ଫେରୁଛନ୍ତି ବାଣୀ….

‘ଶୁଦ୍ଧ ଦେଶୀ ରୋମାନ୍ସ’ ଜରିଆରେ ବଲିଉଡ୍‌ ଯାତ୍ରା ଆରମ୍ଭ କରିଥିବା ହଟ୍‌ ଅଭିନେତ୍ରୀ ବାଣୀ କପୁର୍‌ ‘ବେଫିକ୍ରେ’ ଜରିଆରେ ବେଶ୍‌ ହଲଚଲ ସୃଷ୍ଟି କରି ପାରିଥିଲେ ଦର୍ଶକଙ୍କ ହୃଦୟରେ। ତାଙ୍କ ପାଖରେ ସୌନ୍ଦର୍ଯ୍ୟ, ସତେଜତା, ଗ୍ଲାମର୍‌ ଓ ଅଭିନୟ ଦକ୍ଷତା ଅଛି ବୋଲି ସମସ୍ତେ ସ୍ୱୀକାର କରିଥିଲେ। କିନ୍ତୁ ‘ବେଫିକ୍ରେ’ ପରେ ସେ ଯେମିତି କୁଆଡ଼େ ହଜି ଯାଇଥିଲେ!

ତେବେ ଏବେ ବାଣୀ ଫେରୁଛନ୍ତି ଦୁଇଟି ବଡ଼ ଫିଲ୍ମକୁ ନେଇ। ବଡ଼ ପ୍ରଯୋଜନା ସଂସ୍ଥାର ଏଇ ଦୁଇଟି ଫିଲ୍ମରେ ସେ ବଡ଼ ତାରକାମାନଙ୍କ ସହିତ ଅଭିନୟ କରୁଛନ୍ତି। ପ୍ରଥମଟି ହେଉଛି ୟଶ୍‌ ରାଜ୍‌ ଫିଲ୍ମସ୍‌ ବ୍ୟାନର୍‌ରେ ତିଆରି ହେଉଥିବା ଏକ ଫିଲ୍ମ। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଏ ଫିଲ୍ମରେ ଅଛନ୍ତି ଦୁଇଜଣ ନାୟକ- ହ୍ରିତ୍ୱିକ୍‌ ରୋଶନ୍‌ ଓ ଟାଇଗର୍‌ ଶ୍ରଫ୍‌। ଦୁଇ ହ୍ୟାଣ୍ଡ୍‌ସମ୍‌ ନାୟକରେ ଜଣେ ନାୟିକା; ତେଣୁ ସମସ୍ତଙ୍କ ଦୃଷ୍ଟି ବାଣୀଙ୍କ ଉପରେ ରହିବା ସ୍ୱଭାବିକ।

ବାଣୀଙ୍କ ଦ୍ୱିତୀୟ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ବିଶାଳ ଭାରଦ୍ୱାଜ। ବିଶାଳଙ୍କ ଭଳି ବଡ଼ ଓ ପ୍ରଶଂସିତ ନିର୍ଦ୍ଦେଶକ ତାଙ୍କୁ ପସନ୍ଦ କରିଥିବାରୁ ବାଣୀ ବେଶ୍‌ ଖୁସି। ଉଲ୍ଲେଖନୀୟ ଯେ ଏ ଫିଲ୍ମଟିରେ ଅଛି ଦୁଇ ଭଉଣୀଙ୍କ କଥା। ବଡ଼ ଭଉଣୀ ଭୂମିକାରେ ବାଣୀ ଅଭିନୟ କରିବାକୁ ଥିବାବେଳେ ସାନ ଭଉଣୀ ଭୂମିକାରେ ଅଛନ୍ତି କୀର୍ତ୍ତି ସାନୋନ୍‌। ବିଧିବଦ୍ଧ ଭାବେ ଘୋଷଣା କରା ଯାଇ ନ ଥିଲେ ମଧ୍ୟ ଶୁଣା ଯାଉଛି ଯେ ଏ ଫିଲ୍ମର ଶୀର୍ଷକ ରଖା ଯାଇଛି ‘ଛୁରିଆଁ’।

ସମ୍ବନ୍ଧିତ ଖବର