ଅଭିନେତ୍ରୀ ଇଶାଙ୍କୁ ଦ୍ବିତୀୟ ବିବାହ କରିବେ ବାଦଶାହ

ମୁମ୍ବାଇ: କଣ୍ଠଶିଳ୍ପୀ ଏବଂ ରାପର୍ ବାଦଶାହ ତାଙ୍କ ଗୀତ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ପ୍ରଟିଟି ଗୀତ ଭାଇରାଲ ହେଉଥିବା ବେଳେ ୟୁଟ୍ୟୁବରେ ଟ୍ରେଣ୍ଡ କରିଥାଏ। ସବୁବେଳେ ନିଜ ଗୀତକୁ ନେଇ ଚର୍ଚ୍ଚାରେ ରହୁଥିବା ବାଦଶାହ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବାଦଶାହ ପ୍ରାୟ ତିନି ବର୍ଷ ପୂର୍ବେ ପତ୍ନୀ ଜସ୍ମିନଙ୍କଠାରୁ ଅଲଗା ହୋଇଥିଲେ। ଏହା ପରେ ପରେ ସେ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଚର୍ଚ୍ଚା ହୋଇଥିଲା। କିଛି ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ଏବେ ବାଦଶାହ, ଇଶାଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି।

ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ମୁତାବକ, ଦୁହେଁ ଚଳିତ ମାସରେ ବିବାହ କରିବେ। ବଡ଼ ଆକାରରେ ବିବାହ ନକରି ଦୁହେଁ ଗୁରୁଦ୍ବାରା‌ରେ ବିବାହ କରିବେ ବୋଲି ଜଣାପଡ଼ିଛି। ବାଦଶାହ ଏବଂ ଇଶା ଜଣେ ବନ୍ଧୁଙ୍କ ପାର୍ଟୀରେ ପରସ୍ପରକୁ ଭେଟିଥିଲେ। ଚଳଚ୍ଚିତ୍ର ଏବଂ ସଙ୍ଗୀତକୁ ନେଇ ଦୁହିଁଙ୍କ ପସନ୍ଦ ସମାନ ହେତୁ ବାଦଶାହ ଓ ଇଶାଙ୍କ ସମ୍ପର୍କ ନିବିଡ ହୋଇଥିଲା। ତେବେ ଏହି ଚର୍ଚ୍ଚାକୁ ନେଇ ବାଦଶାହ ଓ ଇଶା କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ହେଲେ ବାଦଶାହଙ୍କ ସହ କାମ କରୁଥିବା ଜଣେ ପୂର୍ବତନ କର୍ମଚାରୀ ବିବାହ ଖବରକୁ ନିଶ୍ଚିତ କରିଛନ୍ତି।

ତେବେ ଇଶା ରିଖୀ ଜଣେ ପଞ୍ଜାବୀ ଅଭିନେତ୍ରୀ ଏବଂ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଟନ୍ତି। ୨୦୧୩ ରେ ଇଶା ଫିଲ୍ମ ଜଟ୍ ବଏଜ୍ ପୁତ ଜଟ୍ଟା ଦେ ସହିତ ପଞ୍ଜାବୀ ଫିଲ୍ମରେ ଡେବ୍ୟୁ କରିଥିଲେ। ଇଶା ରିଖୀ ପଞ୍ଜାବୀ ସିନେମାର ଅନେକ ବଡ ତାରକାଙ୍କ ସହ କାମ କରିଛନ୍ତି। ଇଶା ବଲିଉଡ ଫିଲ୍ମ ନବାବଜାଦେରେ ମଧ୍ୟ କାମ କରିଥିବା ବେଳେ ଅନେକ ମ୍ୟୁଜିକ ଭିଡିଓରେ ସେ ଅଭିନୟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବାଦଶାହ ପୂର୍ବରୁ ୨୦୧୨ରେ ଖ୍ରୀଷ୍ଟିଆନ ରୀତିନୀତିରେ ଜସ୍ମିନଙ୍କୁ ବିବାହ କରିଥିଲେ। ଗଣମାଧ୍ୟମରେ ଏହି ଖବର ଆସିନଥିବାରୁ ବାଦଶାହଙ୍କ ପ୍ରଶଂସକ ଏବିଷୟରେ ଜାଣିନଥିଲେ। ବିବାହ ପରେ ଜାନୁଆରି ୨୦୧୭ରେ ବାଦଶାହ ଓ ଜସ୍ମିନ ଏକ ଶିଶୁକନ୍ୟାର ମାତାପିତା ହୋଇଥିଲେ। ଏହା ପରେ ୨୦୨୦ରେ ଦୁହିଁଙ୍କ ଛାଡପତ୍ର ହୋଇଥିଲା।

ସମ୍ବନ୍ଧିତ ଖବର