ବାହାରେ ପ୍ରତିଭା ପ୍ରଦର୍ଶନ କରି ସଫଳତାର ଯାତ୍ରା ଆରମ୍ଭ କରୁଥିବା ବେଳେ ଓଡ଼ିଶାରେ କିଛି କରିବାର ସ୍ବପ୍ନ ନେଇ ରାଜ୍ୟକୁ ଫେରି ଏଠାରେ ଏକ ପ୍ରକାର ନଷ୍ଟ ହୋଇ ଯାଇଥିବା ଅଳ୍ପ କିଛି ପ୍ରତିଭାଙ୍କ ତାଲିକାରେ ଦୁଷ୍ମନ୍ତ ସାହୁ ଓରଫ ‘ବଗଲା’ଙ୍କୁ ରଖା ଯାଇପାରେ! ଭୁବନେଶ୍ୱରର ପଳାସୁଣୀରେ ଜନ୍ମିତ ବଗଲା ସହିଦନଗର ହାଇସ୍କୁଲରୁ ମାଟ୍ରିକ ପାସ କରିବାପରେ ଇଲେକ୍ଟ୍ରୋନିକ୍ସ କମ୍ୟୁନିକେସନ୍ରେ ଡିପ୍ଲୋମା ପଢ଼ିବା ପାଇଁ ଚେନ୍ନାଇ ଯାଇଥିଲେ। ଭିତରେ ଅଭିନୟ ପାଇଁ ଦୁର୍ବଳତା ଥିଲା ମୂଳରୁ। କିନ୍ତୁ ଡିପ୍ଲୋମା ଶେଷ କରି ସେଠି ୧୯୯୫ରୁ ୧୯୯୯ ଯାଏଁ ଚାକିରି ବି କରିଥିଲେ। ପଢ଼ା ଓ ଚାକିରି ଭିତରେ ସେ ତାମିଲ ଭାଷାରେ ଦକ୍ଷ ହୋଇ ସାରିଥିଲେ।
ଅଭିନେତା ହେବାର ସ୍ବପ୍ନ ତାଙ୍କୁ ଅଥୟ କରୁଥିଲା ଭିତରେ ଭିତରେ। ତେଣୁ ଦିନେ ଦୃଢ଼ ନିଶ୍ଚୟ କରି ଚାକିରି ଛାଡିଦେଲେ। ଅଭିନୟ ଶିଖିବା ଲାଗି ପ୍ରଥମେ ଚେନ୍ନାଇର ଦୁଇଟି ଅନୁଷ୍ଠାନ ‘ମାଜିକ ଲାଣ୍ଟନ’ ଓ ପରେ ‘କୁଟପଟ୍ରାଇ’ରେ ଅଭିନୟ ପଢ଼ିଲେ। ତା’ପରେ ସେଇ ଚେନ୍ନାଇରେ ମଞ୍ଚ ଅଭିନୟ ଜୀବନ ଆରମ୍ଭ ହେଲା। ସେଠାରେ ବିଭିନ୍ନ ଥିଏଟର ଗ୍ରୁପରେ ପ୍ରାୟ ୩୦ଟି ତାମିଲ ନାଟକର ଦେଢ଼ଶହରୁ ଅଧିକ ଶୋ’ରେ ତାଙ୍କୁ ଦର୍ଶକ ଦେଖିଥିଲେ। କିଛିଟା ପରିଚୟ ଗଢ଼ି ଉଠିବା ପରେ ସେ ସିନେମାରେ କାମ ପାଇବା ଆରମ୍ଭ କଲେ। ୨୦୦୧ରୁ ୨୦୧୩ ପର୍ଯ୍ୟନ୍ତ ଚେନ୍ନାଇରେ ରହିବା ଭିତରେ ସେ ପନ୍ଦରରୁ ଊର୍ଦ୍ଧ୍ବ ତାମିଲ ଫିଲ୍ମରେ ଛୋଟ ବଡ଼ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ତା’ ଭିତରେ ଉଲ୍ଲେଖନୀୟ ଥିଲା ‘ମାୟାନ’, କମଲ ହାସନଙ୍କ ଅଭିନୀତ ‘ବୀରୁମଣ୍ଡି’, ଆର ମାଧବନଙ୍କ ‘ତାମ୍ବି’, ବିକ୍ରମଙ୍କ ‘ଭୀମା’, ଅଜିତଙ୍କ ‘ଏକନ’ ଓ ‘ପାଲି’ ଆଦି। ସେ ପ୍ରାୟତଃ ନାୟକର ସାଙ୍ଗ ବା କେବେ କେବେ ଖଳନାୟକ ଭୂମିକା ପାଉଥିଲେ।
ତାକୁ ବିରାଟ ସଫଳତା କୁହା ନ ଗଲେ ବି ଏକ ଭଲ ଆରମ୍ଭ ନିଶ୍ଚିତ କୁହାଯାଉଥିଲା। ତାମିଲ ଫିଲ୍ମରେ ଲଗାତାର ସୁଯୋଗ ପାଇବାରେ ସେ ଥିଲେ ବୋଧେ ପ୍ରଥମ ଓଡ଼ିଆ ଅଭିନେତା! ସେତିକି ଆଗକୁ ଯିବାରେ ବି ସେ ଏକମାତ୍ର ଓଡ଼ିଆ। ୨୦୧୩ରେ ରିଲିଜ ହୋଇଥିବା ଜୟମ ରବିଙ୍କ ଅଭିନୀତ ‘ଆଦିଭବନ’ ଥିଲା ବଗଲାଙ୍କ ଶେଷ ତାମିଲ ଫିଲ୍ମ। ତା’ପରେ ସେ ଓଡ଼ିଶା ଫେରି ଆସିଲେ ଏଠାରେ କିଛି ବଡ଼ କରିବାର ସ୍ବପ୍ନ ନେଇ। ତେବେ ତାହା ତାଙ୍କର ସ୍ବପ୍ନ ଥିଲା ନା ସ୍ବପ୍ନଭଙ୍ଗ! ‘ହେ ପ୍ରଭୁ ଦେଖା ଦେ’ଠୁ ଆରମ୍ଭ କରି ଗତ ଦଶ ବର୍ଷ ଭିତରେ ସେ ମାତ୍ର ୪-୫ ଓଡ଼ିଆ ଫିଲ୍ମରେ ଅଭିନୟ କରିଛନ୍ତି। ସେ କହନ୍ତି, ଏଠାକାର ରୀତି ସହିତ ସେ ନିଜକୁ ସାମିଲ କରି ପାରିଲେନି। ଏମିତିବି ଘଟିଛି, ସେ ଚୁକ୍ତି ମୁତାବକ ପାରିଶ୍ରମିକ ମାଗିଲେ ତାଙ୍କ ଭୂମିକାକୁ କାହାଣୀରେ ସେଇଠି ଉଭାନ୍ କରାଯାଇଛିl ବହୁ ଅଭାବରେ ଥିବା ବଗଲା ଏଠିକାର ମୋହକୁ ଛାଡ଼ି ଚେନ୍ନାଇ ଫେରିଯିବାକୁ ଭାବନ୍ତି ବେଳେ ବେଳେ, ହେଲେ କିଛି ପାରିବାରିକ ସମସ୍ୟା କାରଣରୁ ତାହା ଏବେ ଅସମ୍ଭବ ବୋଲି ସେ କହନ୍ତି। ତଥାପି ଦିନେ ତାଙ୍କ ପାଇଁ ଭଲ ସମୟ ଆସିବ ବୋଲି ସେ ଆଶାରେ ଅଛନ୍ତି।