ମୁମ୍ବାଇ: ଗାୟକ ତଥା ସଙ୍ଗୀତ ନିର୍ଦେଶକ ବାପି ଲାହିରିଙ୍କ ୬୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ଗତରାତିରେ ‘ଅବ୍ଷ୍ଟ୍ରକ୍ଟିଭ୍ ସ୍ଲିପ୍ ଆପନିଆ’ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ବାପି ଦା’ଙ୍କର ସୁନା ପ୍ରତି ରୁଚି ଥିବା ସମସ୍ତେ ଜାଣିଛନ୍ତି। ଏଥିସହିତ ତାଙ୍କର ଦାମିକା କାର ପ୍ରତି ବି ଖୁବ ସଉକ ଥିଲା। ସ୍ବର୍ଗତଃ ସଙ୍ଗୀତକାରଙ୍କ ପାଖରେ ଦୁନିଆର ଅନେକ ନାମୀଦମୀ କାର ରହିଥିଲା। ଏଥିମଧ୍ୟରୁ ବାପି ଦା’ଙ୍କୁ ୫ଟି କାର ବହୁତ ପସନ୍ଦ ଥିଲା। ଏହାରି ଭିତରେ ବିଏମଡବ୍ଲୁ ଓ ଅଡି କାର ସାମିଲ ରହିଛି।
ନିକଟରେ ସେ ଟେସଲାର ଟେସଲା ଏକ୍ସକୁ ତାଙ୍କ ସଉକିନ କାର ମଧ୍ୟରେ ସାମିଲ କରିଥିଲେ, ଯାହାର ମୂଲ୍ୟ ୫୫ଲକ୍ଷ ଟଙ୍କା ପାଖାପାଖି ହେବ ବୋଲି କୁହାଯାଉଛି। ଟେସଲା କାର ଭାରତରେ ବିକ୍ରି ପାଇଁ ଉପଲବ୍ଧ ନାହିଁ। ଏହାକୁ ବାହାରୁ ମଗାଇବାକୁ ପଡ଼ିଥାଏ। ଦେଖିବାକୁ ଗଲେ ଦେଶର କିଛି ହାତ ଗଣତି ଲୋକଙ୍କ ପାଖରେ ଟେସଲା କାର ରହିଛି। ଯେଉଁଥିରେ ମୁକେଶ ଆମ୍ବାନିଙ୍କ ନାମ ସାମିଲ ରହିଛି।
ପ୍ରକାଶିତ ଏକ ରିପୋର୍ଟ ମୁତାବକ, ବାପି ଲହିରି ଗୋଟିଏ ସୋ’ ପାଇଁ ୨୦ଲକ୍ଷ ଟଙ୍କା ପାରିଶ୍ରମିକ ନେଉଥିଲେ। ଗୋଟିଏ ଗୀତ କମ୍ପୋଜ କରିବାକୁ ବାପି ନେଉଥିଲେ ପାଖାପାଖି ୮ରୁ ୧୦ଲକ୍ଷ ଟଙ୍କା। ସେ ୧୧.୩ କୋଟି ଟଙ୍କାର ପର୍ସନାଲ ଇନଭେଷ୍ଟମେଣ୍ଟ ବି କରିଥିଲେ। ବାପିଙ୍କ ବର୍ଷକୁ ରୋଜଗାର ୨.୨ କୋଟି ଟଙ୍କା ଥିଲା।
ବାପି ସର୍ବଦା ଚ୍ୟାରିଟି ପାଇଁ ସୋ’ ବି କରୁଥିଲେ। ସେ ଏକମାତ୍ର ଭାରତୀୟ ସଙ୍ଗୀତକାର ଥିଲେ ଯାହାଙ୍କୁ ପପ ମ୍ୟୁଜିକ ଷ୍ଟାର ମାଇକଲ ଜାକସନ ନାମରେ ଲୋକେ ଡାକୁଥିଲେ। ତାଙ୍କ ନାମ ଗିନିଜ ୱାଲର୍ଡ ରେକର୍ଡସରେ ସାମିଲ ରହିଛି। ସେ ଗୋଟିଏ ବର୍ଷ ମଧ୍ୟରେ ୧୮୦ରୁ ଅଧିକ ଗୀତ ରେକର୍ଡ କରିଥିଲେ। ୧୯୮୬ ମସିହାରେ ବାପି ୩୩ଟି ସିନେମାରେ ସଂଗୀତ ନିର୍ଦ୍ଦେଶନା ଦେଇ ଚର୍ଚ୍ଚାରେ ରହିଥିଲେ।