୨୦୧୯ରେ ଓଲିଉଡ ସୁପରଷ୍ଟାର ବାବୁସାନଙ୍କ କ୍ଷେତ୍ରରେ ଘଟିଛି ଏହି ନୂଆ କଥା, ଯାହା ଆଗରୁ କେବେ ଘଟି ନ ଥିଲା!
ବିଶେଷ: ଶିବଶଙ୍କର ଓଝା
ଭୁବନେଶ୍ବର: ଏ ବର୍ଷ ଓଲିଉଡ ସୁପରଷ୍ଟାର ବାବୁସାନଙ୍କ କ୍ଷେତ୍ରରେ ଘଟିଛି ଏକ ନୂଆ ଘଟଣା। ୨୦୧୯ରେ ତାଙ୍କ ଅଭିନୀତ ମାତ୍ର ତିନିଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି। ସବୁଠାରୁ ବଡ଼ ମଜା କଥା ଯେ ୨୦୧୯ରେ ବାବୁସାନଙ୍କର ଯେଉଁ ତିନିଟି ଓଡ଼ିଆ ଛବି ରିଲିଜ୍ ହୋଇଛି ସେ ସବୁର ନିର୍ଦ୍ଦେଶକ ହେଲେ ଜଣେ। ଏମିତି ଆଗରୁ କୌଣସି ବର୍ଷ ବାବୁସାନଙ୍କ କ୍ଷେତ୍ରରେ ଘଟି ନ ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ଜାଣନ୍ତୁ ସେହି ନିର୍ଦ୍ଦେଶକଜଣକ କିଏ। ହଁ, ସେ ହେଲେ ଓଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ଅଶୋକ ପତି। ଆଉ ଏକ ବଡ଼ କଥା ହେଲା ଯେ ଏଯାବତ୍ ବାବୁସାନ୍ ନିର୍ଦ୍ଦେଶକ ଅଶୋକ ପତିଙ୍କ ସହ ସବୁଠାରୁ ଅଧିକ ୧୬ଟି ଓଡ଼ିଆ ସିନେମାରେ କାମ କରିଛନ୍ତି। ଏ ବର୍ଷ ଅଶୋକ ପତିଙ୍କ ସହ ତିନିଟି ସିନେମାରେ କାମ କରିଥିବା ହେତୁ ଏହା ଏକ ରେକର୍ଡ ବୋଲି କୁହାଯିବ।
ବାବୁସାନ୍ ପ୍ରଖ୍ୟାତ ନିର୍ଦ୍ଦେଶକ ୰ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ରୋମିଓ –ଦ ଲଭରବୟ’ରୁ ଓଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ସେ ଅଶୋକ ପତିଙ୍କ ବ୍ୟତୀତ ଏସ କେ ମୁରଲୀଧରନ୍, ହିମାଂଶୁ ପରିଜା,ସୁଧାକର ବସନ୍ତ, ସୁଶାନ୍ତ ମଣି, ସୁଧାଂଶୁମୋହନ ସାହୁ, ମୃତ୍ୟୁଞ୍ଜୟ ସାହୁ,ରାଜୁ ସରଭେୟା, ବିନି ପଟ୍ଟନାୟକ ଏବଂ ତାପସ ସରଘରିଆଙ୍କ ଭଳି ଓଡ଼ିଆ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମାରେ ନଜର ଆସିଛନ୍ତି।
ଚଳିତ ବର୍ଷ ଜାନୁଆରି ୧୩ ତାରିଖରେ ପ୍ରଥମେ ବାବୁସାନଙ୍କୁ ଦେଖିବାକୁ ମିଳିଥିଲା ‘ଅଜବ ସଂଜୁର ଗଜବ ଲଭ୍’ରେ। ଏଥିରେ ସାତ ବର୍ଷ ପରେ ପରଦା ଉପରକୁ ବାବୁସାନ୍ – ଅର୍ଚ୍ଚିତା ଯୋଡ଼ି ଫେରିଥିଲେ। ଏହାର ନିର୍ଦ୍ଦେଶକ ହେଲେ ଅଶୋକ ପତି। ପ୍ରେମ ଆନନ୍ଦ ଏହାର ସଙ୍ଗୀତ ନିର୍ଦ୍ଦେଶକ।
ଏହାପରେ ଜୁନ୍ ମାସ ୧୪ ତାରିଖରେ ବାବୁସାନଙ୍କର ଏ ବର୍ଷର ଦ୍ବିତୀୟ ଛବି ‘ଗୋଲମାଲ ଲଭ୍’ ରିଲିଜ୍ ହୋଇଥିଲା । ଏହି ସିନେମାରେ ଓଲିଉଡର ଜଣାଶୁଣା ନାୟିକା ତମନ୍ନା ବାବୁସାନଙ୍କ ସହ ନଜର ଆସିଥିଲେ। ଏହାର ବି ନିର୍ଦ୍ଦେଶକ ହେଲେ ଅଶୋକ ପତି।
ଏ ବର୍ଷର ବାବୁସାନଙ୍କର ୩ୟ ଛବି ହେଲା ‘ମିଷ୍ଟର ମଜନୁ’। ଏହା ଅକ୍ଟୋବର ମାସ ୪ ତାରିଖରେ ପରଦାକୁ ଆସିଥିଲା।ଏହି ଫିଲ୍ମରେ ବାବୁସାନ୍ଙ୍କ ସହ ରୋମାନ୍ସ କରିଥିଲେ ତିନିଜଣ ନାୟିକା। ସେମାନେ ହେଲେ ଶୀତଲ,ସୂରମୟୀ ଏବଂ ଦିବ୍ୟା। ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ବି ଥିଲେ ଅଶୋକ ପତି। ଉପରୋକ୍ତ ଦୁଇଟିର ସଙ୍ଗୀତ ନିର୍ଦ୍ଦେଶକ ହେଲେ ଅଭିଜିତ ମଜୁମଦାର ।
ଏଥିମଧ୍ୟରୁ ପ୍ରଥମଟିର ପ୍ରଯୋଜନା ବିନି ସାମଲ ଏବଂ ନିହାର ସାମଲ କରିଥିବା ବେଳେ ଶେଷ ଦୁଇଟି ସିନେମାର ପ୍ରଯୋଜନା କରିଥିଲେ ତରଙ୍ଗ ସିନେ ପ୍ରଡକସନ୍ସ।