ପ୍ରେମ ନାମରେ ହୋଟେଲ୍‌କୁ ନେଇ ଫଟୋ ଉଠାଇଲେ; ପରେ ସେସବୁକୁ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ କଲେ

ଗୁରୁଗ୍ରାମ: ସୋସିଆଲ୍‌ ମିଡିଆରେ ୧୩ ବର୍ଷୀୟା ଜଣେ ନାବାଳିକାଙ୍କର ଆପତ୍ତିଜନକ ‌ଫଟୋ ପୋ‌ଷ୍ଟ୍‌ କରିବା ସହ ଉକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଭୋଜପୁରି କଣ୍ଠଶିଳ୍ପୀ ଗିରଫ ହୋଇଛନ୍ତି। ଅଭିଯୁକ୍ତ ଜଣକ ହେଉଛନ୍ତି ବିହାରର ଅଭିଷେକ। ତାଙ୍କୁ ୨୧ ବର୍ଷ ବୟସ। ଅଭି‌ଷେକଙ୍କୁ ଲୋକେ ଭୋଜପୁରି କଣ୍ଠଶିଳ୍ପୀ ବାବୁଲି ବିହାରି ଭାବେ ଜାଣନ୍ତି। ୟୁଟ୍ୟୁବ୍‌ରେ ତାଙ୍କର ୨୭ ହଜାର ଫଲୋୟର୍ସ ଅଛନ୍ତି।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମଳିଛି ଯେ ଦୁଇ ବର୍ଷ ତଳେ ଅଭିଯୁକ୍ତ ପୀଡ଼ିତାଙ୍କ ସହ ବନ୍ଧୁତା କରିଥିଲେ। ପରସ୍ପରଙ୍କ ସହ ଘନିଷ୍ଠତା ବଢ଼ିବା ପରେ ଅଭିଯୁକ୍ତ ପୀତିତାଙ୍କୁ ନେଇ ଏକ ହୋଟେଲ୍‌ ରୁମ୍‌କୁ ଯାଇଥିଲେ। ସେଠାରେ ସେ ତାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କର କିଛି ଆପତ୍ତିଜନକ ଫଟୋ ଉଠାଇଥିଲେ।

ଏହି ଘଟଣା ପରେ ନାବାଳିକା ଜଣକ ଅଭିଯୁକ୍ତଠାରୁ ଦୂରେଇ ଯିବା ସହ ଏ ବିଷୟରେ କାହାକୁ କହିନଥିଲେ। ମାତ୍ର କିଛି ଦିନ ତଳେ ଅଭିଯୁକ୍ତ ନାବାଳିକାଙ୍କ ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌‌ରେ ପୋଷ୍ଟ୍‌ କରିଥିବା ଦେଖିବାକୁ ମିଳିଥିଲା।

ଫଟୋ ଦେଖିବା ପରେ ପରିବାର ଲୋକ ନାବାଳିକାଙ୍କୁ ପଚାରିବାରୁ ସେ ସବୁ ସତ କଥା ମାନି ଯାଇଥିଲେ। ତାପରେ ପରିବାର ଲୋକ ନିଜ ଝିଅକୁ ନେଇ ପୁଲିସ୍‌ର ଦ୍ବାରସ୍ଥ ହୋଇଥିଲେ।

ପୀଡ଼ିତାଙ୍କୁ ପଚରା ଉଚରା କରିବା ପରେ ପୁଲିସ୍‌ ପକ୍ସୋ ଆଇନ୍‌ ଅଧୀନରେ ଅଭିଯୁକ୍ତଙ୍କ ନାମରେ ଏକ ମାମଲା ରୁଜୁ କରିଛି। ଏହି ଘଟଣାର ଦତନ୍ତ ଏବେ ପୁଲିସ୍‌ ଆରମ୍ଭ କରିଛି। ଏତଲା ଦାୟର ହେବାର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୁଲିସ୍‌ ସୂଚନା ଦେଇଛି।

ସମ୍ବନ୍ଧିତ ଖବର