ବାପା ‘ନିଜାମ୍’ ଥିଲେ ଓଡ଼ିଆ ସଙ୍ଗୀତ ଜଗତର ଜଣେ ଲୋକପ୍ରିୟ ଗୀତିକାର ଓ ସଂଳାପକାର। ଏହି କାରଣରୁ ଘରେ ସଙ୍ଗୀତର ପରିବେଶ ଥିଲା, ଯାହା ନିଜାମ୍ଙ୍କ ପୁଅ ଅସଦ୍ଙ୍କୁ ପ୍ରଭାବିତ କରିଥିଲା। ପିଲାଟି ଦିନରୁ ସେ ସଙ୍ଗୀତରେ ମନୋନିବେଶ କରି ଗିଟାର୍ ବାଦନ ଶିକ୍ଷା କରିଥିଲେ। ୨୦୦୨ ମସିହାରୁ ଅସଦ୍ ନିଜାମ୍ ବିଭିନ୍ନ ଅର୍କେଷ୍ଟ୍ରା ଓ ରେକର୍ଡିଂରେ ଗିଟାର୍ ବଜାଇ ନିଜର ପ୍ରତିଭା ପ୍ରଦର୍ଶନ କଲେ। ତେବେ ୨୦୦୯ରେ ସେ ଦୂରଦର୍ଶନର ଏକ ଧାରାବାହିକ ‘ରହସ୍ୟ’ର ସଙ୍ଗୀତ ପରିଚାଳନା ଓ ସ୍ବର ସଂଯୋଜନା କରିବାର ସୁଯୋଗ ପାଇଥିଲେ। ବାସ୍ ତା’ପରେ ଆଉ ପଛକୁ ଫେରି ଚାହିଁନାହାନ୍ତି ଅସଦ୍।
ଏହାପରେ ସେ ମ୍ୟୁଜିକ୍ ଆଲବମ୍ରେ ନିଜର ସ୍ବର ସଂଯୋଜନା ଆରମ୍ଭ କଲେ। ତାଙ୍କର ସ୍ବରରୋପିତ ଗୀତ ଶୁଣିବା ପରେ ସାର୍ଥକ ଟିଭିର ସ୍ବତ୍ବାଧିକାରୀ ତଥା ସିନେ ପ୍ରଯୋଜକ ସୀତାରାମ ଅଗ୍ରୱାଲ୍ ତାଙ୍କ ସିନେମା ‘ସପନର ପଥେ ପଥେ’ରେ ଅସଦ୍ ନିଜାମଙ୍କୁ ସଙ୍ଗୀତ ନିର୍ଦ୍ଦେଶକ ଭାବେ ପ୍ରଥମ ସୁଯୋଗ ଦେଇଥିଲେ। ଏହାର ଗୀତଗୁଡ଼ିକ ମଧ୍ୟ ବେଶ୍ ଶ୍ରୁତିମଧୁର ହୋଇଥିଲା। ତା’ପରେ ଅସଦ୍ ‘ପରଦେଶୀ ଚଢ଼େଇ’, ‘ଶେଷ ରାତି’, ‘ଗୁଡୁ ଗ୍ୟାଙ୍ଗ୍ଷ୍ଟର’, ‘ତୁ ମୋ ଓକେ’, ‘ଚନ୍ଦ୍ରବଂଶୀ’, ‘ପ୍ରଥା’, ‘ଲଭ୍ ଇନ୍ ଲଣ୍ଡନ୍’, ‘କଟକ ଶେଷରୁ ଆରମ୍ଭ’ ଓ ‘ରାମ୍’ ଆଦି ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏବେ ତାଙ୍କ ହାତରେ ରହିଛି ତିନିଟି ସିନେମା। ସେଥିମଧ୍ୟରୁ ଗୋଟିଏ ହେଲା ‘ସ୍ପଟ୍ ବୟ’ ଓ ଆରଟି ‘ହରଣ’। ଅନ୍ୟ ଏକ ସିନେମାର ଟାଇଟଲ୍ ଏଯାଏ ସ୍ଥିରୀକୃତ ହୋଇନାହିଁ। ଅସଦ୍ ଭିଡ଼ ଭିତରୁ ଭିନ୍ନ ସଙ୍ଗୀତକାର ବୋଲି ବାରି ହୋଇ ପଡ଼ିଲେଣି।
ନିଦଭରା ରାତି ମଧୁଝରା ଜହ୍ନ…, ହୃଦୟର ଏଇ ଶୂନ୍ୟତାକୁ…, ମୁଁ ପରଦେଶୀ ଚଢ଼େଇ… ଓ କିଛି କିଛି ହଉଚି… ଭଳି ବହୁ ଜନପ୍ରିୟ ଗୀତର ଗୀତିକାର ନିଜାମ୍ଙ୍କ ସୁପୁତ୍ର ଅସଦ୍ ଓଲିଉଡ୍ର ଜଣେ ଉଦୀୟମାନ ସଙ୍ଗୀତକାର। ତାଙ୍କର ସଙ୍ଗୀତ ଯାତ୍ରା ସଂପର୍କରେ ସଂକ୍ଷିପ୍ତ ଅବଲୋକନ।
ସେ ଅପେକ୍ଷାକୃତ ନୂଆ ଗୀତିକାରମାନଙ୍କ ସହ କାମ କରିବାକୁ ପସନ୍ଦ କରନ୍ତି। ପୁଷ୍ପକ ପରିଡ଼ା, ରଞ୍ଜନ ନାୟକ ଓ ତପୁ ନାୟକଙ୍କ ଭଳି ଗୀତିକାରଙ୍କୁ ସେ ଅଧିକାଂଶ ସିନେମାରେ ନେଇଛନ୍ତି। ଏ ନେଇ ଅସଦ୍ କହନ୍ତି, ‘‘ସମବୟସ୍କ ଗୀତିକାରମାନଙ୍କ ସହ କାମ କଲେ ମୁଁ ସବୁକଥା ଖୋଲି କହିପାରେ। କିଭଳି ଗୀତ ଚାହୁଛି, ତାହା ଜଣାଇପାରେ; ଯାହା ବରିଷ୍ଠଙ୍କ କ୍ଷେତ୍ରରେ ସମ୍ଭବ ହୋଇପାରେନା।’’
ଓଡ଼ିଶାରେ ମ୍ୟୁଜିକ୍ ପ୍ରୋଗ୍ରାମିଂ ଆରମ୍ଭ କରିବାର ଶ୍ରେୟ ମଧ୍ୟ ଅସଦଙ୍କୁ ମିଳେ। ତାଙ୍କର ନିଜସ୍ବ ଷ୍ଟୁଡିଓ ଅଛି। ସେଇଠି ସେ କଂପୋଜିସନ୍ ଓ ଆରେଞ୍ଜମେଣ୍ଟ କରନ୍ତି ଏବଂ ଆବଶ୍ୟକ ସ୍ଥଳେ ରେକର୍ଡିଂ ମଧ୍ୟ। ବଲିଉଡ୍ରେ କାମ କରିବାର ଇଚ୍ଛା ତ ଅଛି। ଯଦି ସୁଯୋଗ ମିଳେ, ତେବେ ନିଶ୍ଚୟ କରିବି, କିନ୍ତୁ ଷ୍ଟ୍ରଗଲ୍ କରିବି ନାହିଁ ବୋଲି ଅସଦ୍ ନିଜାମ୍ କହନ୍ତି।
-ଶିବଶଙ୍କର ଓଝା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/02/BVgcc6cqyUcmSFmMxkEY.jpg)