‘ପଠାନ୍‌’ର ବାସ୍ତବ ରୋଜଗାର କେତେ ବୋଲି ପ୍ରଶ୍ନର ଉତ୍ତରରେ ଏପରି କହିଲେ ଶାହାରୁଖ୍‌ ଖାନ୍‌

ମୁମ୍ବାଇ: ‘ପଠାନ୍‌’ ଫିଲ୍ମର ସଫଳତା ପ୍ରମାଣ କରୁଛି ଯେ କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ସମୟ ଏବେ ଖୁବ୍‌ ଭଲ ଚାଲିଛି। ଦୀର୍ଘ ୪ ବର୍ଷ ପରେ ହିରୋ ରୂପରେ ପରଦାକୁ ଫେରିଥିବା କିଙ୍ଗ୍‌ ଖାନ୍‌ଙ୍କୁ ପ୍ରଶଂସକ ଭଲପାଇବା ଓଜାଡ଼ି ଦେଉଛନ୍ତି। ‘ପଠାନ୍‌’ ଏପରି ରୋଜଗାର କରିଚାଲିଛି ଯେ ବଲିଉଡ୍‌ର ଅନେକ ଚଳଚ୍ଚିତ୍ରର ରେକର୍ଡ ପଛରେ ରହିଗଲାଣି। ତେବେ ଶାହାରୁଖଙ୍କ ଏହି ସଫଳତା ପଛରେ ତାଙ୍କର ସାମାଜିକ ଗଣମାଧ୍ୟମ ପ୍ରଶଂସକମାନଙ୍କର ଖୁବ୍ ହାତ ରହିଛି। କାରଣ ପୂର୍ବ ପରି ଶାହାରୁଖ୍‌ ବିଭିନ୍ନ ଆଡ଼େ ବୁଲି ଫିଲ୍ମଟିର ପ୍ରମୋସନ କରିବା ପରିବର୍ତ୍ତେ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ରେ ଫିଲ୍ମକୁ ନେଇ ଢେର୍‌ ଚର୍ଚ୍ଚା କରିଥିଲେ, ଯାହା ତାଙ୍କ ପାଇଁ ବେଶ୍‌ ଫଳପ୍ରଦ ସାବ୍ୟସ୍ତ ହୋଇଛି।

ନିକଟରେ ଶାହାରୁଖଙ୍କୁ ତାଙ୍କର ଜଣେ ପ୍ରଶଂସକ ଚାଟ୍‌ ସେସନ୍‌ରେ ପଚାରିଥିଲେ କି ‘ପଠାନ୍‌’ର ବାସ୍ତବ କଲେକ୍ସନ ବା ରୋଜଗାର କେତେ? ଯାହାର ଉତ୍ତର ଏକଦମ ଚତୁରତାର ସହ ଦେଇଛନ୍ତି କିଙ୍ଗ୍‌ ଖାନ୍‌।

ସେ ଉତ୍ତରରେ ଲେଖିଛନ୍ତି, ‘୫୦୦୦ କୋଟି ଭଲପାଇବା, ୩୦୦୦ କୋଟି ଗ୍ରହଣୀୟତା, ୩୨୫୦ କୋଟି ଆଲିଙ୍ଗନ, ୨ ବିଲୟନ୍‌ ହସ ଏବଂ କାଉଣ୍ଟିଂ’। ତୁମ ଆକାଉଣ୍ଟାଣ୍ଟ୍‌ କ’ଣ କହୁଛି?’

ଶାହାରୁଖ୍‌ ତାଙ୍କ ପ୍ରଶଂସକମାନଙ୍କୁ ଏପରି ମଜାଦାର ଉତ୍ତର ଦେବା ଦିଗରେ ବେଶ୍‌ ଧୁରନ୍ଧର। ପୂର୍ବରୁ ବି ସେ ଅନେକ ଚତୁର ଉତ୍ତର ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏବେ ଶାହାରୁଖଙ୍କର ଏହି ଉତ୍ତରଟି ବେଶ୍‌ ଚର୍ଚ୍ଚା ପାଲଟିଛି।

ସମ୍ବନ୍ଧିତ ଖବର