ନିଜର ପ୍ରାଇସ୍‌ ବଢ଼ାଇଲେ ଆୟୁଷ୍ମାନ୍‌ ଖୁରାନା

ବଲିଉଡର ଜଣାଶୁଣା ନାୟକ ଆୟୁଷ୍ମାନ୍‌ ଖୁରାନାଙ୍କର ଦୁଇଟି ହିନ୍ଦୀ ସିନେମା ଏ ବର୍ଷ ଏଯାବତ୍‌ ରିଲିଜ୍‌ ହୋଇଛି , ଯାହା ବକ୍ସ ଅଫିସ୍‌ରେ ହିଟ୍‌ ସାବ୍ୟସ୍ତ ହୋଇଛି। ଏଗୁଡ଼ିକ ହେଲା ‘ଶୁଭ ମଙ୍ଗଲ ସାବଧାନ୍‌’ ଓ ‘ବରେଲିକି ବାର୍ଫି’। ପ୍ରଥମଟିର ବଜେଟ୍‌ ଥିଲା ୨୫ କୋଟି ଓ ବକ୍ସ ଅଫିସ୍‌ର କଲେକ୍‌ସନ୍‌ ହେଲା ୪୦ କୋଟି ୯୬ ଲକ୍ଷ ଟଙ୍କା ।୨୦ କୋଟି ବଜେଟ୍‌ରେ ନିର୍ମିତ ‘ବରେଲିକି ବାର୍ଫି’ ୩୦ କୋଟି ୯୩ ଲକ୍ଷ ଟଙ୍କାାର ବ୍ୟବସାୟ କରିଛି।

ଏବେ ଶୁଣିବାକୁ ମିଳୁଛି ଯେ ଆୟୁଷ୍ମାନ୍‌ ଖୁରାନା ତାଙ୍କର ପ୍ରାଇସ୍‌ ବଢ଼ାଇଛନ୍ତି। କୁହାଯାଉଛି ଯେ ଆୟୁଷ୍ମାନ୍‌ ଖୁରାନା ନିକଟରେ ଦୁଇଟି ବିଗ୍‌ ବଜେଟ ସିନେମାରେ ପୁରୁଣା ପ୍ରାଇସରେ କାମ କରିବାକୁ ରାଜି ହୋଇନାହାନ୍ତି। ସେ ଏବେ ୫ କୋଟିଆ ହିରୋ ହୋଇଥିବା କୁହାଯାଉଛି। ତା’ଛଡ଼ା ନିଜ ଅଭିନୀତ ସିନେମାରେ ଗୀତ ଗାଇବାର ବି ସର୍ତ୍ତ ରଖୁଛନ୍ତି ଆୟୁଷ୍ମାନ୍‌ ଖୁରାନା।

ଆକ୍ଟର କମ୍‌ ସିଙ୍ଗର ହେଲେ ଆୟୁଷ୍ମାନ୍‌ ଖୁରାନା ୧୯୮୪ ମସିହା ସେପ୍ଟେମ୍ବର ୧୪ ତାରିଖରେ ଚଣ୍ଡୀଗଡରେ ଜନ୍ମ ହୋଇଥିଲେ । ତାଙ୍କର ପ୍ରତିଭା ଅନେକଙ୍କୁ ଆକର୍ଷିତ କରେ ।
ଆୟୁଷ୍ମାନ୍‌ କଲେଜରେ ପଢୁଥିବା ବେଳେ ମାତ୍ର ୧୭ ବର୍ଷ ବୟସରେ ଟେଲିଭିଜନରେ କଣ୍ଠଶିଲ୍ପୀଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ୨୦୦୨ରେ ଚାନେଲ୍‌ଭିର କାର୍ଯ୍ୟକ୍ରମ ‘ ସୁପର୍‌ଷ୍ଟାର୍ସ’ରେ ଅଂଶ ଗ୍ରହଣ କରିଥିଲେ ସେ । ସେଠି କିନ୍ତୁ ତାଙ୍କୁ ସଫଳତା ମିଳି ନଥିଲା । କିନ୍ତୁ ପରାଜୟ ସ୍ୱୀକାର କରି ନଥିଲେ ।
ଆୟୁଷ୍ମାନ୍‌ ଖୁରାନ ୨୦ ବର୍ଷ ବୟସରେ ଏମ୍‌ଟିଭିରେ ଚର୍ଚ୍ଚିତ ସୋ’ ‘ରୋଡିଜ୍‌’ ପାଇଁ ଅଡିସନ୍‌ ଦେଇଥିଲେ । ଏହି ସୋ’ରେ ବିଜେତା ପରେ ତାଙ୍କ କ୍ୟାରିଅର୍‌ ଦେଇଥିଲା ନୂଆ ମୋଡ଼ ।

ଆୟୁଷ୍ମାନ୍‌ ଫିଲ୍ମରେ କାମ କରିବା ପୂର୍ବରୁ ରେଡିଓ ଆର୍‌.ଜେ.ଭାବେ ମଧ୍ୟ କାମ କରିଥିଲେ । ଏହା ଛଡା ମାସ୍‌ କମ୍ୟୁନିକେସନ କୋର୍ସ ମଧ୍ୟ କରିଥିଲେ । ସେହି ସମୟରେ ସେ ଥିଏଟର୍‌ ସହିତ ସଂଶ୍ଲିଷ୍ଟ ହୋଇଥିଲେ । ବିଗ୍‌ ଏଫ୍‌ ଏମ୍‌ ଚାନେଲ୍‌ରେ ତାଙ୍କର ସୋ’ ‘ ବିଗ୍‌ ଚାୟ’ ମାନ୍‌ ନା ମାନ୍‌ , ମେଁ ତେରା ଆୟୁଷ୍ମାନ୍‌ ’ ସୁପରହିଟ୍‌ ହୋଇଥିଲା । ଆର୍‌ଜେ ଭାବେ ତାଙ୍କୁ ଅଙ୍ଗ ଆଚଭର୍ସ ଆଓ୍ଵାର୍ଡ ଓ ଭାରତ ନିର୍ମାଣ ଆଓ୍ଵାର୍ଡ ମିଳିଥିଲା । ଏହାପରେ ସେ ଟିଭି ଭିଜେ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । କଲର୍ସ ଚାନେଲର ରିଆଲିଟି ସୋ’ ଷ୍ଟାର୍‌ ପ୍ଲସର ‘ଜଷ୍ଟ ଡ୍ୟାନ୍‌ସ’ ଭଳି ସୋ’ର ଆଙ୍କରିଂ ମଧ୍ୟ କରିଥିଲେ।

ଏହାପରେ ତାଙ୍କୁ ସୁଜିତ ସରକାରଙ୍କ ‘ ଭିକି ଡୋନର’ ଫିଲ୍ମରେ ହିରୋ ଭାବେ ବ୍ରେକ୍‌ ମିଳିଥିଲା । ତାପରେ ଆୟୁଷ୍ମାନ୍‌ ଖୁରାନା ଆଉ ପଛକୁ ଫେରିଚାହିଁନାହାନ୍ତି। ଏହାପରେ ସେ ନୌଟଙ୍କି ଶାଲା, ବେବକୁଫିୟାଁ, ହଓ୍ଵାଇଜାଦା, ଦମ୍‌ ଲଗାକେ ହୈସା,ମେରୀ ପ୍ୟାରୀ ବିନ୍ଦୁ,ବରେଲୀ କି ବାର୍ଫି, ଶୁଭମଙ୍ଗଲ ସାବଧାନ୍‌ ଆଦି ସିନେମାରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ‘ସୁଟ୍‌ ଦ ପିଆନୋ ପ୍ଲେଆର୍‌’ ଏବେ ରିଲିଜ୍‌ ଅପେକ୍ଷାରେ ରହିଛି।

ସମ୍ବନ୍ଧିତ ଖବର