‘ବର୍ଫି’ ମୋ ପାଇଁ ଅବିସ୍ମରଣୀୟ

୨୦୧୨ ମସିହା ସେପ୍ଟେମ୍ବର ୧୪ ତାରିଖରେ ମୁକ୍ତିଲାଭ କରିଥିଲା ହିନ୍ଦୀ ଚଳଚ୍ଚିତ୍ର ‘ବର୍ଫି’। ୯ବର୍ଷ ତଳେ ରିଲିଜ୍ କରିଥିବା ଏଇ ଚଳଚ୍ଚିତ୍ରର ଅନୁଭୂତିକୁ ମନେ ପକେଇଛନ୍ତି ଦକ୍ଷିଣୀ ଅଭିନେତ୍ରୀ ଇଲିଆନା। କାରଣ ନିର୍ଦ୍ଦେଶକ ଅନୁରାଗ ବାସୁ ତାଙ୍କୁ ଏଇ ଫିଲ୍ମ ମାଧ୍ୟମରେ ପ୍ରଥମେ ବଲିଉଡ୍‌ରେ ପ୍ରବେଶ କରିବାର ସୁଯୋଗ ଦେଇଥିଲେ। ଇଲିଆନା ନିଜ ଇନଷ୍ଟାଗ୍ରାମରେ ଉକ୍ତ ଚଳଚ୍ଚିତ୍ରର ୯ବର୍ଷ ପୂରଣର ପୂର୍ତ୍ତି ପାଳନ କରିଛନ୍ତି। ଏଥିରେ ସେ ପ୍ରମୁଖ ଚରିତ୍ରମାନଙ୍କର ଏକ ମିଳିତ ଦୃଶ୍ୟର କଳାଧଳା ଛବି ପୋଷ୍ଟ କରିଛନ୍ତି। ‘ବର୍ଫି’ରେ ମୁଖ୍ୟ ଭୂମିକାରେ ଥିଲେ ମର୍ଫି ବର୍ଫି ଜନ୍‌ସନ୍‌, ଶ୍ରୁତି ଘୋଷ ଓ ଝିଲ୍‌ମିଲ୍‌ ଚାଟାର୍ଜୀ। ବର୍ଫି ଭୂମିକାରେ ରଣବୀର କପୁର ଥିବା ବେଳେ ଶ୍ରୁତି ଭୂମିକାରେ ଇଲିଆନା ଡିକ୍ରୁଜ୍ ଏବଂ ଝିଲ୍‌ମିଲ୍ ଭୂମିକାରେ ଥିଲେ ପ୍ରିୟଙ୍କା ଚୋପ୍ରା। ବର୍ଫି ଯାହାଙ୍କ ସହ ପ୍ରାୟ କୌତୁକିଆ କାମ କରୁଥିଲେ, ସେ ଥିଲେ ପୁଲିସ ବାବୁ ସୌରଭ ଶୁକ୍ଳା। ଏହା ବ୍ୟତୀତ ଜୟତି ଭାଟିଆ, ଆକାଶ ଖୁରାନା, ଆଶିଷ ବିଦ୍ୟାର୍ଥୀ, ରୂପା ଗାଙ୍ଗୁଲିଙ୍କ ପରି ନାମୀଦାମୀ କଳାକାରଙ୍କୁ ଏଥିରେ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିଥିଲା।

ଅଭିଷେକ ବଚ୍ଚନ ଅଭିନୀତ ବଲିଉଡ୍ ମୁଭି ‘ବିଗ୍ ବୁଲ୍’ରେ ଇଲିଆନା ଜଣେ ସାମ୍ବାଦିକା ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ଏହାଛଡ଼ା ରଣଦୀପ ହୁଦାଙ୍କ ‘ଅନ୍‌ଫେୟାର ଆଣ୍ଡ ଲଭ୍‌ଲୀ’ରେ ମଧ୍ୟ ଇଲିଆନାଙ୍କୁ ଦେଖିବାକୁ ମିଳିବ। ଏକାଧିକ ତେଲୁଗୁ, ତାମିଲ୍ ଓ କନ୍ନଡ଼ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଇଲିଆନା ଫଟା ପୋଷ୍ଟର ନିକଲା ହିରୋ, ମେ ତେରା ହିରୋ, ହ୍ୟାପି ଏଣ୍ଡିଙ୍ଗ୍, ରୁସ୍ତମ୍, ମୁବାରକ, ବାଦଶାହ, ରେଡ୍, ପାଗଲପନ୍ତି ଆଦି ହନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ହେଲେ ଏତେସବୁ ଚଳଚ୍ଚିତ୍ର ମଧ୍ୟରେ ‘ବର୍ଫି’କୁ ସେ ପାସୋରି ପାରିନାହାନ୍ତି। ଇଲିଆନା କହିଛନ୍ତି ‘ବର୍ଫି’ ମୋ ପାଇଁ ଅବିସ୍ମରଣୀୟ।

ସମ୍ବନ୍ଧିତ ଖବର