ସିନେପରଦାରେ ଅଭିନେତାଅଭିନେତ୍ରୀ ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବା ପଛରେ ରହିଛି ମେକ୍ଅପ୍‌ର କରାମତି। ଆଉ ମେକ୍ଅପ୍ ଆର୍ଟିଷ୍ଟ୍‌ଙ୍କ ଶେଷ ସ୍ପର୍ଶ ପରେ ହିଁ କ୍ୟାମେରା ସାମ୍ନାକୁ ଯାଆନ୍ତି କଳାକାର। ବିନା ମେକ୍‌ଅପ୍‌ ମ୍ୟାନ୍‌ରେ ସୁଟିଂ ସମ୍ଭବ ନୁହେଁ କହିଲେ ଅତ୍ୟୁକ୍ତି ହେବନାହିଁ। ଚଳଚ୍ଚିତ୍ର ନିର୍ମାଣରେ ମେକ୍‌ଅପ୍‌ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ଏହି ବୃତ୍ତି ସଂପର୍କରେ ନିଜ ଦୀର୍ଘ ଅନୁଭୂତିରୁ ସୂଚନା ଦେଇଛନ୍ତି ଓଲିଉଡ୍‌ର ବରିଷ୍ଠ ମେକ୍‌ଅପ୍‌ ଆର୍ଟିଷ୍ଟ୍‌ ସମରେଶ ପାଲ୍‌।

Advertisment

ବନ୍ଦନା ମିଶ୍ର୍ର

ଓଡ଼ିଆ ଚଳଚ୍ଚିତ୍ର ଜଗତର ସବୁଠୁ ପୁରୁଖା ଓ ପରିଚିତ ମେକ୍‌ଅପ୍‌ ଆର୍ଟିଷ୍ଟ୍‌ ସମରେଶଦା’। ବାପା ଥିଲେ ବଙ୍ଗଳା ସିନେଶିଳ୍ପର ଜଣେ ଖ୍ୟାତନାମା ‌‌ମେକ୍‌ଅପ୍‌ ମ୍ୟାନ୍। ତାଙ୍କଠାରୁ କାମ ଶିଖି ସେ ପ୍ରଥମେ ବଙ୍ଗଳା ସିନେମାରେ କାମକଲେ। ପରବର୍ତ୍ତୀ ସମୟରେ ୧୯୭୬ ମସିହାରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିକୁ ଆସିଥିଲେ ସମରେଶ। ସେ କହନ୍ତି, ନେଇ ଆଣି ଥୋଇ ପାରିଲେ ମେକ୍ଅପ୍ କଳାକାରର ଯଥେଷ୍ଟ ରୋଜଗାର ହେବ। ଓଡ଼ିଆ ସିନେମାର ଲୋକପ୍ରିୟ କଳାକାର ଗୌର ଘୋଷ, ଚପଳା ଘୋଷ, ପୀରବାବୁ, ବାବିବାବୁ, ଶରତ ପୂଜାରୀ, ଗ୍ଲୋରିଆ ମହାନ୍ତି, ସୁଜାତା ଆଦିଙ୍କଠାରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଶ୍ରୀରାମ ପଣ୍ଡା, ଅନିତା ଦାସ, ମହାଶ୍ବେତା ରାୟ, ଅପରାଜିତା ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ସବ୍ୟସାଚୀ, ଅନୁଭବ, ଆକାଶ, ବାବୁସାନ୍‌ ଓ ଅମ୍ଳାନ ଆଦି ତିନିପିଢ଼ିର କଳାକାରଙ୍କ ଚେହେରାରେ ତାଙ୍କ ମେକ୍ଅପ୍ ଲାଗିଛି ବୋଲି କହନ୍ତି ସମ‌ରେଶ।

ମେକ୍‌ଅପ୍‌ରେ ବିଧିବଦ୍ଧ କୋର୍ସ ନକରି ମଧ୍ୟ ସେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ତାଙ୍କ କହିବା କଥା ହେଲା, ଯେତେ କୋର୍ସ କଲେ ବି ଜଣେ ନିଖୁଣ କଳାକାର ହୋଇପାରିବ ନାହିଁ, ଯଦି ସେ ଜଣେ ମେକ୍ଅପ୍ କଳାକାରଙ୍କ ନିକଟରେ ଠିଆହୋଇ କାମ ନଶିଖିଛି। ସାଧାରଣ ଲୋକଙ୍କର ଧାରଣା ରହିଛି ଯେ ପାର୍ଲର୍‌ କୋର୍ସ କରିବା ପରେ ଜଣେ ଧାରାବାହିକ ଓ ସିନେମାରେ ମେକ୍ଅପ୍ ବୃତ୍ତି କରିପାରିବ। ଏହା ସଂପୂର୍ଣ୍ଣ ଭ୍ରାନ୍ତ ଧାରଣା ବୋଲି କହନ୍ତି ସମରେଶ। ତାଙ୍କ କହିବାନୁସାରେ, ସବୁ ମେକ୍ଅପ୍‌ରେ ଭିନ୍ନତା ରହିଛି। ପାର୍ଲର୍‌ ଓ ପରଦାର ମେକ୍ଅପ୍ ଭିତରେ ଆକାଶ-ପାତାଳ ଫରକ। ତେବେ ଯିଏ ସିନେମାରେ କାମ କରିଛି ‌ସେ ଟେଲିଭିଜନ୍‌ ପାଇଁ କରିପାରିବ ଏବଂ ଯିଏ ଟେଲିଭିଜନ୍‌ରେ କାମ କରିଛି ସିଏ ସିନେମାରେ ମେକ୍‌ଅପ୍‌ ଦେଇପାରିବ।

ସମରେଶ ଯେବେ ଓଡ଼ିଶା ଆସିଥିଲେ; ସେ ସମୟରେ ମେକ୍ଅପ୍ ମ୍ୟାନ୍ ନଥିଲେ। ଧୀରେ ଧୀରେ ତାଙ୍କର ଆସିଷ୍ଟାଣ୍ଟ୍ ଭାବେ କାମ କରି ପରବର୍ତ୍ତୀ ସମୟରେ ଅନେକ କଳାକାର ଏହି ବୃତ୍ତିକୁ ଆପଣେଇଛନ୍ତି। ଏହି ବୃତ୍ତିକୁ ଆସିବାକୁ ହେଲେ ପ୍ରଥମେ କ’ଣ କରିବାକୁ ହେବ ବୋଲି ପଚାରିବାରୁ ସମରେଶ କହନ୍ତି, ‘‘ପ୍ରଥମେ ଜଣେ ମେକ୍ଅପ୍ ଆର୍ଟିଷ୍ଟଙ୍କ ସହ ଯୋଗାଯୋଗରେ ରହିବାକୁ ହେବ। ତାଙ୍କୁ ରାଜି କରାଇ ସୁଟିଂ ସେଟ୍‌କୁ ଯାଇ ମେକ୍ଅପ୍ କାମ ଦେଖିବାକୁ ପଡ଼ିବ। ଧୀରେ ଧୀରେ ଆସିଷ୍ଟାଣ୍ଟ୍ କାମ କରି କରି ନିଜକୁ ଦକ୍ଷ କରିବାକୁ ପଡ଼ିବ। ତା’ପରେ ଯାଇ ଏହି କାମରେ ହାତ ଲଗାଇହେବ। ଯେଉଁମାନେ ଭାବୁଛନ୍ତି ଯେ କୋର୍ସ କରି ସିଧାସଳଖ ମେକ୍ଅପ୍ ଦେଇଦେବୁ; ସେମାନେ ଭୁଲ୍‌ ଭାବୁଛନ୍ତି।’’ ସମରେଶଦା’ କହନ୍ତି, କାମ ଜାଣିଥିଲେ ଏହି କ୍ଷେତ୍ରରେ ଜଣେ ଉତ୍ତମ ରୋଜଗାର କରିପାରିବ। ତେବେ ଏ କାମରେ ମାସିକ ଦରମା ନାହିଁ। ଆମେ ବର୍ଷକୁ ଯେତେ ରୋଜଗାର କରୁ, ତାହାକୁ ୧୨ ମାସରେ ଭାଗ କରି ମାସକ ଦରମା ନିର୍ଦ୍ଧାରଣ କରୁ। ତେବେ ଯେଉଁମାନେ ଧାରାବାହିକରେ କାମ କରୁଛନ୍ତି; ସେମାନଙ୍କ ଧାରାବାହିକ ଯେତେ ବର୍ଷ ଚାଲିବ ସେ ପର୍ଯ୍ୟନ୍ତ ମାସିକ ଦରମା ଅଛି। କିନ୍ତୁ ସିନେମା କ୍ଷେତ୍ରରେ ପ୍ରୋଜେକ୍ଟ୍‌ ଅନୁସାରେ ଟଙ୍କା ମିଳିଥାଏ।