ନୂଆଦିଲ୍ଲୀ: ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂହ ଏବଂ ତାଙ୍କ ବାପା ବିପିନ ସିଂହଙ୍କ ବିରୋଧରେ ବେଗୁସରାଇ କୋର୍ଟ ସମନ ଜାରି କରିଛନ୍ତି।
ସମସ୍ତିପୁରର ଏକ କାର୍ଯ୍ୟକ୍ରମ ସହିତ ଜଡିତ ମାମଲାକୁ ନେଇ ଆୟୋଜକ ଅକ୍ଷରା ସିଂହଙ୍କ ବିରୋଧରେ ଠକେଇ ମାମଲା ଦାୟର କରିଥିଲେ। ଏହି ମାମଲାକୁ ନେଇ ଭୋଜପୁରୀ ଅଭିନେତ୍ରୀ ଏବଂ ତାଙ୍କ ବାପା ବିପିନ ସିଂହଙ୍କୁ କୋର୍ଟରେ ହାଜର ହେବାକୁ ବେଗୁସରାଇର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଜଷ୍ଟିସ୍ ଓମ୍ ପ୍ରକାଶ ଶନିବାର ନିର୍ଦ୍ଦେଶ ଦେଇଛନ୍ତି।
ବେଗୁସରାଇର ଲୋକ ଗାୟକ ଶିବେଶ ମିଶ୍ର ୨୦୨୩ ମସିହାରେ ଏକ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ବିଚାରପତି ଓମ ପ୍ରକାଶ ଅକ୍ଷରା ସିଂହ ଏବଂ ତାଙ୍କ ବାପା ବିପିନ ସିଂହଙ୍କ ବିରୋଧରେ ସମନ ଜାରି କରିଛନ୍ତି ।
ଦାୟର ହୋଇଥିବା ମାମଲା ଅନୁଯାୟୀ, ଶିବେଶ ମିଶ୍ର ସମସ୍ତିପୁର ଜିଲ୍ଲାର ସିଂଘିଆରେ ଦୁର୍ଗା ପୂଜା କମିଟି ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଅକ୍ଷରା ସିଂହଙ୍କ ବାପାଙ୍କ ଆକାଉଣ୍ଟକୁ ଆଗୁଆ ୫ ଲକ୍ଷ ୫୧ ହଜାର ଟଙ୍କା ପଠାଯାଇଥିଲା।
୨୪ ଅକ୍ଟୋବର ୨୦୨୩ରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଅକ୍ଷରା ସିଂହ ସିଂଘିଆ ଆସିଥିଲେ। ଅକ୍ଷରା ରାତି ପ୍ରାୟ ୧୨ଟାରେ ମଞ୍ଚ ଉପରେ ପହଞ୍ଚିଥିଲେ। ଏହି ସମୟରେ କିଛି ଦର୍ଶକ ତାଙ୍କ ଉପରକୁ ଟଙ୍କା ଫିଙ୍ଗିଥିଲେ। ଏଥିରେ ସେ ଏତେମାତ୍ରାରେ ରାଗି ଯାଇଥିଲେ ଯେ ସେ ମାଇକକୁ ଫିଙ୍ଗି ମଞ୍ଚ ଛାଡ଼ି ଚାଲିଯାଇଥିଲେ । କାର୍ଯ୍ୟକ୍ରମରେ ଅକ୍ଷରା ସିଂହଙ୍କୁ ୩ ଘଣ୍ଟା ପାଇଁ ଡକାଯାଇଥିଲା, କିନ୍ତୁ ସେ ମାତ୍ର ଅଧ ଘଣ୍ଟା ମଧ୍ୟରେ ସେଠାରୁ ଚାଲିଯାଇଥିଲେ। ଯାହାଦ୍ୱାରା ଆୟୋଜକଙ୍କୁ ବହୁତ କ୍ଷତି ସହିବାକୁ ପଡିଥିଲା।
ଏ ଘଟଣାପରେ ଶିବେଶ ମିଶ୍ର ବେଗୁସରାଇ କୋର୍ଟରେ ଅକ୍ଷରା ସିଂହ ଏବଂ ତାଙ୍କ ବାପା ବିପିନ ସିଂହଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।