ଦେଶର ଫିଲ୍ମକୁ ନେଇ ବିଦେଶରେ ଚର୍ଚ୍ଚା: ଚୀନରେ ଚହଳ ସୃଷ୍ଟି କରିଛି ‘ବାହୁବଳୀ-୨’

ନୂଆଦିଲ୍ଲୀ: ଗତବର୍ଷ ଭାରତରେ ଚହଳ ସୃଷ୍ଟି କରିଥିବା ଚଳଚ୍ଚିତ୍ର ‘ବାହୁବଳୀ-୨: ଦ କନ୍‌କ୍ଲୁଜନ୍‌’ ଏବର୍ଷ ଚୀନରେ ନିଜର ଜଲ୍‌ଓ୍ଵା ଦେଖାଇଛି। ଚଳଚ୍ଚିତ୍ରଟି ରିଲିଜ୍‌ ହେବାର ପ୍ରଥମ ଦିନରେ ହିଁ ୨.୪୩ ମିଲିୟନ୍‌ ଡଲାର ଅର୍ଥାତ ୧୬.୨୪ କୋଟି ବ୍ୟବସାୟ କରି ଚର୍ଚ୍ଚା ପାଲଟିଛି। ଏହା ପ୍ରଥମ ଦିନରୁ ହିଁ ସଲମାନଙ୍କ ‘ବଜରଙ୍ଗୀ ଭାଇଜାନ୍‌’ଠାରୁ ଭଲ ବ୍ୟବସାୟ କରିଛି। ଦ୍ୱିତୀୟ ଦିନ ଆହୁରି ଭଲ ବ୍ୟବସାୟ କରିଛି ଚଳଚ୍ଚିତ୍ରଟି। ଦ୍ୱିତୀୟ ଦିନରେ ‘ବାହୁବଳୀ-୨’ ୨.୯୪ ମିଲିୟନ୍‌ ଡଲାର ଅର୍ଥାତ ୧୬.୬୪ କୋଟି ରୋଜଗାର କରିଛି। ଦୁଇ ଦିନର ସମୁଦାୟ ରୋଜଗାର ହେଉଛି ୩୫.୮୮ କୋଟି ଟଙ୍କା। ଏଠାରେ ଜଣାଇ ଦେଉଛୁ ଯେ ଦିନକୁ ଦିନ ଚଳଚ୍ଚିତ୍ରର ବ୍ୟବସାୟ ବଢୁଛି ପଛେ କମ୍‌ ହେଉନାହିଁ।

ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜମୈଲୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ବାହୁବଳୀ-୨’। ଗତବର୍ଷ ସିନା ଭରତରେ ଚହଳ ପକାଇଥିଲା, ଏବର୍ଷ ଚଳଚ୍ଚିତ୍ରଟି ଚୀନ ସିନେ ପ୍ରେମୀଙ୍କୁ ବାଇଆ କରିଛି। ମେ ୪  ତାରିଖରେ ଚୀନରେ ଏହି ଚଳଚ୍ଚିତ୍ରଟି ପରଦାରେ ଆସିଛି। ଚଳଚ୍ଚିତ୍ରଟି ରିଲିଜ୍‌ ପରେ ବ୍ୟବସାୟିକ ରେକର୍ଡ ସୃଷ୍ଟି କରିବ ବୋଲି ତ ନିର୍ଦ୍ଦେଶକ ଆଶା ରଖିଥିଲେ ନିଶ୍ଚୟ। ମାତ୍ର ଖୁସିର କଥା ହେଉଛି ଚଳଚ୍ଚିତ୍ରଟି ରିଲିଜ୍‌ ପୂୂର୍ବରୁ ହିଁ ଏହାର ରେକର୍ଡ ସୃଷ୍ଟି କରିସାରିଛି। ଚଳଚ୍ଚିତ୍ରଟି ଚୀନରେ ୭୦୦୦ରୁ ଊର୍ଧ୍ୱ ପରଦାରେ ରିଲିଜ୍‌ ହେଉଛି। ଚଳଚ୍ଚିତ୍ରଟି ଦେଖିବା ପାଇଁ ଦର୍ଶକଙ୍କ ଭିତରେ ପ୍ରବଳ ଉତ୍ସୁକତା ରହିଥିଲା। ୨ଲକ୍ଷ ୫୦ ହଜାର ଡଲାରର ଆଗୁଆ ଟିକେଟ୍‌ ବୁକିଂ ମଧ୍ୟ ହୋଇଥିଲା ବୋଲି ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଗତବର୍ଷ ମେ ୨୮ ତାରିଖରେ ରିଲିଜ୍‌ ହୋଇଥିବା ‘ବାହୁବଳୀ-୨’ ଭାରତୀୟ ସିନେ ଜଗତ ପାଇଁ ଏକ ଇତିହାସ ପାଲଟି ଯାଇଛି। ଏହା ଏକ ବଲିଉଡ୍‌ ଚଳଚ୍ଚିତ୍ର ନ ହୋଇ ମଧ୍ୟ ବ୍ୟବସାୟିକ, ଲୋକପ୍ରିୟତା ସମସ୍ତ ଦିଗରୁ ବଲିଉଡ୍‌ ଚଳଚ୍ଚିତ୍ରଗୁଡ଼ିକର ରେକର୍ଡ କାଟି ଚର୍ଚ୍ଚା ପାଲଟିଛି ରାଜମୌଲୀଙ୍କ ‘ବାହୁବଳୀ-୨’।

ସମ୍ବନ୍ଧିତ ଖବର