ଆକର୍ଷଣ ପାଲଟିଛି ‘ବାହୁବଳୀ’ର ସୁଟିଂ ସେଟ୍‌, ମାହେସ୍ମତୀ ସମ୍ରାଜ୍ୟକୁ ସତରେ ଦେଖିପାରିବେ ପର୍ଯ୍ୟଟକ!

ମୁମ୍ବାଇ: ଚଳିତବର୍ଷ ଭାରତୀୟ ଫିଲ୍ମ ଜଗତରେ ଚହଳ ସୃଷ୍ଟି କରିଥିଲା ନିର୍ଦ୍ଦେଶକ ଏସ୍‌ଏସ୍‌ ରଜମୌଲୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ବାହୁବଳୀ-୨’। ଏଥିରେ ଅଭିନୟ କରିଥିଲେ ଲୋକପ୍ରିୟ ଦକ୍ଷିଣ ଅଭିନେତା ପ୍ରଭାସ ଏବଂ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ। ଭାରତ ବାହାରେ ରହୁଥିବା ଲୋକମାନେ ମଧ୍ୟ ଏହାକୁ ପସନ୍ଦ କରିଥିଲେ । ଫିଲ୍ମର ଭିଜୁଆଲ ସହିତ ମାହେସ୍ମତୀ ସମ୍ରାଜ୍ୟର କାହାଣି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା ।

ଫିଲ୍ମରେ ଥିବା ମାହେସ୍ମତୀ ସମ୍ରାଜ୍ୟର କାରୁକାର୍ଯ୍ୟ ଲୋକମାନଙ୍କୁ ଆକୃଷ୍ଟ କରିଥିଲା । ଏବେ ଏହି  କାରୁକାର୍ଯ୍ୟକୁ ସତରେ ଦେଖିବାର ସୁଯୋଗ ମିଳିଛି ଦର୍ଶକମାନଙ୍କୁ । ସୁଟିଂ ପାଇଁ ହାଇଦ୍ରାବାଦ୍‌ରେ ଥିବା ରାମୋଜୀ ଫିଲ୍ମ ସିଟିରେ ମାହେସ୍ମତୀ ସମ୍ରାଜ୍ୟ ତିଆରି କରାଯାଇଥିବା ବେଳେ  ସୁଟିଂ ଶେଷ ହେବା ପରେ ଏହାକୁ ନ ଭାଙ୍ଗି ପର୍ଯ୍ୟଟକ ମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି ।

“ରାମୋଜି ଫିଲ୍ମ ସିଟିର ଅଧିକାରୀ ମାନେ ଆମକୁ ଏହି ପ୍ରସ୍ତାବ ଦେବା ପରେ ଆମେ ଖୁସି ହୋଇ ଯାଇଥିଲୁ । ଆମେ ତିଆରି କରିଥିବା କିଛି ଜିନିଷ ଗୋଟେ ଭଲ କାମରେ ଲାଗୁ ଏହା ଠାରୁ ଭଲ କଥା ଆଉ କଣ ହୋଇ ପାରିବ” ବୋଲି କହିଛନ୍ତି ଫିଲ୍ମର ପ୍ରଯୋଜକ ସୋବୁ ୟାରଲାଗ୍‌ଡ଼ା ।

ପ୍ରବେଶ ଟିକେଟ୍‌ ୧୨୫୦ ରୁ ୨୩୪୯ ଥିବା ବେଳେ ଏହାକୁ ଅନ୍‌ଲାଇନ୍‌ ବୁକ୍‌ କରିବାକୁ ପଡୁଛି । ଫିଲ୍ମ ସିଟିର ଅଫିସିଆଲ େଓ୍ଵବ୍ସାଇଟ୍‌ ଜରିଆରେ ହିଁ ଏହାକୁ ବୁକ୍‌ କରାଯାଉଥିବା ବେଳେ ଡିସେମ୍ବର ୧୪ ପର୍ଯ୍ୟନ୍ତ ଏହା ଉପଲବ୍ଧ ରହିବ ବୋଲି ସୂଚନା ମିଳିଛି । ଏହାର ସେଟ୍‌ ତିଆରି ପାଇଁ ପ୍ରାୟ ୬୦ କୋଟି ଟଙ୍କା ଖର୍ଚ୍ଛ ହୋଇଥିଲା । ସୁଟିଂ ଶେଷ ପରେ ଏହାର କିଛି ଭାଗକୁ ପର୍ଯ୍ୟଟକ ମାନଙ୍କ ପାଇଁ ସଂରକ୍ଷିତ  ରଖାଯାଇଛି ।

ସମ୍ବନ୍ଧିତ ଖବର