ଶାଶୂଘରର ସମର୍ଥନର ସୁଫଳ

ତିରିଶରୁ ଅଧିକ ଟିଭି ଧାରାବାହିକ, ଚାରିଟି ୱେବ୍‌ ଧାରାବାହିକ ଓ ଚାରିଟି ସଂଗୀତ ଭିଡିଓରେ ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଦୃଷ୍ଟି ଧାମିଙ୍କ ପାଇଁ ଅଭିନୟ ଜୀବନ ଏତେ ସହଜ ନଥିଲା। ମୁମ୍ବାଇରେ ଏକ ରକ୍ଷଣଶୀଳ ଗୁଜରାଟୀ ପରିବାରରେ ୧୯୮୫ ଜାନୁଆରି ୧୦ ଜାରିଖରେ ଜନ୍ମ ନେଇଥିବା ଦୃଷ୍ଟିଙ୍କୁ ପରିବାର ଲୋକେ କେବେ ଗ୍ଲାମର ଦୁନିଆରେ ଦେଖିବାକୁ ଚାହୁୁଁନଥିଲେ। ସାମାଜିକ ବିଜ୍ଞାନରେ ସ୍ନାତକ ଡିଗ୍ରି ହାସଲ କରିଥିବା ଧାମିଙ୍କ ମନ କିନ୍ତୁ ଅଭିନୟ ଛଡ଼ା ଆଉ କେଉଁଥିରେ ଲାଗୁନଥିଲା। ମନୋରଞ୍ଜନ ଦୁନିଆରେ ପାଦ ଦେବା ଆଗରୁ ସେ ଛପା ଓ ଇଲେକ୍ଟ୍ରୋନିକ ମାଧ୍ୟମ ପାଇଁ ବିଜ୍ଞାପନରେ ମଡେଲିଂ କରିବା ଆରମ୍ଭ କରିଥିଲେ। ଏହି ଅବସରରେ ତାଙ୍କର ସୁଠାମ ଚେହେରା ପାଇଁ ତାଙ୍କୁ ୨୦୦୩ ମସିହାରେ ଯେତେବେଳେ ସଂଗୀତ ଭିଡିଓ ‘ସୈୟାଁ ଦିଲ୍‌ ମେଁ ଆନା ରେ’ରେ କାମ କରିବା ପାଇଁ ପ୍ରସ୍ତାବ ଆସିଲା, ତାଙ୍କୁ ସେତେବେଳେ ତାଙ୍କ ଯୌଥ ପରିବାରର ୧୦ ଜଣଙ୍କ ଠାରୁ ସବୁଜ ସଂକେତ ହାସଲ କରିବା ଜରୁରୀ ଥିଲା। ତାଙ୍କର ଜଣେ ସମ୍ପର୍କୀୟ ଭାଇ ସମସ୍ତଙ୍କୁ ବୁଝାସୁଝା କରି ଏଥିପାଇଁ ରାଜି କରାଇଥିଲେ।

ଏହା ପରେ ପରେ ‘ହମ୍‌କୋ ଆଜ କାଲ ହୈ’, ‘ତେରି ମେରି ନଜର କି ଡୋରି’ ଓ ‘ନଚଲେ ସୋଣିୟେ ତୁ’ ଆଦି ସଂଗୀତ ଭିଡିଓରେ ନୃତ୍ୟାଭିନୟ କରି ସେ ଯଥେଷ୍ଟ ଲୋକପ୍ରିୟତା ହାସଲ କରିଥିଲେ। ତେବେ ତାଙ୍କର ପ୍ରକୃତ ଅଭିନୟ ଜୀବନ ଆରମ୍ଭ ହୋଇଥିଲା ୨୦୦୭ରେ ଷ୍ଟାର ଵାନ୍‌ ଟିଭିର ଧାରାବାହିକ ‘ଦିଲ ମିଲ ଗୟେ’ ମାଧ୍ୟମରେ। ଏହାପରେ ସେ ଏକତା କପୁରଙ୍କ ବାସ୍ତବଧର୍ମୀ ଟିଭି ସୋ’ ‘କୌନ୍‌ ଜିତେଗା ବଲିଉଡ୍‌ କା ଟିକେଟ୍‌’ରେ ସାମିଲ ହୋଇ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଧାରାବାହିକ ‘ଗୀତ- ହୁଇ ସବ୍‌ସେ ପରାୟି’ରେ ତାଙ୍କ ଅଭିନୀତ ପ୍ରମୁଖ ଚରିତ୍ର ‘ଗୀତ’କୁ ଦର୍ଶକ ଖୁବ୍‌ ଗ୍ରହଣ କରିଥିଲେ। ସେଥିପାଇଁ ତାଙ୍କୁ ଗୋଲ୍‌ଡ ସମ୍ମାନ ମିଳିଥିଲା। ତେବେ ତାଙ୍କୁ ଆଶାତୀତ ସଫଳତା ମିଳିଥିଲା ୨୦୧୩ରେ କଲର୍ସ ଟିଭିର ଧାରାବାହିକ ‘ମଧୁବାଳା- ଏକ ଇସ୍କ ଏକ ଜୁନୁନ୍‌’ରେ। ଏଥିରେ ତାଙ୍କୁ ଶ୍ରେଷ୍ଠ ନାୟିକା ଭାବରେ ଭାରତୀୟ ଟେଲି ସମ୍ମାନ, ଷ୍ଟାର ଗିଲ୍‌ଡ ସମ୍ମାନ ଓ ଗୋଲ୍‌ଡ ସମ୍ମାନ ମିଳିଥିଲା। ଏହାପରେ ବାସ୍ତବଧର୍ମୀ ଧାରାବାହିକ ‘ଝଲକ ଦିଖଲା ଯା-୬’ରେ ସେ ବିଜୟିନୀ ହେବା ସହ ପଛକୁ ପଛ ବିଭିନ୍ନ ଟିଭି ଧାରାବାହିକରେ ଦର୍ଶକମାନଙ୍କ ମନ ମୋହିଥିଲେ। ‘ଏକ ଥା ରାଜା ଏକ ଥି ରାଣୀ’, ‘ପରଦେଶ ମେଁ ହୈ ମେରା ଦିଲ’ ଏବଂ ‘ସିଲସିଲା ବଦଲତେ ରିସ୍ତୋଁ କା’ ଆଦି ଧାରାବାହିକ ହେଉଛି ତାଙ୍କ ଅଭିନୀତ ଗୋଟିଏ ଗୋଟିଏ ମାଇଲ ଖୁଣ୍ଟ। ସେହିପରି ‘ଛୋଟି ବହୂ- ସାଵର କେ ରଙ୍ଗ ରଚି’, ‘ସାଜନ ରେ ଝୁଟ୍‌ ମତ ବୋଲୋ’ ଓ ‘ପ୍ୟାର କି ୟେ ଏକ କାହାଣୀ’ ଆଦି ଧାରାବାହିକରେ ତାଙ୍କର ନୃତ୍ୟାଭିନୟକୁ ମଧ୍ୟ ସମୀକ୍ଷକମାନେ ସକାରାତ୍ମକ ଦୃଷ୍ଟିରେ ଦେଖିଥିଲେ। ଅଭିନୟ ପାଇଁ ସିନା ବାପଘର ଲୋକଙ୍କର ଆଗ୍ରହ ନଥିଲା, ମାତ୍ର ୨୦୧୫ ଫେବ୍ରୁଆରିରେ ବ୍ୟବସାୟୀ ନୀରଜ ଖେମକାଙ୍କୁ ବିବାହ କରିଥିବା ଧାମିଙ୍କୁ ଏ ଦିଗରେ ତାଙ୍କ ଶାଶୂଘର ଲୋକେ ଢେର ସମର୍ଥନ ଦେବା ସହ ଆଗକୁ ବଢ଼ିବା ଲାଗି ଉତ୍ସାହିତ ମଧ୍ୟ କରି ଚାଲିଛନ୍ତି। ଗତବର୍ଷ ତାଙ୍କ ଅଭିନୀତ ୱେବ୍‌ ଧାରାବାହିକ ‘ଦି ଏମ୍ପାୟାର’କୁ ଆଶାନୁରୂପ ଦର୍ଶକୀୟ ସ୍ବୀକୃତି ମିଳିଥିବା ବେଳେ ଏ ବର୍ଷ ଚାଲିଥିବା ‘ଦୁରଙ୍ଗା’ରେ ତାଙ୍କ ଚରିତ୍ରକୁ ମଧ୍ୟ ସମସ୍ତେ ବେଶ୍‌ ପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର