ବମ୍ବେ: ଭଗବାନ ଶିବଙ୍କୁ ନେଇ ଆଧାରିତ ହୋଇଥିବା ଗୀତ ‘ମେରା ଭୋଲା ହେ ଭଣ୍ଡାରୀ’, ‘ବମ୍ ଭୋଲେ’ ଆଦି ଖୁବ ଲୋକପ୍ରିୟତା ସାଉଁଟିଛି। ତେବେ ଏହି ଗୀତକୁ ଗାଇ ଷ୍ଟାର ପାଲଟିଥିବା ହଂସରାଜ ରଘୁବଂଶୀଙ୍କ ଅନେକ ଫ୍ୟାନ୍ସ ଅଛନ୍ତି। ନିକଟରେ ସେ ଏକ ଫଟୋ ପୋଷ୍ଟ କରି ସମସ୍ତ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି।
କଣ୍ଠଶିଳ୍ପୀ ହଂସରାଜ ନିଜ ବିବାହର କିଛି ଫଟୋ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି, ‘ଆମେ ଦୁଇରୁ ଏକ ହୋଇଛୁ। ଶେଷରେ ଯାହା ଚାହୁଁଥିଲୁ ତାହା ମିଳିଯାଇଛି, ଧନ୍ୟବାଦ ମହାଦେବ।’
କଣ୍ଠଶିଳ୍ପୀ ହଂସରାଜଙ୍କ ବିବାହକୁ ନେଇ ତାଙ୍କ ଫ୍ୟାନ୍ସମାନେ ଉତ୍ସାହର ସହ ଅପେକ୍ଷା କରି ରହିଥିଲେ। କାରଣ ହଂସରାଜ ଓ ତାଙ୍କ ପ୍ରେମିକା କୋମଲ ସକଲାନୀଙ୍କୁ ନେଇ ଚର୍ଚ୍ଚାର ଜୋର ଧରିଥିଲା। ଉଭୟଙ୍କୁ ଏକାଠି ବି ଅନେକ ସ୍ଥାନରେ ଦେଖିବାକୁ ମିଳିଛି। ତେବେ ଅନେକ ଦିନର ଅପେକ୍ଷା ପରେ ଶେଷରେ ହଂସରାଜ ତାଙ୍କ ପ୍ରେମିକାଙ୍କ ହାତ ଧରି ବିବାହ ବନ୍ଧନରେ ବାନ୍ଧି ହୋଇ ଫ୍ୟାନ୍ସଙ୍କୁ ଖୁସି କରାଇ ଦେଇଛନ୍ତି। ହଂସରାଜ ଭଗବାନ ଶିବଙ୍କର ବଡ଼ ଭକ୍ତ। ଏସବୁ ଯାହା ବି ହୋଇଛି ସବୁ ଭଗବାନଙ୍କ କୃପାରୁ ହୋଇଛି ବୋଲି କଣ୍ଠଶିଳ୍ପୀ କହିଛନ୍ତି।
ହଂସରାଜଙ୍କ ଏଭଳି ଫଟୋ ପୋଷ୍ଟ ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଉଭୟଙ୍କୁ ବୈବାହିକ ଜୀବନର ଅନେକ ଅନେକ ଶୁଭକାମନା ଜଣାଇଛନ୍ତି। ଦୁହେଁ ବିବାହ ପୋଷାକରେ ଖୁବ ଆକର୍ଷଣୀୟ ଦେଖାଯାଉଛନ୍ତି। ହଂସରାଜ ଓ କୋମଲଙ୍କ ବିବାହ ପାହାଡ଼ି ରୀତିନୀତିରେ ସମ୍ପର୍ଣ୍ଣ ହୋଇଛି।