ରଜନୀଙ୍କୁ ବଳିଯିବେ କି ବାହୁବଳୀ !

ଦକ୍ଷିଣ ଭାରତୀୟ ସିନେମା ଇତିହାସରେ ରଜନିକାନ୍ତ ବୋଧହୁଏ ଏପରି ଜଣେ ସୁପରଷ୍ଟାର ଯିଏକି ସାରା ଭାରତ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ ଲୋକପ୍ରିୟ । ନିଜର ଅଜବ ପ୍ରକାରର ଅଭିନୟ ଶୈଳୀ ପାଇଁ ରଜନୀ ପରିଚିତ । ବିଶେଷକରି ରୁପେଲି ପରଦାରେ ସୁପରମ୍ୟାନ ପରି କରିତକର୍ମା କୌଶଳ ଦେଖାଇ ସେ ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଭଗବାନର ମାନ୍ୟତା ପାଇଛନ୍ତି । କେବଳ ଦକ୍ଷିଣ ଭାରତ କାହିଁକି ସାରା ଭାରତରେ ତାଙ୍କୁ ନେଇ ଅନେକ ଚର୍ଚ୍ଚା, ଅନେକ ରୋଚକ କାହାଣୀ ତିଆରି ହୋଇଛି । ସାଧାରଣ ମାନସିକତାରେ ସେ ଏପରି ଜଣେ ସୁପରଷ୍ଟାର ଯିଏକି ଅସମ୍ଭବକୁ ସମ୍ଭବ କରିଦେଇ ପାରନ୍ତି ।

କିନ୍ତୁ ଏଠାରେ ପ୍ରଶ୍ନ ଉଠେ ତାଙ୍କ ପରେ କିଏ ତାଙ୍କ ସ୍ଥାନ ନେବ ? କିଏ ତାଙ୍କ ପରି ବିଶାଳ ଫ୍ୟାନବେସ୍‌ ତିଆରି କରିପାରିବ ? କାହାକୁ ନେଇ ବିଭିନ୍ନ ରୋଚକ କାହାଣୀ, ଜୋକ୍ସ ତିଆରି ହେବ ? ଏପରି କଣ କେହି ଷ୍ଟାର ଅଛନ୍ତି ଭାରତୀୟ ଚଳଚ୍ଚିତ୍ର ଜଗତରେ? ଏହାର ଉତ୍ତର ହେଉଛି ହଁ । ଏପରି ଜଣେ ଷ୍ଟାରଙ୍କ ଉଦୟ ହୋଇ ସାରିଛି । ଯିଏକି ପ୍ରକୃତପକ୍ଷେ ତାଙ୍କର ଉତ୍ତରାଧିକାରୀ ହୋଇପାରିବେ । ସେ ହେଉଛନ୍ତି ବାହୁବଳୀ….. ଓରଫ ପ୍ରଭାସ । ଗତ କିଛି ବର୍ଷରେ ତାଙ୍କର ଅନେକ ଫିଲ୍ମ ଆସିଥିଲେ ମଧ୍ୟ କେବଳ ବାହୁବଳୀ ଫିଲ୍ମକୁ ନେଇ ତାଙ୍କର କ୍ରେଜ୍‌ ଏବେ କାହିଁରେ କଣ ? ସାରାଭାରତ ଓ ବିଦେଶରେ ତାଙ୍କର ରହିଛନ୍ତି ଅସଂଖ୍ୟ ଫ୍ୟାନ । ରଜନିକାନ୍ତଙ୍କ ପରି ବାହୁବଳୀଙ୍କ ପାଇଁ ମଧ୍ୟ କିଛି ଅସାଧ୍ୟ ନୁହେଁ ବୋଲି ଫ୍ୟାନ ମାନଙ୍କ ବିଶ୍ୱାସ ।

ଏ ସଂପର୍କରେ ଫିଲ୍ମ ବିଶେଷଜ୍ଞ ଅମୋଲ ମୋହନ କହିଛନ୍ତି ଯେ ଦକ୍ଷିଣ ଭାରତୀୟ ଷ୍ଟାର ମାନଙ୍କୁ ସାରା ଭାରତରେ କ୍ୱଚିତ ଲୋକ ଜାଣନ୍ତି । କିନ୍ତୁ ରଜନିକାନ୍ତ ଗତ କିଛି ଦଶନ୍ଧି ଧରି ସାରା ଭାରତରେ ପ୍ରବଳଭାବେ ଲୋକପ୍ରିୟ ହୋଇପାରିଛନ୍ତି । କିନ୍ତୁ ବାହୁବଳୀ ଆସିବା ପରେ ଦକ୍ଷିଣ ଭାରତରୁ ତାଙ୍କପରି ଆଉ ଜଣେ ସୁପରଷ୍ଟାରଙ୍କ ଜନ୍ମ ହୋଇଛି । ସେ ହେଉଛନ୍ତି, ବାହୁବଳୀ । ମାତ୍ର ହାତଗଣତି କେତୋଟି ଫିଲ୍ମରୁ ତାଙ୍କର ଯେତିକି ଫ୍ୟାନ ସୃଷ୍ଟି ହୋଇଛନ୍ତି ତାହାର କଳନା ନାହିଁ । ତାଙ୍କୁ ନେଇ ଆଗକୁ ଅନେକ କିମ୍ବଦନ୍ତି ସୃଷ୍ଟି ହେବ, ଏହା ନିଶ୍ଚିତ ।

ସମ୍ବନ୍ଧିତ ଖବର