ମୁମ୍ବାଇ: ‘ବାହୁବଲୀ’ ଫିଲ୍ମରେ ନଜର ଆସି ବିଶ୍ବସ୍ତରରେ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଏବେ ‘ବଡି ସେମିଂ’ର ଶିକାର ହୋଇଛନ୍ତି। ତାଙ୍କର ଏକାଥରକେ ୨୦ କିଲୋ ଓଜନ ବୃଦ୍ଧି ପାଇବା ପରେ ସୋସିଆଲ୍ ମିଡିଆରେ ତାଙ୍କୁ ବ୍ୟବହାରକାରୀ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି।
ନିଜ ସୌନ୍ଦର୍ଯ୍ୟରେ ଲୋକଙ୍କୁ ଆକର୍ଷିତ କରୁଥିବା ଅନୁଷ୍କାଙ୍କ ଲୁକ୍ ଏବେ ଧୀରେ ଧୀରେ ପରିବର୍ତ୍ତନ ହେବା ପରି ଲାଗୁଛି। ନିକଟରେ ମହା ଶିବରାତ୍ରୀ ଅବସରରେ ଅଭିନେତ୍ରୀ ନିଜ ସଂପର୍କୀୟଙ୍କ ସହ ଏକ ଉତ୍ସବରେ ପହଞ୍ଚିଥିଲେ। ଏହି ଅବସରରେ ଅନୁଷ୍କା ଧଳା ରଂଗର ଏକ ସାଲୱାର୍ ସୁଟ୍ ପିନ୍ଧିିଥିଲେ। ଖୋଲା କେଶ ଓ ବିନା ମେକ୍-ଅପ୍ରେ ଅନୁଷ୍କା ଖୁବ୍ ସୁନ୍ଦର ଦିଶୁଥିବା ବେଳେ କେହି କେହି ତାଙ୍କ ଶରୀରର ଆକୃତିକୁ ନେଇ ତାଙ୍କର ମଜାକ ଉଡ଼ାଇଛନ୍ତି।
ଦେଖୁ ଦେଖୁ ଅନୁଷ୍କାଙ୍କ ଏହି ଫଟୋ ଏବଂ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଜଣେ ବ୍ୟବହାରକାରୀ କମେଣ୍ଟ୍ରେ ଲେଖିଛନ୍ତି, ‘ଏତେ ମୋଟୀ କିପରି ହୋଇଗଲ? ବିଚାରୀ ଓଜନ ବି କମ୍ କରିପାରୁନି, ଇଏ ମୋ ପ୍ରିୟ ଥିଲା।’ ଅନ୍ୟ ଜଣେ ବ୍ୟବହାରକାରୀ ଅନୁଷ୍କାଙ୍କ ସମର୍ଥନରେ ଲେଖିଛନ୍ତି, ‘ତାଙ୍କୁ ଶିଖାଅନି, ସେ ନିଜେ ଜଣେ ଯୋଗ ଇନ୍ଷ୍ଟ୍ରକ୍ଟର’।
ରିପୋର୍ଟରୁ ଜାଣିବାକୁ ମିଳିଛି ଅନୁଷ୍କା ଏକ ଫିଲ୍ମ ପାଇଁ ସାଇଜ୍ ଜିରୋ କରିଥିଲେ। ଯାହାର ପାର୍ଶ୍ବ ପ୍ରଭାବ କାରଣରୁ ତାଙ୍କ ଓଜନ ସିଧା ୨୦ କିଲୋ ବୃଦ୍ଧି ପାଇଛି। ଯେଉଁଥି ପାଇଁ ତାଙ୍କୁ ଅନେକ ଟ୍ରୋଲର୍ସଙ୍କ ସାମ୍ନା କରିବାକୁ ପଡ଼ିଛି।’