ଭୁବନେଶ୍ବର: ଦୂରଦର୍ଶନରେ ପ୍ରସାରିତ ଭାରତର ପ୍ରଥମ ଲୋକ ସଙ୍ଗୀତ ରିଆଲିଟି ସୋ ‘ଭାରତ କା ଅମ୍ରିତ କଳସ’ର ଦ୍ବିତୀୟ ରନର୍ସ ଅପ୍ ହୋଇଥିବା ଓଡ଼ିଆ ଝିଅ ବର୍ଣ୍ଣାଳି ହୋତା ଫେରିଛନ୍ତି। ଆଜି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କ ଓ ପ୍ରତ୍ୟେକ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବର୍ଣ୍ଣାଳି। ସେ କହିଛନ୍ତି, ‘‘ମହାପ୍ରଭୁଙ୍କ ଇଚ୍ଛାରେ ହିଁ ଏହି ସୋ'ରେ ଭାଗ ନେଇଥିଲି। ଯାହା ସଫଳତା ମିଳିଛି ସବୁ ମହାପ୍ରଭୁଙ୍କ ଇଚ୍ଛାରେ ହୋଇଛି। ମୋତେ ଓଡ଼ିଶାବାସୀ ତଥା ଭାରତରୁ ବହୁତ ଭଲ ପାଇବା ମିଳିଛି। ଏହି ସୋ’ ଦ୍ବାରା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ହେଲା। ଆମ ସଂସ୍କୃତିକୁ ଦେଶରେ ଲୋକେ ଅଧିକ ଜାଣିଲେ। ଏହା ମୋ’ ପାଇଁ ବହୁତ ବଡ଼ କଥା।’’

Advertisment

ସୂଚନାଯୋଗ୍ୟ ଯେ ଉକ୍ତ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ୍‌ରେ ଟପ୍‌ ୫ ଜଣ ପ୍ର‌ତିଯୋଗୀଙ୍କ ମଧ୍ୟରେ ରାଜସ୍ଥାନର ଅନିତା ଡାଙ୍ଗୀ ଚାମ୍ପିୟନ ହୋଇଥିବାବେଳେ ମହାରାଷ୍ଟ୍ରର ସିଦ୍ଧେଶ ଯାଦବ ପ୍ରଥମ ରନର୍ସଅପ୍‌ ବା ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଦ୍ବିତୀୟ ରନର୍ସଅପ୍‌ ବା ତୃତୀୟ ସ୍ଥାନରେ ରହିଛନ୍ତି ବର୍ଣ୍ଣାଳୀ। ମଣିପୁରର ବେନିତା ଲାଇଶ୍ରମ ଓ ଚଣ୍ଡିଗଡ଼ର ସଞ୍ଜନା ଭୋଲା ଯୁଗ୍ମ ଚତୁର୍ଥ ହୋଇଛନ୍ତି। ଗତ ଫେବ୍ରୁଆରି ମାସରେ ଦେଶରେ ପ୍ରଥମ ଥର ଦୂରଦର୍ଶନରେ ଲୋକ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ' 'ଭାରତ କା ଅମ୍ରିତ କଳସ' ଆରମ୍ଭ ହୋଇଥିଲା।

ପ୍ରଥମ ପର୍ଯ୍ୟାୟରେ ଦେଶର ପ୍ରତି ଜିଲ୍ଳା ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୨ ଜଣ ଲେଖାଏ ପ୍ରତିଯୋଗୀଙ୍କୁ ସୋ'ରେ ନିଆଯାଇଥିଲା। କିନ୍ତୁ ଓଡ଼ିଶାରୁ ଏକାକି ବର୍ଣ୍ଣାଳି ଯାଇଥିଲେ। ଏହାପରେ ବିଭିନ୍ନ ପର୍ଯ୍ୟାୟରେ ଜଣଙ୍କ ପରେ ଜଣେ ସୋ'ରୁ ବିଦାୟ ନେଉଥିବାବେଳେ ଟପ୍‌ ୧୮ ଏବଂ ପରେ ସେମିଫାଇନାଲ୍‌ରେ ମୋଟ୍‌ ୬ ଜଣଙ୍କ ମଧ୍ୟରେ ମଧ୍ୟ ନିଜ ସ୍ଥାନ ବଜାୟ ରଖି ପାରିଥିଲେ ବର୍ଣ୍ଣାଳି। ସେମିଫାଇନାଲ୍‌ରେ ରାଜସ୍ଥାନର ଜଣେ ପ୍ରତିଯୋଗୀ ବାଦ୍‌ ପଡ଼ିବା ପରେ ଗ୍ରାଣ୍ଡ ଫାଇନାଲ୍‌ରେ ୫ ଜଣ ପ୍ରତିଯୋଗୀ ରହିଥିଲେ। ଆରମ୍ଭରୁ ହିଁ ବର୍ଣ୍ଣାଳି ଓଡ଼ିଶା ସମେତ ଦେଶର ପ୍ରତ୍ୟେକ ଲୋକଙ୍କ ହୃଦୟକୁ ଜିଣି ପାରିଥିଲେ। ଏମିତିକି ସୋ'ରେ ବର୍ଣ୍ଣାଳୀ ଗୀତକୁ ପ୍ରସିଦ୍ଧ ଗାୟକ ତଥା ସୋ'ର ମହାଗୁରୁ କୈଳାସ ଖେର୍, ବିଚାରକ ଦେବୋଜିତ ସାହା, ଗାୟତ୍ରୀ ଅଶୋକନ୍ ଓ ସ୍ନେହା ଖନାୱଲକର ଏକାଧିକ ଧର ପ୍ରଶଂସା କରି ଆସୁଥିଲେ। 

ବର୍ଣ୍ଣାଳି ପ୍ରଥମେ ଓଡ଼ିଶାର ଲୋକ ସଙ୍ଗୀତ ‘ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋ ଜୀବନ’ ଗାଇଥିଲେ। ଏହାପରେ ‘ଦେଖଲୋ ସଙ୍ଗାତ ବଡ଼ ଦାଣ୍ଡେ ବିଜେ ଜଗନ୍ନାଥ’, ‘ଫୁର୍‌ କିନା ଉଡ଼ିଗଲା ବଣି’, ‘ବଜାରେ ବାଜା ବାଲା', 'ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ', 'ରଙ୍ଗବତୀ' ଭଳି ମୋଟ ୫୧ଟି ଗୀତ ସେ ଏହି ପ୍ରତିଯୋଗିତାର ବିଭିନ୍ନ ପର୍ଯ୍ୟାୟରେ ଗାଇଥିଲେ। ଗ୍ରାଣ୍ଡ ଫାଇନାଲରେ ସେ 'ନୀଳାଦ୍ରି ଶଙ୍ଖମଧ୍ୟେ ଶତଦଳ କମଳେ' ଗାଇ ମହାପ୍ରଭୁଙ୍କୁ ସ୍ମରଣ କରି ମଞ୍ଚ ପ୍ରବେଶ କରିଥିଲେ। ଏଥିସହ ଭଜନ ସମ୍ରାଟ ଭିକାରୀ ବଳ ଗାଇଥିବା ପ୍ରତିଟି ଓଡ଼ିଆଙ୍କ ଘରେ ଘରେ ପରିଚିତ ‘କୋଠଭୋଗ ଖିଆ ମୋ ଚକାଆଖିଆ…ଉଠହେ ପହଡ଼ ଭାଙ୍ଗି..' ଗୀତକୁ ଖୁବ୍‌ ଭା‌ବାବେଗ ସହ ଗାଇଥିଲେ। ପୁରସ୍କାର ବାବଦକୁ ବର୍ଣ୍ଣାଳିଙ୍କୁ ଦୁଇଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି।