ନୂଆଦିଲ୍ଲୀ: ଭାବିଜୀ ଘର ପର ହେଁରେ ମଲଖାନର ଲୋକପ୍ରିୟ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଦୀପେଶ ଭାନଙ୍କ ଦେହାନ୍ତ ହୋଇଛି। ଦୀପେଶ ଭାନ ମଲଖାନ ଚରିତ୍ରରେ ନଜର ଆସି ଲୋକଙ୍କ ମନୋରଞ୍ଜନ କରିଥିଲେ। ଏଭଳି ପରିସ୍ଥିତିରେ ଦୀପେଶଙ୍କ ଆକସ୍ମିକ ଦେହାନ୍ତ ଖବର ପାଇ ପ୍ରଶଂସକ ତଥା ଟିଭି ତାରକାମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମାତ୍ର ୪୧ବର୍ଷ ବୟସରେ ଦୀପେଶ ଭାନ ଏହି ଦୁନିଆରୁ ବିଦାୟ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଅଭିନେତା ଶୁକ୍ରବାର କ୍ରିକେଟ୍ ଖେଳିବାକୁ ଯାଇଥିଲେ, ଯେଉଁଠାରେ ସେ ଖେଳୁଥିବା ସମୟରେ ହଠାତ୍ ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ସୋ’ର ସହ ନିର୍ଦ୍ଦେଶକ ଏହି ଖବରକୁ ସତ୍ୟ ବୋଲି ନିଶ୍ଚିତ କରି ଅଭିନେତାଙ୍କ ଏଭଳି ଆକସ୍ମିକ ମୃତ୍ୟୁକୁ ନେଇ ଶୋକପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଅନେକ ତାରକାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସହ ନିର୍ଦ୍ଦେଶକଙ୍କ ସହ ଦିପେଶଙ୍କ ସହ-ଅଭିନେତା ଥିବା ବୈଭବ ମାଥୁର ମଧ୍ୟ ତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି।
ସେ ଲେଖିଛନ୍ତି, ହଁ, ସେ ଆଉ ନାହାଁନ୍ତି। ମୁଁ ଏହା ଉପରେ କିଛି କହିବାକୁ ଚାହେଁ ନାହିଁ, କାରଣ କହିବାକୁ କିଛି ବାକି ନାହିଁ। ଏଥି ସହ ଟିଭି ଅଭିନେତ୍ରୀ କବିତା କୌଶିକ ମଧ୍ୟ ଦୀପେଶ ଭାନଙ୍କ ମୃତ୍ୟୁକୁ ନେଇ ପରିବାରକୁ ସମବେଦନା ଜଣାଇଛନ୍ତି। ଦୀପେଶ ବିବାହିତ ଥିବା ବେଳେ ତାଙ୍କର ଜଣେ ୧ବର୍ଷର ପୁଅ ଅଛନ୍ତି।