ମୁମ୍ବାଇ: ‘ବାହୁବଳୀ: ଦ ବିଗିନିଂ’ର ଅଦ୍ଭୂତପୂର୍ବ ସଫଳତା ପରେ ‘ବାହୁବଳୀ: ଦ କନକ୍ଲୁଜନ’ ନିର୍ମାଣ କରଯାଇଥିଲା। ସେଥିରେ ପ୍ରଥମ ଭାଗରୁ ଅଧା ରହିଯାଇଥିବା କିଛି ଅଂଶକୁ ଦ୍ୱିତୀୟ ଭାଗରେ ପ୍ରଦର୍ଶିତ କରାଯାଇଥିଲା। ଚଳଚ୍ଚିତ୍ରଟି ଦର୍ଶକ ମହଲରେ ବେଶ୍ ସଫଳ ହେବା ସହ ଅର୍ଥନୈତିକ ଦୃଷ୍ଟିରୁ ଆକାଶଛୁଆଁ ସଫଳତା ହାସଲ କରିଥିଲା। ଦ୍ୱିତୀୟ ଭାଗଟି ପ୍ରଥମ ଭାଗକୁ ସବୁ ଦୃଷ୍ଟିରୁ ଟପି ଯାଇଥିଲା। ଚଳଚ୍ଚିତ୍ରର ନିର୍ଦ୍ଦେଶକ ଏସ୍ଏସ୍ ରାଜମୌଲୀଙ୍କୁ ଯେତେବେଳେ ଏକ ସାକ୍ଷାତକାର୍ରେ ‘ବାହୁବଳୀ’ର ତୃତୀୟ ଭାଗ ସଂପର୍କରେ ପଚରା ଯାଇଥିଲା ସେ ସ୍ପଷ୍ଟ ମନା କରି ଦେଇଥିଲେ। ଦ୍ୱିତୀୟ ଭାଗରେ ହିଁ ଚଳଚ୍ଚିତ୍ରକୁ ଶେଷ କରି ଦିଆଯାଇଛି ବୋଲି ପ୍ରକାଶ କରିଥିଲେ। ମାତ୍ର ଏବେ ସିନେ ପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର। ଚଳଚ୍ଚିତ୍ରଟି ଆଉ ଥରେ ନିର୍ମାଣ ହେବାକୁ ଯାଉଛି। ତେବେ, ଚଳଚ୍ଚିତ୍ରଟି ଦକ୍ଷୀଣ ଭାରତୀୟ କିମ୍ବା ହିନ୍ଦି ଭାଷାରେ ମୁକ୍ତିଲାଭ କରିବ ନାହିଁ, ଏହା ଭୋଜପୁରୀ ଭାଷାରେ ମୁକ୍ତିଲାଭ କରିବ। ଫିଲ୍ମଟିର ଟାଇଟେଲ୍ ସ୍ଥିର ହୋଇଛି ‘ବୀର ଯୋଦ୍ଧା ମହାବଳୀ’। ଏଥିରେ ପ୍ରଭାସଙ୍କ ସ୍ଥାନରେ ଅଭିନୟ କରିବେ ଭୋଜପୁରୀ ଅଭିନେତା ଲାଲ ଯାଦବ ନିରହୁଆ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଇକଓ୍ଵାଲ୍ ବକ୍ସ। ପ୍ରଥମେ ଭୋଜପୁରୀରେ ହୋଇସାରିବା ପରେ ଏହି ଚଳଚ୍ଚିତ୍ରକୁ ଅନ୍ୟ ଦୁଇଟି ଭାଷାରେ ମୁକ୍ତିଲାଭ କରାଯାଇପାରେ ବୋଲି ସୂଚନା ରହିଛି। ଆସନ୍ତା ୧୩ ତାରିଖରେ ଟ୍ରେଲର୍ ରିଲିଜ୍ ହେବାକୁ ଥିବା ଏହି ଚଳଚ୍ଚିତ୍ରଟି ଅଧିକାଂଶ ରାଜସ୍ଥାନରେ ସୁଟିଂ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଳେଖଯୋଗ୍ୟ, ୨୦୧୫ରେ ରିଲିଜ୍ ହୋଇଥିବା ଫିଲ୍ମ ‘ବାହୁବଳୀ: ଦି ବିଗିନିଂ’ ବ୍ୟବସାୟର ଯେଉଁ ଆକାଶଛୁଆଁ ରେକର୍ଡ ସ୍ଥାପନ କରିଥିଲା। ଏସ୍.ଏସ୍. ରାଜାମୌଳିଙ୍କ ନିର୍ଦ୍ଦେଶିତ ସେ ଫିଲ୍ମଟି ମୂଳତଃ ତାମିଲ୍ ଓ ତେଲୁଗୁରେ ତିଆରି ହୋଇ ହିନ୍ଦୀରେ ମଧ୍ୟ ଡବ୍ ହୋଇ ରିଲିଜ୍ ହୋଇଥିଲା। ୧୮୦ କୋଟି ଟଙ୍କା ବଜେଟ୍ରେ ତିଆରି ହୋଇଥିବା ‘ବାହୁବଳୀ: ଦି ବିଗିନିଂ’ ସାରା ବିଶ୍ୱରେ ୬୫୦ କୋଟି ଟଙ୍କାରୁ ଅଧିକ ଆୟକରି ଭାରତୀୟ ଫିଲ୍ମ ଇତିହାସର ତୃତୀୟ ସଫଳତମ ଫିଲ୍ମର ମାନ୍ୟତା ପାଇଥିଲା। କେବଳ ଭାରତରୁ ହୋଇଥିବା ଆୟକୁ ତୁଳନାକଲେ ‘ବାହୁବଳୀ: ଦି ବିଗିନିଂ’ର ସ୍ଥାନ ପ୍ରଥମ ହେବ। ହିନ୍ଦୀରେ ଡବ୍ହୋଇ ରିଲିଜ୍ ହୋଇଥିବା ‘ବାହୁବଳୀ: ଦି ବିଗିନିଂ’ ୧୦୦ରୁ ଅଧିକ ଆୟ କରିଥିଲା।
ସେହିପରି ଚଳିତବର୍ଷ ‘ବାହୁବଳୀ: ଦି ବିଗିନିଂ’ର ଦ୍ୱିତୀୟ ଓ ଶେଷ ଭାଗ ‘ବାହୁବଳୀ: ଦି କନ୍କ୍ଲୁଜନ୍’ ମୁକ୍ତିଲାଭ କରିବା ପରେ ସମସ୍ତ ରେକର୍ଡ ଭଙ୍ଗ କରିସାରିଛି। ଏହାର ବଜେଟ୍ ରହିଥିଲା ପ୍ରାୟ ୨୦୦ କୋଟି ଟଙ୍କା। ଏ ଫିଲ୍ମଟିକୁ ନେଇ ଲୋକଙ୍କ ଭିତରେ ଏତେ ଉତ୍କଣ୍ଠା ରହିଥିଲା ଯେ ରିଲିଜ୍ ପୂର୍ବରୁ ହିଁ ଫିଲ୍ମଟି ୫୦୦ କୋଟି ଟଙ୍କାରୁ ଅଧିକ ଆୟ କରି ସାରିଥିଲା। ‘ବାହୁବଳୀ: ଦି କନ୍କ୍ଲୁଜନ୍’ ମଧ୍ୟ ତାମିଲ୍, ତେଲୁଗୁ ଓ ହିନ୍ଦୀରେ ଆଦି ଅନେକ ଭାଷାରେ ରିଲିଜ୍ ହୋଇଯାଇଛି। ହିନ୍ଦି ଭର୍ସନ୍ର ସତ୍ତ୍ୱ କିଣିଥିଲା କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ ସଂସ୍ଥା।
ଚଳଚ୍ଚିତ୍ରଟି ଭାରତୀୟ ସିନେ ଜଗତର ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହା କେବଳ ବ୍ୟବସାୟୀକ ଦୃଷ୍ଟିରୁ ନୁହେଁ, ଲୋକଙ୍କ ଭାବପ୍ରବତଣା ଦୃଷ୍ଟିରୁ ମଧ୍ୟ ଅଦ୍ଭୂତପୂର୍ବ ସଫଳତା ହାତେଇ ପାରିଛି। ଯଦିଓ ଆପଣ ଜାଣିଥିବେ ‘ବାହୁବଳୀ-୨’ ଚଳଚ୍ଚିତ୍ର ଦେଖିବାକୁ ପରୀକ୍ଷା ବନ୍ଦ କରିବା, ବିବାହ ଘୁଞ୍ଚାଇବା ଏବଂ ଅପରେସନ୍ ଥିଏଟର୍ରେ ଚଳଚ୍ଚିତ୍ରଟିକୁ ଦେଖିବା ପାଇଁ ଅନୁରୋଧ କରିବା ଆଦି ଅନେକ ଘଟଣା ସେ ସମୟରେ ବେଶ୍ ଚର୍ଚ୍ଚା ପାଲଟଥିଲା। ଏକପରିକି ଜଣେ ରୋଗୀକୁ ଡାକ୍ତର ‘ବାହୁବଳୀ’ ଚଳଚ୍ଚିତ୍ର ଦେଖାଇ ଅପରେସନ୍ କରିଥିବା ଘଟଣା ଚଳଚ୍ଚିତ୍ର ପ୍ରତି ଲୋକଙ୍କର ଭଲପାଇବାର ପ୍ରମାଣ।