ଭୁବନେଶ୍ୱର: ଓଲିଉଡର ଟପ୍ ହିରୋ ବାବୁସାନ୍ଙ୍କ ପ୍ରଥମ ଓଡ଼ିଆ ସିନେମା ହେଲା ‘ ରୋମିଓ ଦ ଲଭର ବୟ ’ । ବ୍ରଜରାଜ ମୁଭିଜ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ । ୨୦୦୯ରେ ମୁକ୍ତି ଲାଭ କରିଥିବା ‘ ରୋମିଓ ଦ ଲଭର ବୟ’ ପରେ ବାବୁସାନଙ୍କୁ ଦ୍ୱିତୀୟ ଥର ଲାଗି ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ସହ କାମ କରିବାର ସୁଯୋଗ ମିଳି ନଥିଲା । ଏହି ସିନେମାରେ ବାବୁସାନଙ୍କ ବିପକ୍ଷରେ ନାୟିକା ସାଜିଥିଲେ ବଙ୍ଗୀୟ ନାୟିକା ଲଭଲି। ଲଭଲିଙ୍କୁ ପରେ ଅନ୍ୟ କୌଣସି ଓଡ଼ିଆ ଛବିରେ ବାବୁସାନଙ୍କ ବିପକ୍ଷରେ ଦେଖିବାକୁ ପାଇ ନାହାନ୍ତି ଦର୍ଶକ।
କେବଳ ଲଭଲି ନୁହଁନ୍ତି, ବାବୁସାନଙ୍କ ସହ ବିଗତ ଦଶ ବର୍ଷ ମଧ୍ୟରେ ଏମିତି କିଛି ନାୟିକା କେବଳ ଗୋଟିଏ ସିନେମାରେ କାମ କରିଛନ୍ତି ।
ଓଲିଉଡର ସ୍ୱନାମଧନ୍ୟ ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ)ଙ୍କ ନିର୍ଦ୍ଦେଶନାରେ ବାବୁସାନ୍ ତାଙ୍କ ମାଆ ଅପରାଜିତା ମହାନ୍ତିଙ୍କ ପ୍ରଯୋଜିତ ଫିଲ୍ମ ‘ ଲଭ ମାଷ୍ଟର ’ରେ ମଧ୍ୟ ଏଯାବତ୍ ଥରଟିଏ କାମ କରିବାର ସୁଯୋଗ ପାଇଛନ୍ତି । ଏହି ସିନେମାରେ ତାଙ୍କର ଅନ୍ୟତମ ନାୟିକା ଥିବା ପୁନମଙ୍କୁ ଏଯାବତ୍ ଅନ୍ୟ କୌଣସି ଛବିରେ ବାବୁସାନଙ୍କ ସହ ଦେଖିବାକୁ ମିଳି ନାହଁ।
ଓଲିଉଡର ଅନ୍ୟ ଜଣେ ଜଣାଶୁଣା ନିର୍ଦ୍ଦେଶକ ଏସ୍.କେ. ମୁରଲୀଧରନ୍ଙ୍କ ନିର୍ଦ୍ଦେଶିତ ସିନେମା ‘ ତୋ’ ଆଖିରେ ମୁଁ’ ରେ ବାବୁସାନ୍ ହିରୋ ହୋଇଥିଲେ । ଏହା ଥିଲା ତାଙ୍କର ଦ୍ୱିତୀୟ ମୁକ୍ତିପ୍ରାପ୍ତ ସିନେମା । ହେଲେ ଏହାପରେ ଏଯାବତ୍ ମୁରଲୀଧରନ୍ଙ୍କ ସହ ଆଉ କାମ କରିନାହାନ୍ତି କିଏହାର ନାୟିକା ସୁଇଟିଙ୍କ ସହିତ ନଜର ଆସି ନାହାନ୍ତି ବାବୁସାନ୍ । ଠିକ୍ ସେହିପରି ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଦିଓ୍ଵାନା ଦିଓ୍ଵାନି’ପରେ ଏହାର ନାୟିକା ପାରିଜାତଙ୍କ ସହ ଦ୍ୱିତୀୟ ଥର ନଜର ଆସି ନାହାନ୍ତି ବାବୁସାନ୍। ବ୍ରଜରାଜ ମୁଭିଜର ‘୧୪୩ ଆଇ ଲଭ୍ ୟୁ’ରେ ଥରେ ମାତ୍ର କୋଏଲ୍ ପାଇଛନ୍ତି ବାବୁସାନଙ୍କ ସାଥ୍।
ଠିକ୍ ସେହିପରି ମୁମ୍ବେୟା ନାୟିକା ଶ୍ରେୟା ଝା ବି ବାବୁସାନଙ୍କ ବିପକ୍ଷରେ କେବଳ ଗୋଟିଏ ସିନେମା ‘ଲୁଚକାଳି’ରେ ନଜର ଆସିଛନ୍ତି। ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ସୁଇଟ୍ ହାର୍ଟ’ରେ ବି ଥର ଟିଏ ବାବୁସାନ୍-ଅନୁଭା ଯୋଡିକୁ ଦେଖିଛନ୍ତି ଦର୍ଶକ। ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଦୋସ୍ତି’ ପରେ ଅନ୍ୟ କୌଣସି ସିନେମାରେ ଦର୍ଶକ ଦେଖି ନାହାନ୍ତି ବାବୁସାନ୍-ପ୍ରିୟାଙ୍କ ଯୋଡିକୁ। ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ଡାହାବାଳୁଙ୍ଗା’ରେ ନବାଗତା ସଂଜନାଙ୍କୁ ମିଳି ଥିଲା ବାବୁସାନଙ୍କ ବିପକ୍ଷରେ ଥରଟିଏ ନାୟିକା ହେବାର ସୁଯୋଗ ।
ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ସିଷ୍ଟର ଶ୍ରୀଦେବୀ’ ଜରିଆରେ ବାବୁସାନଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ପାଇଥିଲେ ଶିବାନୀ,ମାତ୍ର ଏହାପରେ ଏଦୁହିଁଙ୍କୁ ଏଯାଏଁ ଅନ୍ୟ କୌଣସ ଓଡ଼ିଆ ସିନେମାରେ ଏକାଠି ଦେଖି ନାହାନ୍ତି ଦର୍ଶକ। ଠିକ୍ ସେହିପରି ଓଲିଉଡର ଚୁଲୁବୁଲି ନାୟିକା ସନମୀରା ବି ବାବୁସାନଙ୍କ ସାଥ୍ ଏଯାବତ୍ କେବଳ ଗୋଟିଏ ସିନେମା ‘ଲୋକାଲ ଟୋକା ଲଭ୍ ଚୋଖା’ରେ ପାଇଛନ୍ତି।