲିଉଡରେ ଡେବ୍ୟୁ କରନ୍ତୁ, କିନ୍ତୁ ଆର୍ଯ୍ୟନ ଭବିଷ୍ୟତ ପାଇଁ ଭିନ୍ନ ଯୋଜନା ରଖିଛନ୍ତି ବୋଲି କହିଛନ୍ତି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, କରଣ ଜୋହର ବଲିଉଡରେ ଆର୍ଯ୍ୟନ ଖାନଙ୍କୁ ଲଞ୍ଚ କରିବା ପାଇଁ ଅନେକ ଆକର୍ଷଣୀୟ ଅଫର ଦେଇଥିଲେ, କିନ୍ତୁ ଆର୍ଯ୍ୟନ ମନା କରିଦେଇଥିଲେ। ସେତେବେଳେ କରଣ ଜୋହର ଅନୁଭବ କରିଥିଲେ ଯେ ଆର୍ଯ୍ୟନ ଏବେ ଶିଶୁ ଅଛନ୍ତି। କିଛି ଦିନ ପରେ ବଲିଉଡରେ ଅଭିନୟ ପ୍ରତି ତାଙ୍କର ଆଗ୍ରହ ବଢ଼ିଯିବ। କିନ୍ତୁ ଆର୍ଯ୍ୟନ ବଡ଼ ହେବା ପରେ  ବଲିଉଡରେ ଅଭିନେତା ଭାବେ କ୍ୟାରିୟର କରିବାକୁ ସେ ପସନ୍ଦ କରନ୍ତି ନାହିଁ ବୋଲି କହି ସ୍ପଷ୍ଟ କରି ଦେଇଥିଲେ।

କେବଳ କରଣ ଜୋହର ନୁହଁନ୍ତି, ଜୋୟା ଅଖତର ମଧ୍ୟ ଆର୍ଯ୍ୟନ ଖାନଙ୍କୁ ଅଫର୍ ଦେଇଥିଲେ, କିନ୍ତୁ ଆର୍ଯ୍ୟନ୍ ତାଙ୍କୁ ବି ଅଭିନୟ କରିବାକୁ ଆଗ୍ରହୀ ନୁହଁନ୍ତି ବୋଲି କହି ମନା କରିଦେଇଥିଲେ। ଅଭିନେତା ଭାବେ ନୁହେଁ ସିନେମା ନିର୍ମାତା ଭାବେ ବଲିଉଡରେ କ୍ୟାରିୟର କରିବାର ଯୋଜନା ରଖିଛନ୍ତି ଆର୍ଯ୍ୟନ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।