ବନ୍ଦନା ମିଶ୍ର୍ର

Advertisment

ସିନେମା କି ଟେଲିଭିଜନ୍‌ ପରଦାରେ ଦିଶୁଥିବା ଚେହେରାମାନେ ଆଖିକୁ ଖୁବ୍‌ ସୁନ୍ଦର ଓ ଆକର୍ଷଣୀୟ ଦିଶନ୍ତି। ସେମାନଙ୍କ ବେଶଭୂଷାଠୁ ନେଇ କେଶବିନ୍ୟାସ, ମେକ୍‌ଅପ୍‌ରୁ ନେଇ ସାଜସଜ୍ଜାଯାଏ ସବୁକିଛି ନିଖୁଣ ହୋଇଥାଏ। ହେଲେ ଆପଣ ଜାଣନ୍ତି କି ସେହି ସୁନ୍ଦର ଚେହେରା ପଛରେ କେତେ ଜଣଙ୍କର ହାତ ଥାଏ? ମେକ୍‌ଅପ୍‌ ମ୍ୟାନ୍, କଷ୍ଟ୍ୟୁମ୍ ଡିଜାଇନର୍‌, ହେୟାର୍‌ ଷ୍ଟାଇଲିଷ୍ଟ୍‌ ଆଦିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥାଏ। ଚଳଚ୍ଚିତ୍ର ନାୟିକାଙ୍କ ଅଧା ସୌନ୍ଦର୍ଯ୍ୟ ତ ଥାଏ ତାଙ୍କ କେଶବିନ୍ୟାସରେ। ଅଭିନେତ୍ରୀଙ୍କ କେଶକୁ ଯେତେ ସୁନ୍ଦର ଶୈଳୀରେ ସଜାଯାଏ ତାଙ୍କ ସୌନ୍ଦର୍ଯ୍ୟ ସେତେ ଉକୁଟି ଉଠେ। ସିନେମା/ଧାରାବାହିକରେ ଅଭିନେତ୍ରୀମାନଙ୍କ କେଶକୁ ଆକର୍ଷଣୀୟ ଢଙ୍ଗରେ ଉପସ୍ଥାପିତ କରିବାର ଦାୟିତ୍ବ ‘ହେୟାର୍ ଷ୍ଟାଇଲିଷ୍ଟ୍’ମାନଙ୍କ ହାତରେ ଥାଏ।

ଓଲିଉଡ୍‌ର ଜଣେ ଜଣାଶୁଣା ହେୟାର୍ ଷ୍ଟାଇଲିଷ୍ଟ୍ ହେଉଛନ୍ତି ମୌସୁମୀ ସ୍ବାଇଁ (ସୁମି)। ୨୦୦୧ ମସିହାରେ ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀଙ୍କ ଅଭିନୀତ ସିନେମା ‘ମୋ କୋଳ ତୋ ଝୁଲଣା’ରୁ ସେ କ୍ୟାରିୟର୍ ଆରମ୍ଭ କରିଥିଲେ। ବିନା କୌଣସି ‌ଯୋଜନାରେ ସେ କେମିତି ସିନେଜଗତକୁ ପଶି ଆସିଥିଲେ ସେକଥା ମନେପକାନ୍ତି ସୁମି, ‘‘ବିୟୁଟିସିଆନ୍ କୋର୍ସ କରିବା ପରେ ଭୁବନେଶ୍ବରର ମାଷ୍ଟର୍‌କ୍ୟାଣ୍ଟିନ୍‌ ଅଞ୍ଚଳରେ ଥିବା ଏକ ପାର୍ଲର୍‌ରେ ମାତ୍ର ୨ଦିନ କାମକରିଥାଏ। ଏଇ ସମୟରେ ‘ମୋ କୋଳ ତୋ ଝୁଲଣା’ ସିନେମାର ଯିଏ ହେୟାର୍ ଷ୍ଟାଇଲିଷ୍ଟ୍ ଥିଲେ ସେ ୮ଦିନ କାମକରି ହଠାତ୍‌ କାମ ଛାଡ଼ିଦେଲେ। ସେତେବେଳେ ମୁଁ ଯେଉଁ ପାର୍ଲର୍‌ରେ କାମ କରୁଥିଲି ଫିଲ୍ମ ୟୁନିଟ୍‌ ପକ୍ଷରୁ ହେୟାର୍ ଷ୍ଟାଇଲିଷ୍ଟ୍ ଯୋଗାଇ ଦେବା ପାଇଁ  ସେ ପାର୍ଲର୍‌ ସହ ଯୋଗାଯୋଗ କରାଗଲା। ସେମାନେ ମୋତେ ହେୟାର୍ ଷ୍ଟାଇଲିଷ୍ଟ୍ ଭାବେ ‌ସୁଟିଂସ୍ଥଳ ଢେଙ୍କାନାଳ ପଠାଇଲେ। ସେଇଠୁ ଆରମ୍ଭ ହେଲା ମୋର ସିନେମା ସହ ସଂଯୋଗ।’’

କ୍ୟାରିୟର୍‌ର ପ୍ରଥମ ଦିନକୁ ମନେପକାଇ ହେୟାର୍ ଷ୍ଟାଇଲିଷ୍ଟ୍ ସୁମି କହନ୍ତି, ‘‘ମୁଁ ସୁଟିଂ ସେଟସ୍‌ରେ ପ୍ରଥମଥର ପାଇଁ ମୁନାଭାଇ (ସିଦ୍ଧାନ୍ତ ମହାପାତ୍ର) ଓ ରଚନାଅପା (ରଚନା ବାନାର୍ଜୀ)ଙ୍କୁ ଦେଖି ଖୁବ୍ ଉତ୍ସାହିତ ହୋଇଗଲି। ମୋତେ ଖୁବ୍ ଡର ବି ଲାଗୁଥାଏ। ହେଲେ ରଚନାଅପାଙ୍କ କେଶସଜ୍ଜା କରିବା ମୋ ପାଇଁ ଆଶୀର୍ବାଦ ଥିଲା। ତାଙ୍କୁ ମୁଁ ଗୁରୁ ଭଳି ମାନେ। ମୁଁ ଯାହା ବି କିଛି ଶିଖିଥିଲି, ତା’ଠାରୁ ଅଧିକ ସେ ମୋତେ ଶିଖେଇଛନ୍ତି। ସେ ମୋ ହାତ ଧରି କାମ କରେଇଛନ୍ତି। ତାଙ୍କ ହେୟାର୍‌ ଷ୍ଟାଇଲିଂ କରି କରି ମୁଁ ନିଜକୁ ଦକ୍ଷ କରିପାରିଛି।’’ ରଚନା ବାନାର୍ଜୀଙ୍କ ପରେ ପରେ ଓଲିଉଡ୍‌କୁ ଆସିଥିବା ଅଧିକାଂଶ ନାୟିକାଙ୍କ କେଶବିନ୍ୟାସ କରିଛନ୍ତି ସୁମି। ଫିଲ୍ମ କି ସିରିୟଲ୍‌ରେ କାମ କଲା ବେଳେ ଅଭିନେତ୍ରୀଙ୍କ ଚେହେରା ଓ ଚରିତ୍ର ଅନୁସାରେ ହିଁ କେଶସଜ୍ଜା କରିବାକୁ ପଡ଼େ ବୋଲି ସେ ମତ ଦିଅନ୍ତି। ସବୁ ଅଭିନେତ୍ରୀଙ୍କ ମୁହଁକୁ ସବୁ ପ୍ରକାରର ଡିଜାଇନ୍ ମାନେନାହିଁ। ମୁହଁର ଗଢ଼ଣ ଓ କଷ୍ଟ୍ୟୁମ୍‌ ଦେଖି କେଶଶୈଳୀ ଡିଜାଇନ୍ କରିବାକୁ ପଡ଼େ। 

ଆଜିକାଲି ଅଭିନେତାଅଭିନେତ୍ରୀଙ୍କ କେଶସଜ୍ଜା ସମୟରେ ବହୁଳ ଭାବେ ‘ହେୟାର୍ ଏକ୍ସଟେନ୍‌ସନ୍‌’ ବ୍ୟବହାର କରାଯାଉଛି। ଏ ବିଷୟରେ ସୁମିଙ୍କୁ ପଚାରିବାକୁ ସେ କହନ୍ତି କି ଆଜିକାଲି ପ୍ରାୟ ସମସ୍ତଙ୍କ କେଶରେ ‘ହେୟାର୍ ଏକ୍ସଟେନ୍‌ସନ୍‌’ ଲଗାଇବାକୁ ପଡୁଛି। କାରଣ ଅସଲ କେଶରେ ସେତେ ଭଲ ଡିଜାଇନ୍ କରିହୁଏନି। ‘ହେୟାର୍ ଏକ୍ସଟେନ୍‌ସନ୍‌’ ଲଗାଇଲେ ଲୁକ୍ ଭଲ ଆସେ। ପ୍ରାୟ ୨୫ ବର୍ଷ ହେବ ଏଇ ବୃତ୍ତିରେ ଥିବା ସୁମିଙ୍କୁ ‌ଓଲିଉଡ୍‌ରେ ହେୟାର୍‌ ଷ୍ଟାଇଲିଂ କ୍ୟାରିୟର୍‌ର ଭବିଷ୍ୟତ ସଂପର୍କରେ ପଚାରିଲେ ସେ ମତ ଦିଅନ୍ତି, ‘‘ଇଣ୍ଡଷ୍ଟ୍ରିରେ ବହୁତ ହେୟାର୍ ଷ୍ଟାଇଲିଷ୍ଟ୍ ଅଛନ୍ତି। ମାତ୍ର ବଛା ବଛା କେତେଜଣ ନିଜର ସ୍ଥିତି ସୁଦୃଢ଼ କରିପାରିଛନ୍ତି। ଠିକ୍‌ ଭାବେ ଦାୟିତ୍ବ ତୁଲାଇ ପାରିଲେ ଏହା ମଧ୍ୟ ଉତ୍ତମ ରୋଜଗାରର ମାଧ୍ୟମ ହୋଇପାରିବ।’’