ଅନୁଭବଙ୍କ ପ୍ରଶଂସକ ଆଶୁତୋଷ, ବନିବାକୁ ଯାଉଛନ୍ତି ଆଗଧାଡ଼ିର ଗାୟକ

ଯାଜପୁର: ବାଥ୍ ରୁମ୍‍ରେ ଗୀତ ଗୁଣୁଗୁଣେଇବା ପ୍ରାୟ ସମସ୍ତଙ୍କର ଅଭ୍ୟାସ। କିନ୍ତୁ ବାଥରୁମ ସିଙ୍ଗର୍‍ରୁ ଆଜି ଜଣେ ସଫଳ ଗାୟକ ହୋଇପାରିଛନ୍ତି ଯାଜପୁର କଳିଙ୍ଗନଗରର ଆଶୁତୋଷ ବେହେରା। ଓଲିଉଡ୍ ତାରକା ଅଭିନେତା ଅନୁଭବ ମହାନ୍ତିଙ୍କ ଫ୍ୟାନ୍‌ରୁ ସଫଳ ଗାୟକ ସାଜିଥିବା ଆଶୁତୋଷ ଆଜି ଏକାଧିକ ହିଟ୍ ଗୀତ ଗାଇସାରିଲେଣି। ‘ଅନୁଭବ ଫ୍ୟାନ୍‌ ଆମେ ଅନୁଭବ ଫ୍ୟାନ୍‌’ ଗୀତ ଗାଇ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ଆଶୁତୋଷ। ତା’ ପରଠାରୁ ସେ ଆଉ ପଛକୁ ଫେରି ଚାହିନାହାନ୍ତି। ଓଲିଉଡ୍‍ର ବିଭିନ୍ନ ସଫଳ କଣ୍ଠଶିଳ୍ପୀଙ୍କ ସହ ସେ ଏକାଧିକ ହିଟ୍ ଗୀତ ଗାଇ ସାରିଲେଣି।

ନୀଳାଚଳ ଷ୍ଟିଲ୍‌ ପ୍ଲାଣ୍ଟରେ କର୍ମଚାରୀ ପ୍ରଫୁଲ୍ଲ କୁମାର ବେହେରା ଓ ଗୃହିଣୀ ସଂଯୁକ୍ତା ବେହେରାଙ୍କ ପୁଅ ଆଶୁତୋଷ ବର୍ତ୍ତମାନ ଇଲେକ୍ଟ୍ରିକାଲ୍‌ସରେ ବିଟେକ୍ କରୁଛନ୍ତି। ୨୦୧୬ରୁ ୨୦୧୭ ଟାଟା ଷ୍ଟିଲ୍‌ରେ  ଚାକିରି କରିଥିଲେ। ଟିଭିରେ ସାର୍ଥକ ଚ୍ୟାନେଲ୍‌ର ସ୍ବର ଓଡ଼ିଶା ସିଜିନ-୩ (୨୦୧୭)ର ବିଜ୍ଞାପନ ଦେଖି ଅଡିସନ୍‌ ଦେଇଥିଲେ। ତାପରେ ୨୦୧୮ ମସିହାରେ ଅନୁଭବ ମହାନ୍ତିଙ୍କୁ ଭେଟି ତାଙ୍କ ଅନୁମତି ନେଇ ‘ଅନୁଭବ ଫ୍ୟାନ୍‌ ଆମେ ଅନୁଭବ ଫ୍ୟାନ୍‌’ ଗୀତ ଗାଇଥିଲେ। ଗୀତ ହିଟ୍ ହେବା ପରେ ତାଙ୍କୁ ଦ୍ବିତୀୟ ଗୀତ ସାର୍ଥକ ମ୍ୟୁଜିକ୍ ପକ୍ଷରୁ ମିଳିଲା। ସାର୍ଥକ ବ୍ୟାନର୍‌ରେ ‘ହାଏ ମୋର ମେହବୁବା’ ଲୋପାମୁଦ୍ରାଙ୍କ ସହ ସେ ଗାଇଥିଲେ। ତାପରେ ସେ ଗୋଟିଏ ପରେ ହିଟ୍ ଗୀତ ଗାଇ ଚାଲିଛନ୍ତି। ‘ନିଶ୍ବାସ ପରି ସାଥିରେ ଥା’ ଗୀତ ପାଇଁ ବେଷ୍ଟ ନ୍ୟୁ କମର୍ ପ୍ରମିସିଂ ପ୍ଲେ ବ୍ୟାକ୍‌ ସିଙ୍ଗର ପୁରସ୍କାର ମଧ୍ୟ ପାଇଛନ୍ତି। ବଲିଉଡ୍‌ ଗାୟିକା ଅମ୍ରିତା ନାୟକ(ହମ୍‌ନଭା ମେରେ ଗୀତ ଫେମ୍‌)ଙ୍କ ସହ ଚତୁର୍ଥ ଗୀତ ଗାଇବାକୁ ତାଙ୍କୁ ସୁଯୋଗ ମିଳିଲା। ଅସୀମା ପଣ୍ଡାଙ୍କ ସହ ତାଙ୍କର ୩ଟି ଗୀତ ରିଲିଜ ହୋଇସାରିଥିବା ବେଳେ
ଲୁବୁନଟୁବୁନ ପ୍ରଡକ୍ସନ ହାଉସ୍‌ରେ ବିଜୟ ଗୋଲ୍‌ଡାର୍‌ଙ୍କ ପ୍ରଯୋଜନାରେ ୨ଟି ଗୀତ ଗାଇଛନ୍ତି। ଅସୀମା ପଣ୍ଡାଙ୍କ ସହ ‘ସୀଲା ବନିଜା ମୋ ଲୈଲା’ ଓ ‘ଦିଵାନା ଦିଵାନା’ ବେଶ୍ ଲୋକପ୍ରିୟତା ହାସଲ କରିଥିଲା। ଆଗକୁ ଆଶୁତୋଷଙ୍କ ଅମ୍ରିତା ନାୟକ ଓ ଅସୀମା ପଣ୍ଡାଙ୍କ ସହ ୨ଟି ଗୀତ ଆସୁଛି।

ସମ୍ବନ୍ଧିତ ଖବର