ଦିନ ଥିଲା ଓଡ଼ିଆ ଛବିରେ ବାପା ଚରିତ୍ର ପାଇଁ ପ୍ରଥମେ ଖୋଜା ପଡୁଥିଲେ ଦେବୁ ବୋଷ। ତା’ ପରେ ନିର୍ମାତା-ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ପାଲଟିଲେ ବିଜୟ ମହାନ୍ତି। କିନ୍ତୁ ସେହି ସମୟରେ ବାପା ଚରିତ୍ର କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଅଭିନେତା ଅଶୋକ ଦାସ। ୨୦୨୫ ପୂଜାରେ ମୁକ୍ତିଲାଭ କରିଥିବା ‘ଚାରିଧାମ’ରେ ପୁଣି ଥରେ ଉଚ୍ଚକୋଟିର ଅଭିନୟ କରି ସେ ପ୍ରଶଂସିତ ହୋଇଛନ୍ତି। ଉଭୟ ଛୋଟ ଓ ବଡ଼ ପରଦାର ଦର୍ଶକଙ୍କ ନିକଟରେ ବେଶ୍‌ ପରିଚିତ ଅଶୋକ ଦାସ। ମେଗା ଧାରାବାହିକ ‘କଥା କହୁଥିଲେ ସରିବନି’ରେ ସଦାଶିବ ମହାପାତ୍ର ଚରିତ୍ର ତାଙ୍କୁ ଓଡ଼ିଶାର ଘରେ ଘରେ ପହଞ୍ଚାଇ ଥିଲା। ବର୍ତ୍ତମାନ ‘ତରଙ୍ଗ’ରେ ପ୍ରସାରିତ ଧାରାବାହିକ ‘ତୋରି ପାଇଁ ତୋ ପାଇଁ’ରେ ସେ ଅଭିନୟ କରୁଛନ୍ତି।

Advertisment

ଛୋଟ ଓ ବଡ଼ ପରଦାର ଲୋକପ୍ରିୟ ଅଭିନେତା ଅଶୋକ ଦାସ ଟେଲି ଧାରାବାହିକରେ ନିୟମିତ ନଜର ଆସୁଥିଲେ ହେଁ ଓଡ଼ିଆ ଚଳଚ୍ଚିତ୍ରରେ ବିଶେ‌ଷ ଦୃଷ୍ଟିଗୋଚର ହେଉନାହାନ୍ତି।

ପ୍ରାୟ ୩୦ରୁ ଅଧିକ ଧାରାବାହିକରେ ଅଭିନୟ କରିଥିଲେ ବି ସେ ଚଳଚ୍ଚିତ୍ର ଜଗତରେ ପଛରେ ପଡ଼ିଯାଇଛନ୍ତି। ‘ପ୍ରତିଶୋଧ ଅପରାଧ ନୁହେଁ’ରୁ ‘ଚାରିଧାମ’ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ମାତ୍ର ୨୦ଟି ଚିତ୍ରରେ ସୀମିତ। ପ୍ରଥମ ଛବିର କିଛି ଦିନ ପରେ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ସମୟ ଖେଳୁଛି ଚକା ଭଉଁରୀ’ ଓ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ସନ୍ତାନ’ ଚିତ୍ରରେ ସିଦ୍ଧାନ୍ତଙ୍କ ବାପା ଚରିତ୍ରରେ ଅଭିନୟ କରି ନିଜ ଦକ୍ଷତାର ପରିଚୟ ଦେଇଥିଲେ। ପରେ ପରେ ‘ତୁମକୁ ପାରୁନିତ ଭୁଲି’, ‘ଏସିପି ସାଗରିକା’, ‘ଲଭ୍‌ ହେଲା ଏମିତି’ , ‘ମୀମାଂସା’ ପ୍ରଭୃତି ଚିତ୍ରରେ ଅଭିନୟ କରଛନ୍ତି। କିନ୍ତୁ ଦକ୍ଷତା ଅନୁସାରେ ଯେତିକି ସୁଯୋଗ ପାଇବା କଥା ସେଭଳି ସୁଯୋଗ ପାଇନାହାନ୍ତି ଅଶୋକ। ଅବଶ୍ୟ ୨୦୧୩ ମସିହା ପାଇଁ ତାଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏ ପ୍ରସଙ୍ଗରେ ସେ କହନ୍ତି, ‘‘ଯେତେବେଳେ ମୋର ଆବଶ୍ୟକତା ଅନୁଭବ କରି ନିର୍ମାତା ବା ନିର୍ଦ୍ଦେଶକ ମୋତେ ଖୋଜନ୍ତି, ମୁଁ ଆସେ, ଆଉ ସହଯୋଗ କରେ। ସିନେମା ସଂଖ୍ୟା କମ୍ ହେଲେ ବି ଦୁଃଖ କି ଅବସୋସ ନାହିଁ।’’
-ଗୌରୀ ଶଙ୍କର ପଣ୍ଡା