ଓଡ଼ିଆ ସିନେ ଜଗତର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀଙ୍କ ପରଲୋକ

ବାରିପଦା : ଓଡ଼ିଆ ସିନେ ଜଗତର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀଙ୍କ ରବିବାର ୬୪ ବର୍ଷ ବୟସରେ ବାରିପଦା ପିଆରଏମ ମେଡିକାଲ କଲେଜ ହସ୍ପିଟାଲରେ ପରଲୋକ ହୋଇଛି। ଛାତିରେ ହଠାତ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକ ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁରେ ବାରିପଦା ତଥା ସାରା ମୟୂରଭଞ୍ଜ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି।

ସେ ତାଙ୍କର ଜୀବନକାଳ ମଧ୍ୟରେ ମାତ୍ର ତିନିଟି ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। କିନ୍ତୁ ଏହି ତିନିଟି ସିନେମା ଜରିଆରେ ବାଚୁ ମୁଖାର୍ଜୀ ଅନେକ ପ୍ରଶଂସା ଓ ସଫଳତା ଲାଭ କରି ପାରିଛନ୍ତି। ସାଧୁ ମୋହରଙ୍କ ନିର୍ଦ୍ଦେଶିତ ‘ଗୋପରେ ବଢ଼ୁଛି କଳା କହ୍ନେଇ’ ସିନେମାରେ ବାଚୁ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ମହେଶ୍ୱତା, ଉତ୍ତମ ମହାନ୍ତି, ଅଶ୍ରୁମୋଚନ ଏବଂ ଅସିତ ପତି ପ୍ରମୁଖଙ୍କୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ଦିବଂଗତ ବାଚୁ ମୁଖାର୍ଜୀଙ୍କ ଦ୍ୱିତୀୟ ସଙ୍ଗୀତ ନିର୍ଦ୍ଦେଶିତ ସିନେମାଟି ହେଉଛି ‘ପୁଅ ଭାଙ୍ଗି ଦେଲା ସୁନା ସଂସାର’। ଏହି ସିନେମାର ନିର୍ଦ୍ଦେଶନା ଅରୁଣ ମହାନ୍ତି ଦେଇଥିବା ବେଳେ ଏଥିରେ ଉତ୍ତମ ମହାନ୍ତି, ସିଦ୍ଧାନ୍ତ, କୁନା ତ୍ରିପାଠୀ ଓ ଅପରାଜିତା ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏଥିସହିତ ବାଚୁଙ୍କ ସ୍ୱରାରୋପିତ ଶେଷ ସିନେମାଟି ହେଉଛି ‘ମୋତେ ଲଭ୍‌ ହେଲାରେ’। ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ସିନେମାରେ ଅନୁଭବ, ସିଦ୍ଧାନ୍ତ, ମିହିର ଦାସ, ବବି ମିଶ୍ର ଓ ତନୁଶ୍ରୀ ପ୍ରମୁଖ ନଜର ଆସିଥିଲେ।

ବାଚୁ ମୁଖାର୍ଜୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରି କହିଛନ୍ତି ଓଡିଆ ସିନେ ଜଗତର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀଙ୍କ ବିୟୋଗରେ ମୁଁ ଦୁଃଖିତ । ତାଙ୍କ ମୃତ୍ୟୁରେ ଓଡିଆ ସିନେ ଜଗତରେ ଅପୂରଣୀୟ କ୍ଷତି ହୋଇଛି। ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି । ପ୍ରଖ୍ୟାତ ସଙ୍ଗୀତଜ୍ଞ ସରୋଜ ପଟ୍ଟନାୟକ, ଗୀତିକାର ନିମାଇଁ ମହାନ୍ତି ଓ ସଂଗ୍ରାମ ମହାନ୍ତି ମଧ୍ୟ  ବାଚୁ ମୁଖାର୍ଜୀଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର