‘ବାହୁବଳୀ’ ଓ ‘ରାଧେଶ୍ୟାମ’ର ନାୟକ ପ୍ରଭାସ କୁଆଡ଼େ ବାହା ହେବେ! ବିବାହ କ’ଣ ଗଛରେ ଫଳିଛି। କଥାରେ ଅଛି ପରା ‘ବିବାହ ସ୍ବର୍ଗରେ ହୁଏ’। ଆଜି ନୁହେଁ, ଏହା ଭିତରେ ତ କିଛିବର୍ଷ ବିତିଗଲାଣି। ହେଲେ ପ୍ରଭାସ ନିଜ ମା’ଙ୍କୁ କହିଥିଲେ ‘ବାହୁବଳୀ’ ପରେ ମୁଁ ବାହାହେବି। ଏମିତିରେ ତ ଚଳଚ୍ଚିତ୍ର ‘ରାଧେଶ୍ୟାମ’ରେ ପ୍ରଭାସ ଜଣେ ହସ୍ତରେଖା ବିଶାରଦ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ଉକ୍ତ କାହାଣୀରେ ସେ ଯେତେଜଣଙ୍କ ହାତ ଦେଖି ବିବାହର ଭବିଷ୍ୟବାଣୀ ଦେଇଛନ୍ତି, ସେମାନେ ସମସ୍ତେ ଅକୃତକାର୍ଯ୍ୟ ହେଇଛନ୍ତି। ତେବେ ବାହୁବଳୀଙ୍କ ବିବାହକୁ ନେଇ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅପେକ୍ଷା କରିଛନ୍ତି। ସମସ୍ତଙ୍କ ଭିତରେ ଭରପୂର ଉତ୍କଣ୍ଠା ଯେ ବାହୁବଳୀ କେବେ ଓ କାହାକୁ ବାହା ହେବେ।

Advertisment

ପ୍ରଭାସ କହିଛନ୍ତି- ‘ପ୍ରେମ ସମ୍ପର୍କରେ ମୁଁ କହୁଥିବା କଥା ଭୁଲ ହେଇଯାଏ ବୋଲି ସମ୍ଭବତଃ ମୁଁ ଆଜିଯାଏ ବିବାହ କରିପାରିଲିନି। ମୋ ମା’ ମୋତେ କେତେଥର ବିବାହ ବନ୍ଧନରେ ଯୋଡ଼ି ହେଇଯା’ ବୋଲି କହିଲେଣି, ହେଲେ ମୋ ପାଇଁ ସେମିତି ସୁଯୋଗ ଆସିନାହିଁ। ‘ବାହୁବଳୀ’ ବେଳେ ମୁଁ ମା’ଙ୍କୁ ବୁଝେଇ ଦେଇଥିଲି ଯେ ସିନେମାଟି ସରିଯାଉ, ମୁଁ ବିବାହ କଥା ଚିନ୍ତା କରିବି। ଏବେ ମୋ ମା’ ମୋତେ ଅଥୟ କରିଦେଲେଣି। ମୁଁ କହୁଛି, ଅପେକ୍ଷା କର, ସମୟ ଆସିଲେ ସବୁ ଠିକ୍ ହେଇଯିବ! ହେଲେ ସେ ଆଦୌ ବୁଝୁନାହାନ୍ତି, ତାଙ୍କର ଏକାନ୍ତ ଜିଦି-ତୁ ବାହା ହୁଅ।’ ୧୯୭୦ର ଉପନ୍ୟାସକୁ ନେଇ ଏବେ ଚାଲିଛି ପ୍ରଭାସଙ୍କ ଅଭିନୀତ ବହୁଭାଷୀ ଚଳଚ୍ଚିତ୍ର ‘ରାଧେଶ୍ୟାମ’। ଏଥିରେ ପ୍ରଭାସଙ୍କ ବିପକ୍ଷର ନାୟିକା ସାଜିଛନ୍ତି ପୂଜା ହେଗ୍‌ଡେ। ୟୁଭି କ୍ରିଏଟିଭ୍ ପ୍ରଡକ୍ସନ୍ ଦ୍ବାରା ନିର୍ମିତ ‘ରାଧେଶ୍ୟାମ’ର ନିର୍ଦ୍ଦେଶନା ଦେଇଛନ୍ତି ରାଧା କ୍ରିଷ୍ଣ କୁମାର ଏବଂ ସମ୍ପାଦନା କରୁଛନ୍ତି କୋଟଗିରି ଭେଙ୍କଟେଶ୍ବର ରାଓ। ଚଳଚ୍ଚିତ୍ରର ପ୍ରଯୋଜନା କରୁଛନ୍ତି ଭୂଷଣ କୁମାର, ଭାଷ୍ମୀ ଓ ପ୍ରମୋଦ। ଲାଗୁଛି ‘ରାଧେଶ୍ୟାମ’ର ରିଲିଜ୍ ପରେ ପ୍ରଭାସ ବିବାହ କରିବେ।