ପରଲୋକରେ ବେଣୁ ମାଧବ, ଓଡ଼ିଆ ଦର୍ଶକଙ୍କୁ ମଧ୍ୟ ହସାଇଥିଲେ ଏହି ତେଲୁଗୁ ହାସ୍ୟାଭିନେତା

ହାଇଦ୍ରାବାଦ: ଚିକିତ୍ସାଧୀନ ଅବସ୍ଥାରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ହାସ୍ୟ କଳାକାର ବେଣୁ ମାଧବଙ୍କର ପରଲୋକ ହୋଇଯାଇଛି | ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିବାବେଳେ ତାଙ୍କୁ ଆଇସିୟୁର ଭେଣ୍ଟିଲେଟରରେ ରଖାଯାଇଥିଲା | କିନ୍ତୁ ଆଜି ଦିନ ୧୨ଟା ୨୦ ସମୟରେ ବେଣୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ | ଏହି ୩୯ ବର୍ଷୀୟ କଳାକାର ବହୁ ଦିନ ଧରି ଯକୃତ ଓ ବୃକକ ଜନିତ ରୋଗରେ ପୀଡିତ ଥିଲେ | ତେଲେଙ୍ଗାନାରେ କୋଡେଡରେ ଜନ୍ମଗ୍ରହଣ କରିଥିବା ବେଣୁ ମାଧବ ଜଣେ ସଫଳ ହାସ୍ୟ କଳାକାର ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ |

ତେବେ ଓଡ଼ିଆ ଦର୍ଶକଙ୍କ ମଧ୍ୟରେ ବି ସେ ବେଶ ଲୋକପ୍ରିୟ ହୋଇପାରିଥିଲେ | ତେଲୁଗୁ ଫିଲ୍ମର ଓଡ଼ିଆ ଡବିଙ୍ଗ ରେ ଓଡ଼ିଆ ଦର୍ଶକମାନେ ତାଙ୍କ ଅଭିନୟକୁ ବେଶ ପସନ୍ଦ ମଧ୍ୟ କରିଛନ୍ତି | ଫିଲ୍ମ ‘ସମ୍ପ୍ରଦାୟ’ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ବେଣୁ ଖୁବ କମ ସମୟ ମଧ୍ୟରେ ଦର୍ଶକଙ୍କ ଭଲ ପାଇବା ପାଇଥିଲେ |

ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରହିଟ ଅଭିନେତା ରବି ତେଜା ଓ ବ୍ରହ୍ମନନ୍ଦମଙ୍କ ସହ ତାଙ୍କ କମେଡି ଅଭିନୟ ସମସ୍ତଙ୍କୁ ବେଶ ପସନ୍ଦ ଆସିଥିଲା | ତେବେ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ବେଣୁ ମାଧବ କିଛି ଦିନ ହେଲା ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୁରେଇ ରଖିଥିଲେ | ଏହାପରେ ସେ ରାଜନୀତିରେ ପାଦ ଥାପିଥିଲେ | ଗତ ନିର୍ବାଚନରେ ସେ ତେଲୁଗୁ ଦେଶମ ପାର୍ଟିରେ ଯୋଗ ଦେଇ ପ୍ରଚାର କରିଥିଲେ |

ସମ୍ବନ୍ଧିତ ଖବର