ବିଗତ ପ୍ରାୟ ପାଞ୍ଚ ବର୍ଷ ମଧ୍ୟରେ ଅନେକ ଓଡ଼ିଆ ସିନେମା ମୁକ୍ତିର ସ୍ବାଦ ଚାଖି ପାରିନାହିଁ। ବହୁ ସିନେମା ବିଭିନ୍ନ କାରଣରୁ ଅଧାରେ ଅଟକିଯାଇଛି। କାହାର ଅଧାରୁ ଅଧିକ ସୁଟିଂ ସରିଛି ତ ପୁଣି କାହାର ଡ୍ରାମା ଭାଗର ସୁଟିଂ ପରେ କେବଳ ଗୀତର ଦୃଶ୍ୟାୟନ ବାକିଅଛି। ପୁଣି କେଉଁ ସିନେମାର ପୋଷ୍ଟ୍‌ପ୍ରଡକ୍‌ସନ୍ କାମ ଅଟକି ରହିଛି। ଅନେକର ସେନ୍‌ସର ହୋଇଥିଲେ ବି ପ୍ରେକ୍ଷାଳୟକୁ ଆସିପାରୁ ନାହିଁ। ନିର୍ଦ୍ଦେଶକ, ପ୍ରଯୋଜକ, ବିତରକ ଏହାକୁ ନେଇ ପୃଥକ ମତ ମଧ୍ୟ ରଖନ୍ତି। ଏକ ଆକଳନରୁ ଜଣାଯାଇଛି, ବର୍ତ୍ତମାନ ସୁଦ୍ଧା ମୁକ୍ତିଲାଭ କରିପାରି ନଥିବା ଓଡ଼ିଆ ସିନେମାର ସଂଖ୍ୟା ଅଶୀରୁ ଅଧିକ। ଏଭଳି ଏକ ପ୍ରସଙ୍ଗକୁ ନେଇ ଏଥରର ପ୍ରଚ୍ଛଦ କାହାଣୀ...
ରିପୋର୍ଟ: ଶିବଶଙ୍କର ଓଝା

Advertisment

ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଦର୍ଶକଙ୍କର ହଜି ଯାଇଥିବା ଆଗ୍ରହ ବର୍ତ୍ତମାନ ଫେରିଆସୁଛି। ମୌଳିକ କାହାଣୀ ଓ ଉନ୍ନତ ନିର୍ମାଣ କଳା ସେମାନଙ୍କୁ ପୁଣିଥରେ ପ୍ରେକ୍ଷାଳୟମୁହଁା କରାଇଛି। ଏହା ଆମ ଚଳଚ୍ଚିତ୍ର ଶିଳ୍ପ ଲାଗି ଏକ ଶୁଭ ସୂଚନା। ହେଲେ ଏବେ ବି ଅନେକ ଓଡ଼ିଆ ସିନେମା ରିଲିଜ୍‌ ଅପେକ୍ଷାରେ ରହିଛି, ଯାହାର ନିର୍ମାଣ ବର୍ଷେ କି ଦି’ବର୍ଷ ନୁହେଁ, ବରଂ ଚାରି ପାଞ୍ଚବର୍ଷ ପୂର୍ବରୁ ସରିଛି। ଏଥିମଧ୍ୟରୁ କେତେକ ଛବିର ସେନ୍‌ସର୍ ମଧ୍ୟ ସରିଛି। କିନ୍ତୁ, ସେଗୁଡ଼ିକ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିପାରୁ ନାହିଁ। ପୁଣି ଆଉ କେତେକ ଓଡ଼ିଆ ଛବି ଅଧାରେ ଅଟକିଯାଇଛି। କାହାର ଅଧାରୁ ଅଧିକ ସୁଟିଂ ସରିଛି ତ ପୁଣି କାହାର ଡ୍ରାମା ଭାଗର ସୁଟିଂ ପରେ କେବଳ ଗୀତର ଦୃଶ୍ୟାୟନ ବାକିଅଛି। ପୁଣି କେଉଁ ସିନେମାର ପୋଷ୍ଟ୍‌ପ୍ରଡକ୍‌ସନ୍ କାମ ଅଧାରେ ଅଟକି ରହିଛି। ଏକ ଆକଳନରୁ ଜଣାଯାଇଛି, ବର୍ତ୍ତମାନ ଏଭଳି ଅବସ୍ଥାରେ ଥିବା ଓଡ଼ିଆ ସିନେମାର ସଂଖ୍ୟା ଅଶୀରୁ ଅଧିକ।

କୌତୂହଳର ବିଷୟ ହେଲା, ଏହି ବର୍ଗରେ ଅନେକ ନାମୀ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ସିନେମା ବି ସାମିଲ୍‌ ଅଛି। ଜଣାଶୁଣା ପ୍ରଯୋଜକ ବିଜୟ କାନ୍ଦୋଇଙ୍କ ଚାରିଟି ଓଡ଼ିଆ ଛବିର କାମ ଶେଷ ହୋଇସାରିଥିଲେ ବି ତାହା ଏଯାଏ ମୁକ୍ତିଲାଭ କରିନାହିଁ। ସେଗୁଡ଼ିକ ହେଲା, ସଂଗ୍ରାମ ମହାନ୍ତିଙ୍କ ନିର୍ଦ୍ଦେଶିତ ତଥା ଦୁଷ୍ମନ୍ତ, ଗୁଞ୍ଜନ ଅଭିନୀତ ‘ଲାଇଫ୍ ପାର୍ଟନର୍‌’, ବବି ଇସ୍‌ଲାମ୍‌ଙ୍କ ନିର୍ଦ୍ଦେଶିତ ‘ବବି ଆଉ ବେବି’ (ଅଙ୍କିତ କୁମାର, ହିରଣ୍ମୟୀ ଅଭିନୀତ) ଏବଂ ‘ମାୟା ମରିଚିକା’ (ରାଜ ରାଜେଶ, ଲିପ୍‌ସା, ପ୍ରିୟଙ୍କା ସାହୁ ଅଭିନୀତ), ତୁଷାର କେ. ସିହ୍ନାଙ୍କ ନିର୍ଦ୍ଦେଶିତ ତଥା ତୁଷାର ଓ ପୁଣ୍ୟତୋୟା ଅଭିନୀତ ‘ତୋର ମୋର ପ୍ରେମ’। ତେଣେ ଓଲିଉଡ୍‌ର ଦୁଇ ଆଗଧାଡ଼ିର ପ୍ରଯୋଜକ ରମେଶ ବାରିକ ଓ କୁମାର ପ୍ରୀତମ୍‌ ସାହୁଙ୍କ ପ୍ରଯୋଜିତ ଏକାଧିକ ଓଡ଼ିଆ ଛବିର ରିଲିଜ୍‌ ନେଇ କୌଣସି ସୂଚନା ନାହିଁ। ରମେଶଙ୍କ ପ୍ରଯୋଜିତ ତଥା ମୃତ୍ୟୁଞ୍ଜୟ ସାହୁ ନିର୍ଦ୍ଦେଶିତ ‘ହାତକଡ଼ି’ ମୁକ୍ତିଲାଭକୁ ଅପେକ୍ଷା କରିଛି। ଏଥିରେ ଜ୍ୟୋତି ଓ ସୁପ୍ରିୟା ନାୟକନାୟିକା ଭୂମିକାରେ ଅଛନ୍ତି। ସେହିପରି ତାଙ୍କର ଅନ୍ୟ ଏକ ସିନେମା ‘ଗଣ୍ଡଭୈରବ’ର ପୋଷ୍ଟ୍‌ ପ୍ରଡକ୍‌ସନ୍ କାମ ସଂପୂର୍ଣ୍ଣ ହୋଇପାରୁ ନଥିବାରୁ ତାହାର ରିଲିଜ୍‌ ନେଇ ସ୍ପଷ୍ଟତା ଆସିନାହିଁ। କୁମାର ପ୍ରୀତମ୍‌ ସାହୁଙ୍କ ବାସ୍ତବଧର୍ମୀ ସିନେମା ‘ମାଷ୍ଟୁର’ର ସବୁ କାମ ସରିଥିଲେ ବି ଢେର୍‌ ଦିନ ଧରି ଏହାର ରିଲିଜ୍‌ ତାରିଖ ସ୍ଥିରୀକୃତ ହୋଇପାରିନାହିଁ। 

ଓଲିଉଡ୍‌ର ଜଣାଶୁଣା ପ୍ରଯୋଜକ ସୀତାରାମ ଅଗ୍ରୱାଲ୍‌ଙ୍କ ପ୍ରଯୋଜିତ ‘ପବିତ୍ର ବନ୍ଧନ’ ଓ ‘ସିଂହାସନ’ର କାମ ଶେଷ ହୋଇଥିଲେ ହେଁ ତାହାର ମୁକ୍ତିଲାଭ ବିଳମ୍ବିତ ହେଉଛି। ବରିଷ୍ଠ ନିର୍ଦ୍ଦେଶକ ହିମାଂଶୁ ପରିଜା ପ୍ରଥମଟିର ଏବଂ ତାପସ ସରଘରିଆ ଦ୍ବିତୀୟ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ସେହିଭଳି ‘ରଙ୍ଗଶୂର’ ଫେମ୍‌ ପ୍ରଯୋଜକ ସଚ୍ଚିକାନ୍ତ ଜେନାଙ୍କ ‘ଫେସ୍‌ବୁକ୍‌ ଲଭ୍‌’ ଓ ‘ଏ କେମିତି ବନ୍ଧନ’ ଅଟକି ରହିଛି। ‘ଭାଇ’ ଓ ‘ଗୁପ୍‌ଚୁପ୍’ ଭଳି ବିଗ୍ ବଜେଟ୍ ସିନେମାର ପ୍ରଯୋଜକ ଅନିକେତ ଦାସ ଓ ସଂଘମିତ୍ରା ମହାନ୍ତିଙ୍କ ‘କେସ୍ ୧୮’ ବି ଶୀତଳଭଣ୍ଡାରରେ ପଡ଼ିଛି। ‘ଦେଲେ ଧରା କଥା ସରେ’ ଓ ‘ଭାବେ ସିନା କହିପାରେନା’ ଫେମ୍ ନିର୍ମାତା ପଙ୍କଜ ରାଉତଙ୍କ ସିନେମା ‘ନିଜଠୁ ଲାଗୁ ତୁ ଅତି ନିଜର’ ସେନ୍‌ସର୍ ସରିଥିଲେ ବି ହଲ୍‌କୁ ଆସିପାରୁନାହିଁ। ହିମାଂଶୁ ପରିଜା ଏହାର ନିର୍ଦ୍ଦେଶକ।

fshsfhfsh

‘ହାକିମ ବାବୁ’, ‘ରଣଭୂମି’ ଓ ‘ହସ ଲୁହ ଭରା ଦୁନିଆ’ ଫେମ୍ ପ୍ରଣବ ଦାସଙ୍କ ନିର୍ଦ୍ଦେଶିତ ‘ଅଜାତି’ର ସମସ୍ତ କାମ ୨୦୨୩ରୁ ଶେଷ ହୋଇଥିଲେ ହେଁ ପ୍ରେକ୍ଷାଳୟକୁ ଆସିପାରି ନାହିଁ। ସୁଧାଂଶୁମୋହନ ସାହୁଙ୍କ ନିର୍ଦ୍ଦେଶିତ ତଥା ଅଭିଷେକ ଗିରି ଓ ପ୍ରକୃତି ମିଶ୍ର ଅଭିନୀତ ‘କଫିସପ୍’ର କାମ ସରିଥିଲେ ବି ତାହା ପ୍ରେକ୍ଷାଳୟକୁ  ଆସିନାହିଁ। ଅଭିନେତା-ନିର୍ଦ୍ଦେଶକ ଶ୍ରୀତମ ଦାସଙ୍କ ନିର୍ଦ୍ଦେଶିତ ‘ଆଇନା କେବେ ମିଛ କହେନା’ର ଅବସ୍ଥା ବି ସମାନ। ଏହି ଦୁଇଟିଯାକ ସିନେମାର ପ୍ରଯୋଜକ ହେଉଛନ୍ତି ଆଶିଷ ସିହ୍ନା। ନୃତ୍ୟ ନିର୍ଦ୍ଦେଶନାରୁ ନିର୍ଦ୍ଦେଶନାକୁ ଆସିଥିବା‌ ‘ଛାତି ଚରିଦେଲେ ତୁ’ ଓ ‘ଆକାଶେ କି ରଙ୍ଗ ଲାଗିଲା’ ଫେମ୍‌ ଏସ୍.କେ. ମୁରଲୀଧରନ୍‌ଙ୍କ ନିର୍ଦ୍ଦେଶିତ ‘ଏସ୍ଏମ୍ଏସ୍’ ଅଟକିଥିବା ବେଳେ ‘ଏ ମନ ମାନେନା’ ଓ ‘ଶଙ୍କର୍‌’ ଫେମ୍‌ ଏନ୍. ପାଢ଼ୀଙ୍କ ନିର୍ଦ୍ଦେଶିତ ‘ପାଗଳ ମୁଁ ତୋ ପାଇଁ’ର ସେନ୍‌ସର୍ ସରିଥିଲେ ବି ତାହା ପରଦାକୁ ଓହ୍ଲାଇନାହିଁ। ଠିକ୍ ସେହିପରି ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ମୁଁ ତତେ ଭଲପାଏ’ ବି ପ୍ରାୟ ପାଞ୍ଚବର୍ଷ ହେବ ଅଟକି ରହିଛି। ତେଣେ ଅଶ୍ବିନୀ ଗଡ଼ନାୟକଙ୍କ ନିର୍ଦ୍ଦେଶିତ ‘କୃଷ୍ଣଲୀଳା’, ‘ଫେସ୍‌ବୁକ୍‌ ଲଭ୍‌’ ଓ ‘ଆରୋହୀ’ ବି ସମଦଶା ଭୋଗୁଛି। 

ଓଡ଼ିଆ ସିନେମାକୁ ବିତରଣ ସଂକଟ
ବର୍ତ୍ତମାନ ଅନେକ ସିନେମା ସେନ୍‌ସର୍‌ ସାର୍ଟିଫିକେଟ୍‌ ପାଇବା ପରେ ବି ହଲ୍‌କୁ ନଆସି ଶୀତଳ ଭଣ୍ଡାରରେ ପଡ଼ିଛି। ଏହାର ବିଭିନ୍ନ କାରଣ ମଧ୍ୟରୁ ଏକ ପ୍ରମୁଖ କାରଣ ହେଉଛି ସିନେବିତରକ ବା ଫିଲ୍ମ ଡିଷ୍ଟ୍ରିବ୍ୟୁଟର୍‌ଙ୍କ ଅଭାବ। ବିତରକମାନେ ଫିଲ୍ମ ହଲ୍‌ଗୁଡ଼ିକୁ ଅନୁବନ୍ଧିତ କରି ରଖିଥାଆନ୍ତି। ସେମାନଙ୍କ ମୁଖ୍ୟ କାର୍ଯ୍ୟ ହେଉଛି ଫିଲ୍ମଟିକୁ ହଲ୍‌ରେ ରିଲିଜ୍‌ କରାଇ ଟିକେଟ୍‌ ବିକ୍ରି ଆୟରୁ ଚୁକ୍ତି ମୁତାବକ ଅର୍ଥ ପ୍ରଯୋଜକଙ୍କୁ ପ୍ରଦାନ କରିବା। ବର୍ତ୍ତମାନ ବିତରକମାନେ ଓଡ଼ିଆ ଫିଲ୍ମ ପ୍ରତି ଅନାଗ୍ରହୀ ହୋଇ ପଡ଼ିଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ସେମାନେ ନନ୍‌ଷ୍ଟାରର୍‌ ଚଳଚ୍ଚିତ୍ର ବା ଲୋକପ୍ରିୟ ତାରକା ନଥିବା ଚଳଚ୍ଚିତ୍ରର ବିତରଣ ଦାୟିତ୍ବ ନେବାକୁ ରାଜି ହେଉନାହାନ୍ତି। ଅସଲ କଥା ହେଉଛି, ହଲ୍‌ସଂଖ୍ୟା କମିବା ସହ ଦର୍ଶକ ସଂଖ୍ୟା ହ୍ରାସ ଯୋଗୁଁ ସେମାନେ କ୍ଷତି ସହୁଛନ୍ତି।

ଏହି କାରଣରୁ ଫିଲ୍ମର ଡିଷ୍ଟ୍ରିବ୍ୟୁସନ୍‌ ରାଇଟ୍‌ସ୍‌ କିଣିବାକୁ ବିତରକ ସହଜରେ ରାଜି ହେଉନାହାନ୍ତି। ଏକ ହିସାବ ଅନୁଯାୟୀ, ବିତରକଙ୍କ ରାଜ୍ୟସ୍ତରୀୟ ସଂଘ ଓଡ଼ିଶା ସିନେଚାମ୍ବର୍‌ ଅଫ୍‌ କମର୍ସରେ ୧୨୦ଜଣ ବିତରକ ପଞ୍ଜିକୃତ ହୋଇଥିବା ବେଳେ ଅଧିକାଂଶ ନିଷ୍କ୍ରିୟ ଅବସ୍ଥାରେ ଅଛନ୍ତି। ଫଳରେ ଅଧିକାଂଶ ଓଡ଼ିଆ ସିନେମାର ପ୍ରଯୋଜକ ନିଜେ ବିତରଣ କଥା ବୁଝୁଛନ୍ତି। ବର୍ତ୍ତମାନ ହାତଗଣତି ବିତରକ ଓଡ଼ିଆ ଚଳଚ୍ଚିତ୍ର ରିଲିଜ୍‌ କରାଉଛନ୍ତି। ସେ ମଧ୍ୟରେ ଅଛି  ପ୍ରକାଶ ଫିଲ୍ମସ୍, ରାଜଶ୍ରୀ ପିକ୍‌ଚର୍ସ, ଗୁରୁଦେବ ଫିଲ୍ମସ୍‌, ମୁଭି ପାୟୋନିୟର୍, ଏନ୍‌ ଜେ ଫିଲ୍ମସ୍‌ ଓ ଆୟୁଷ ମୁଭିଜ୍‌। ଉଲ୍ଲେଖଯୋଗ୍ୟ, ଅତୀତରେ ଓଡ଼ିଆ ଚଳଚ୍ଚିତ୍ର ବିତରଣ ଲାଗି ପ୍ରସିଦ୍ଧି ଅର୍ଜନ କରିଥିବା କଟକର ବ୍ରଜରାଜ ପିକ୍‌ଚର୍ସ, ବଳଦେବଜୀଉ ପିକ୍‌ଚର୍ସ, ଅଲିମ୍ପିଆ ପିକ୍‌ଚର୍ସ, ସନ୍ଧ୍ୟା ଫିଲ୍ମସ୍‌, ଚନ୍ଦନ ଆର୍ଟସ୍‌, ଶ୍ରୀ ଶାରଳା ପିକ୍‌ଚର୍ସ ଓ ସାର୍ଥକ ଫିଲ୍ମସ୍‌ ଭଳି ସଂସ୍ଥା ଏବେ ଏ ବ୍ୟବସାୟରୁ ଓହରି ଯାଇଛନ୍ତି। ଏହି ସମସ୍ୟା ହେତୁ ବହୁ ସଂଖ୍ୟାରେ ଫିଲ୍ମ ରିଲିଜ୍‌ ହୋଇ ନପାରି ପଡ଼ିରହିଛି।

ବର୍ତ୍ତମାନ ବିତରକମାନେ ଆଉ ଚୁକ୍ତିକରି ଡିଷ୍ଟ୍ରିବ୍ୟୁସନ୍‌ ରାଇଟ୍‌ କିଣୁନାହାନ୍ତି। କେବଳ ପ୍ରଯୋଜକଙ୍କୁ ସିନେମା ହଲ୍ ବୁକିଂ କରାଇଦେଉଛନ୍ତି। ଏବେ ପ୍ରଯୋଜକ ପ୍ରତି ସୋ’ ବା ପ୍ରତିଦିନର ବ୍ୟବସାୟ ନେଇ ସିଧାସଳଖ ହଲ୍ କର୍ତ୍ତୃପକ୍ଷଙ୍କ ସହ କଥା ହେଉଛନ୍ତି। ଫଳରେ ବିତରକମାନଙ୍କର କୌଣସି ରିସ୍କ୍‌ ରହୁନାହିଁ। ଆଗଭଳି ବିତରକଙ୍କୁ ସିନେମା ରିଲିଜ୍‌ ଦାୟିତ୍ବ ଦେଇ ପ୍ରଯୋଜକ ସପ୍ତାହ ଶେଷରେ ବା ହଲ୍‌ରୁ ସିନେମା ଓହ୍ଲାଇବା ପରେ ହିସାବ କରିବାର ଧାରା ଆଉ ନାହିଁ। ଏବେ ପ୍ରଯୋଜକମାନେ ନିଜ ସିନେମାର ଲାଭ-କ୍ଷତି ସହଜରେ ଜାଣିପାରୁଛନ୍ତି। ଫଳରେ ସେମାନେ କେତେକ କ୍ଷେତ୍ରରେ ଟଙ୍କା ବୁଡ଼ିଯିବା ଆଶଙ୍କାରୁ ଫିଲ୍ମକୁ ପରଦାକୁ ଓହ୍ଲାଉନାହାନ୍ତି।

ନିର୍ଦ୍ଦେଶକ ରାକେଶ ସାମଲଙ୍କ ‘ଏ କେମିତି ବନ୍ଧନ’ ଏହି ତାଲିକାରେ ଅନ୍ତର୍ଭୁକ୍ତ। ଜିତୁ ରାଉତଙ୍କ ନିର୍ଦ୍ଦେଶିତ ‘ରାମନାମ ସତ୍ୟ ହେ’ର ସୁଟିଂ ଶେ‌ଷ ହୋଇଥିଲେ ବି ପୋଷ୍ଟ୍‌ପ୍ରଡକ୍‌ସନ୍‌ରେ ଅଟକିଛି।
‘ଯୋଗୀ’ ଓ ‘ପ୍ରେମ ପାଇଁ ମହାଭାରତ’ ଭଳି ସିନେମାର ନିର୍ଦ୍ଦେଶକ ନିରଞ୍ଜନ ବେହେରାଙ୍କ ୬ଟି ଓଡ଼ିଆ ଛବି ପ୍ରେକ୍ଷାଳୟକୁ ଆସିପାରୁନାହିଁ। ଏ ମଧ୍ୟରେ ରହିଛି ‘ପ୍ରେମ ଶିକ୍ଷକ’, ‘ବଦମାସିଆ ପ୍ରେମ’, ‘ହିରୋ ନଂ ଜିରୋ’,  ‘ଶ୍ରୀମାନ ଶ୍ରୀଯୁକ୍ତ’, ‘ଫ୍ଲପ୍‌ ସିନେମା’ ଓ ‘ନିରୁଦ୍ଦିଷ୍ଟ’। ଏଥିମଧ୍ୟରୁ  ‘ଫ୍ଲପ୍ ସିନେମା’, ‘ନିରୁଦ୍ଦିଷ୍ଟ’ ଓ ‘ବଦମାସିଆ ପ୍ରେମ’ର କାମ ସରିଯାଇଛି। କେବଳ ସେନ୍‌ସର୍‌କୁ ଅପେକ୍ଷା। ‘ଲଭ୍ ପ୍ରମିଜ୍‌’ ଓ ‘ତୁ ମୋ କମ୍‌ଜୋରୀ’ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ସନ୍ତୋଷ ବିଶ୍ବାଳଙ୍କ ନିର୍ଦ୍ଦେଶିତ ଦ୍ବିଭାଷୀ ଛବି ‘ମୁରଲୀ’ ଅବସ୍ଥା ମଧ୍ୟ ତଦ୍ରୂପ। ‘ପ୍ରେମୀ ଦିୱାନା’ ଜରିଆରେ ପଦାର୍ପଣ କରିଥିବା ଆନନ୍ଦ କୁମାରଙ୍କ ନିର୍ଦ୍ଦେଶିତ ‘ଅପେକ୍ଷା’ ଓ ‘କେମିତି ଏ ପ୍ରେମ’ ଏବଂ ‘ଆଞ୍ଜେଲ୍‌’ ଫେମ୍‌ ଜିତେନ୍ଦ୍ରୀୟ ମହାନ୍ତିଙ୍କ ‘ଗୁରୁଜୀ ନମସ୍କାର’ ବି ଅଟକି ରହିଛି। ଏସବୁ କେବେ ପ୍ରେକ୍ଷାଳୟ ଦେଖିବ ତାହା ସଂପର୍କରେ ସ୍ପଷ୍ଟ ସୂଚନା ନାହିଁ।
ତେଣେ ନିର୍ଦ୍ଦେଶକ ରାଜୀବ ମହାନ୍ତିଙ୍କ ତିନିଟି ସିନେମା ରିଲିଜ୍‌ ଅପେକ୍ଷାରେ ରହିଛି। ଏଥିମଧ୍ୟରୁ ‘ତୁ ମୋର ନିହାତି ଦରକାର’ର ସେନ୍‌ସର୍ ସରିଛି। ଅନ୍ୟ ଦୁଇଟି ଛବି ‘ଲକ୍ଷ୍ୟ’ ଓ ‘ମହାନାୟକ’ର ପୋଷ୍ଟ୍‌ପ୍ରଡକ୍‌ସନ୍ କାମ ଚାଲିଛି। ଦକ୍ଷିଣୀ ନିର୍ଦ୍ଦେଶକ ସୁଧାକର ବସନ୍ତଙ୍କ ‘ହିଟ୍‌ଲର୍’, ‘ଧଡ୍‌କନ୍‌ରେ ତୁ’, ‘ଏଇ ବୋଧେ ଭଲପାଇବା’ ଓ ‘ଫେରିଲେ ମୁଁ ତୁମର’ ଆଦି ଚାରିଟି ଫିଲ୍ମର ଅବସ୍ଥା ବି ଏମିତି। ‘ହିଟ୍‌ଲର୍‌’ର ସେନ୍‌ସର୍‌ ସରିଥିବା ବେଳେ ଅନ୍ୟ ତିନିଟି ସିନେମାର କାମ ଶେଷ ହୋଇ ପଡ଼ିରହିଛି। ନିର୍ଦ୍ଦେଶକ ମାଧବଚନ୍ଦ୍ର ପରିଡ଼ାଙ୍କ ‘ଦି ଗେଷ୍ଟ୍‌ ହାଉସ୍’ ଓ ‘ତୋ ପ୍ରେମ ମୋ ପରିଚୟ’ ରିଲିଜ୍‌ ଅପେକ୍ଷାରେ ରହିଛି। ଜ୍ଞାନପୀଠ ବିଜୟିନୀ ପ୍ରତିଭା ରାୟଙ୍କ ଉପନ୍ୟାସ ଆଧାରିତ ‘ତୋ ପ୍ରେମ ମୋ ପରିଚୟ’ର ନବେଭାଗ ସୁଟିଂ ଶେ‌ଷହୋଇ କାମ ଅଟକିଛି। ଠିକ୍ ସେହିପରି ଯୁବ ପ୍ରଯୋଜକ-ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ‘ଦାହାନ୍’ର କ‌ାମ ସରିଥିବା ବେଳେ ରିଲିଜ୍‌ ହୋଇନାହିଁ।

dgdgdgvccv

ଜଣାଶୁଣା ନିର୍ଦ୍ଦେଶକ ଏସ୍. ଦିଲୀପ ପଣ୍ଡାଙ୍କ ‘ଶମ୍ଭୁ’, ‘ତୁ ଲୈଲା ମୁଁ ମଜ୍‌ନୁ’ ଓ ‘ଆଶିକ୍ ଦିୱାନା’ ମୁକ୍ତି ଅପେକ୍ଷାରେ ଅଛି। ପୁଣି ତାଙ୍କ ନିର୍ଦ୍ଦେଶିତ ‘ମୁଁ ତୁମକୁ ଭଲପାଏ’ ସେନ୍‌ସର୍‌ ହୋଇ ପଡ଼ିରହିଛି। ଅନ୍ୟତମ ଯୁବ ନିର୍ଦ୍ଦେଶକ ରମେଶ ରାଉତଙ୍କ ‘ମୁନ୍ନା ଭାଇ ବିବିଏସ୍ଆର୍’ ଓ ‘କାନତରାଟି’, ଲୁବୁନ୍‌-ଟୁବୁନ୍‌ଙ୍କ ନିର୍ଦ୍ଦେଶିତ ‘ଇସ୍କ୍‌ୱାଲା ଲଭ୍’ ଓ ‘ବାସ୍ତବ’, ସୁଶାନ୍ତ ମଣିଙ୍କ ‘ଶେଷ କିଷାନ୍‌’, ରାଜେନ୍ଦ୍ର ମହାନ୍ତଙ୍କ ‘ହୁଇସିଲ୍’, ‘ଦ ମିଲେଟ୍ ଷ୍ଟୋରି’ ଓ ‘ଆଫା’, କୁମାର ସରୋଜଙ୍କ ‘ଚୁଇଙ୍ଗମ୍’,  ଚିତ୍ତରଞ୍ଜନ ତ୍ରିପାଠୀଙ୍କ ‘କୁହ ମୁଁ ତୁମରି ପାଇଁ’, ପିନୁ ନାୟକଙ୍କ ‘ଚକ୍ରାନ୍ତ’, ରାସେଶ ମହାନ୍ତିଙ୍କ ‘ଦେବକନ୍ୟା’, ସରୋଜକାନ୍ତଙ୍କ ‘ଗୁରୁଦେବ’, ଶ୍ରୀକାନ୍ତ ଗୌତମଙ୍କ ‘ଯୋଉଠି ଥିଲେ ବି ତୁ ମୋର’, ସୁବ୍ରତ ଦିଗଲ୍‌ଙ୍କ ‘ଟେକ୍‌ କେୟାର୍’ ଓ ସଂଗ୍ରାମ ମହାନ୍ତିଙ୍କ ‘ବାଜି ବାଜି ବାବାଜୀ’ ଆଦି ଚଳଚ୍ଚିତ୍ରର ରିଲିଜ୍‌ ଅଟକି ରହିଛି। ଏ ମଧ୍ୟରୁ ‘ଗୁରୁଦେବ’ର ସେନ୍‌ସର ସରିଥିବା ବେଳେ ଅନ୍ୟ ସବୁ ସିନେମା ସେନ୍‌ସର୍‌ ଅପେକ୍ଷାରେ ରହିଛି।

ପ୍ରଥମଥର ନିର୍ଦ୍ଦେଶନା କ୍ଷେତ୍ରରେ ପଦାର୍ପଣ କରିଥିବା ଅଭିଷେକ ତ୍ରିପାଠୀଙ୍କ ‘ଜୟହିନ୍ଦ୍’, ଭରତ ପୁଷ୍ପରାଗଙ୍କ ‘ଦର୍ପଣ’, ପ୍ରସନ୍ନ କୁମାରଙ୍କ ‘ଜହ୍ଲାଦ’, ଶିବସତ୍ୟମ୍‌ଙ୍କ ‘ଅନ୍ତର୍ଯ୍ୟାମୀ’, ରୋହନ୍‌ଙ୍କ ‘ଇସ୍କ୍‌ ଟ୍ରାଫିକ୍’, ଦେବ୍‌ଙ୍କ ‘ଚାହିଁଥିବି ତତେ ହଜାରେ ବରଷ’, ଦେବବ୍ରତ ପ୍ରଧାନଙ୍କ ‘ମହକାଳ’, ପ୍ରଭାକରଙ୍କ ‘ତୁ ମୋ ଡ୍ରିମ୍‌ଗାର୍ଲ’, ଋଷଭ ଅଗ୍ରୱାଲ୍‌ଙ୍କ ‘ଏଡବ୍ଲ୍ୟୁଏମ୍’, ପପୁ ରାଉତଙ୍କ ନିର୍ଦ୍ଦେଶିତ ‘ତୋ ବିନା ମୋ ଜୀବନ ଅଧୁରା’, ମନୁ ଦ୍ବିବେଦୀଙ୍କ ନିର୍ଦ୍ଦେଶିତ ‘ମିଡ୍‌ନାଇଟ୍‌’ ଏବଂ ଅମରେଶ ଜେନାଙ୍କ ‘ଲାଲ୍‌ ମାଟି’ ‌ମୁକ୍ତିଲାଭକୁ ଅପେକ୍ଷା କରିଛି। ଅନୁସନ୍ଧାନରୁ ଜଣାଯାଇଛି, କେତେକ ସିନେମାର ପ୍ରଯୋଜନା ସଂସ୍ଥା ଫିଲ୍ମର ବାକିଆ କାମ ଶେଷକରିବା ଲାଗି ଆଗ୍ରହ ପ୍ରକାଶ କରୁନାହାନ୍ତି। ଦ୍ବିତୀୟରେ ବିଭିନ୍ନ ଘରୋଇ ଟେଲିଭିଜନ୍‌ ଚ୍ୟାନେଲ୍‌ ଏବେ ଆଉ ହଲ୍ ସିନେମାର ରାଇଟ୍‌ସ୍‌ ନେବା ଲାଗି ବିଶେଷ ଆଗ୍ରହ ଦେଖାଉନାହାନ୍ତି। ସେମାନେ ବାଛି ବାଛି ଫିଲ୍ମ ନେଉଛନ୍ତି। ମ୍ୟୁଜିକ୍ ରାଇଟ୍‌ସ୍‌ କ୍ଷେତ୍ରରେ ବି ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି କୋଭିଡ୍ ମହାମାରୀ ପରେ ଚ୍ୟାନେଲ୍‌ମାନେ ନିଜର ଟେଲିସିନେମା ନିର୍ମାଣରେ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି। ଏହାର ପ୍ରଭାବ ପ୍ରେକ୍ଷାଳୟ ସିନେମା ଉପରେ ପଡ଼ିଛି। ଆଗ ତୁଳନାରେ ଏବେ ଚଳଚ୍ଚିତ୍ର ବିତରକଙ୍କ ସଂଖ୍ୟା ମଧ୍ୟ ଢେର୍‌ ହ୍ରାସ ପାଇଛି। ଏହି କାରଣରୁ କେତେକ ପ୍ରଯୋଜକ ନିଜ ସିନେମାକୁ ଓଟିଟି ବା ୟୁଟ୍ୟୁବ୍ ଜରିଆରେ ରିଲିଜ୍‌ କରୁଥିବାର ନଜିର ରହିଛି। ଶେଷକଥା ହେ‌ଲା, ପ୍ରଯୋଜକମାନେ ଫିଲ୍ମନିର୍ମାଣ ଲାଗି ଖଟାଇଥିବା ଟଙ୍କା ଫେରିପାଇବା ରାସ୍ତା ପାଉ ନଥିବାରୁ ନିଜ ନିଜର ଫିଲ୍ମକୁ ପକାଇ ରଖିଛନ୍ତି। ଏଥିଲାଗି ସେମାନେ ଅନୁକୂଳ ସମୟର ଅପେକ୍ଷାରେ ଅଛନ୍ତି।