ଚେନ୍ନାଇ/ବେଙ୍ଗାଲୁରୁ: ରଜନୀକାନ୍ତଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜେଲର୍’ ରିଲିଜ୍ ହେଉଥିବାରୁ ଆଜି ଚେନ୍ନାଇ ଓ ବେଙ୍ଗାଲୁରୁରେ ଥିବା କଲେଜ ଓ ଅଫିସ୍ ସବୁ ଛୁଟି ଘୋଷଣା କରିଛନ୍ତି ବୋଲି ‘ଟାଇମ୍ସ୍ ନାଓଁ’ ରିପୋର୍ଟ କରିଛି।
ଉକ୍ତ ଚଳଚ୍ଚିତ୍ର ଦେଖିବାକୁ ଅଧୈର୍ଯ୍ୟ ହୋଇ ଅପେକ୍ଷା କରିଥିବାରୁ କେତେକ କମ୍ପାନିର କର୍ମଚାରୀମାନଙ୍କୁ ସେମାନଙ୍କ ମାଲିକମାନେ ଟିକେଟ ବିତରଣ କରିଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ପ୍ରଥମ ଦିନ ସୋ’ ପୂର୍ବରୁ ଅଗ୍ରୀମ ବୁକିଙ୍ଗ୍ ହୋଇଥିବା ଟିକେଟ୍ର ପରିମାଣ ଦର୍ଶାଉଛି ଯେ, ରଜନୀକାନ୍ତଙ୍କ ପ୍ରଶଂସକମାନେ କିଭଳି ଏହି ଚଳଚ୍ଚିତ୍ର ଦେଖିବାକୁ ଅତିଶୟ ଆଗ୍ରହୀ ହୋଇ ଉଠିଛନ୍ତି।
‘ସାକ୍ନିଲ୍କ୍ ଡଟ୍ କମ୍’ ରିପୋର୍ଟ କରିଛି ଯେ, ବୁକିଙ୍ଗ୍ ମାଧ୍ୟମରେ ଭାରତରେ ଏହି ଚଳଚ୍ଚିତ୍ର ୧୨.୮ କୋଟି ଟଙ୍କା ଉପାର୍ଜନ କରିଛି। ଚଳଚ୍ଚିତ୍ରର ତାମିଲ ‘ଭର୍ସନ୍’ ଜରିଆରେ ତାମିଲନାଡୁରୁ ଆୟ ହୋଇଛି ୧୧.୭ କୋଟି ଓ ତେଲୁଗୁ ‘ଭର୍ସନ୍’ ଜରିଆରେ ଆୟ ହୋଇଛି ୧.୧ କୋଟି ଟଙ୍କା।
ଏହି ଅବସରରେ ଗୋଟାଏ କମ୍ପାନି ଜାରି କରିଥିବା ‘ଛୁଟି ଘୋଷଣା’ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ସେଥିରେ ଉଲ୍ଲେଖ ଅଛି ଯେ, ମାନବ ସମ୍ବଳ ବିଭାଗରେ ଗଦା ହୋଇଥିବା ଛୁଟି ଦରଖାସ୍ତ ମଞ୍ଜୁରି ଏଡ଼ାଇବା ପାଇଁ କମ୍ପାନି ଏହି ଛୁଟି ଘୋଷଣା କରିଛି। ଏହାଛଡ଼ା, ଆମେ କର୍ମଚାରୀମାନଙ୍କୁ ଉକ୍ତ ଚଳଚ୍ଚିତ୍ର ଦେଖିବା ଲାଗି ମାଗଣାରେ ଟିକେଟ୍ ବଣ୍ଟନ କରିଛୁ।
ଉଲ୍ଲେଖଯୋଗ୍ୟ, ୨ ବର୍ଷର ବ୍ୟବଧାନ ପରେ ରଜନୀକାନ୍ତଙ୍କୁ ଚଳଚ୍ଚିତ୍ର ‘ଜେଲର୍’ ମାଧ୍ୟମରେ ପୁଣି ଥରେ ସିନେମା ପର୍ଦାରେ ଦେଖିବାର ସୁଯୋଗ ମିଳିଛି। ଏଥିରେ ସେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଚରିତ୍ରରେ ଅଭିନୟ କରିଛନ୍ତି।