ମୁମ୍ବାଇ: କଙ୍ଗନା କାହା ସହ ସାଙ୍ଗ ହେବାକୁ ଚେଷ୍ଟା କରିଛନ୍ତି କି? ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଏହି ପ୍ରଶ୍ନ କରିଛନ୍ତି ବରିଷ୍ଠ ଅଭିନେତ୍ରୀ ଆଶା ପାରେଖ୍। କିଛି ଦିନ ତଳେ କଙ୍ଗନା ବଲିଉଡରେ ବନ୍ଧୁତା ନଥିବା ବିଷୟରେ କହିଥିଲେ। ଇଣ୍ଡଷ୍ଟ୍ରିରେ ଲୋକେ କେବଳ କାମ ଥିଲେ ବନ୍ଧୁତା କରନ୍ତି ଏବଂ ଅସଲ ବନ୍ଧୁତା ଇଣ୍ଡଷ୍ଟ୍ରିରେ ନଥିବା କହିଥିଲେ କଙ୍ଗନା। ଏବେ ଅଭିନେତ୍ରୀଙ୍କ ଏହି ମନ୍ତବ୍ୟରେ ସହମତ ନଥିବା କହି ଅଭିନେତ୍ରୀ ୱାଦିହା ରେହମାନ ଓ ହେଲେନଙ୍କ ସହ ତାଙ୍କ ବନ୍ଧୁତା କେତେ ନିବିଡ଼ ତାହା ଜଣାଇଛନ୍ତି ଆଶା ପାରେଖ୍।
ଏକ ସାକ୍ଷାତକାରେ ସେ କହିଛନ୍ତି, “ଆପଣ ଜାଣିଛନ୍ତି କି ୱାହିଦାଜୀ ଏବଂ ହେଲେନଜୀଙ୍କ ସହ ମୋର କେତେ ଘନିଷ୍ଠ ବନ୍ଧୁତା ଅଛି? ଆମ ଭିତରେ ଦୃଢ଼ ବନ୍ଧୁତା ରହିଛି। ଦୟାକରି କଙ୍ଗନାଙ୍କୁ ପଚାରନ୍ତୁ ତାଙ୍କର ଇଣ୍ଡଷ୍ଟ୍ରିରେ ଭଲ ବନ୍ଧୁ କାହିଁକି ନାହାନ୍ତି। ଯେତେବେଳେ ସେ କହିଲେ ବଲିଉଡରେ ଭଲ ବନ୍ଧୁ ମିଳିବା କଷ୍ଟ, ସେତେବେଳେ ଆପଣ ତାଙ୍କୁ କାହିଁକି ପଚାରିଲେ ନାହିଁ ଯେ, ସେ କାହା ସହିତ ବନ୍ଧୁତା କରିବାକୁ ଚେଷ୍ଟା କରିଛନ୍ତି କି ନାହିଁ। ଏହା ଶୁଣି ସାକ୍ଷାତକାର ନେଉଥିବା ଉପସ୍ଥାପକ କହିଥିଲେ, କଙ୍ଗନା ନିଜର ବ୍ୟକ୍ତିଗତ ଅନୁଭୂତିରୁ ଏଭଳି କହୁଥିବା ଜଣାଇଥିଲେ। ଉପସ୍ଥାପକଙ୍କ କଥା ଶୁଣି ଆଶାଜୀ କହିଥିଲେ, କିଏ କାହା ସହିତ ବନ୍ଧୁତା କରିବାକୁ ଚାହୁଁଛନ୍ତି ତାହା ସ୍ଥିର କରିବା ସମସ୍ତଙ୍କର ବ୍ୟକ୍ତିଗତ ପସନ୍ଦ। କଙ୍ଗନାଙ୍କର ମୋ ସହ ଭଲ ସମ୍ପର୍କ ରହିଛି।