ଭୁଜ୍ ବନାମ ଶେର୍‌ଶାହ

ନୂଆ ଚଳଚ୍ଚିତ୍ର ‘ଭୁଜ୍‌: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ ଅଗଷ୍ଟ ୧୩ ତାରିଖରେ ମୁକ୍ତିଲାଭ କରିବ। ଏହା ଏକ ଦେଶପ୍ରେମ ଆଧାରିତ କାହାଣୀ। ଏଥିରେ ମୁଖ୍ୟ ନାୟକ ସାଜିଛନ୍ତି ଅଜୟ ଦେବଗନ୍। ଏଥିରେ ଅଜୟଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ନୋରା ଫତେହୀ, ଶରଦ କେଲ୍‌କର ଓ ଆମ୍ମି ବିର୍କଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସୀମାରେ ଭାରତୀୟ ସେନାନୀଙ୍କ ଦ୍ବାରା ବ୍ୟବହୃତ ଏକ ଏୟାର୍ ବସ୍‌କୁ ପାକିସ୍ତାନୀ ସେନା ବମ୍‌ ପକାଇ ଚୂରମାର କରିଦେଇଥିଲେ। ଏହି ଏୟାର୍ ବସ୍‌କୁ ସଜାଡ଼ିବା ପାଇଁ ଅନ୍ୟୂନ ତିନି ଶହ ଭାରତୀୟ ମହିଳା କେମିତି କାମରେ ଲାଗି ପଡ଼ିଥିଲେ, ତାହା ‘ଭୁଜ୍’ ଚଳଚ୍ଚିତ୍ରରେ ପ୍ରତିଫଳିତ ହୋଇଛି। ଅଜୟ ଦେବଗନ ଏଥିରେ ସ୍କ୍ବାଡ୍ରନ୍ ଲିଡର୍ ଭିଜୟ କାର୍ଣ୍ଣିକ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ପ୍ରଡକ୍ସନ୍ ହାଉସ୍ ପକ୍ଷରୁ ପ୍ରସ୍ତୁତ ‘ଭୁଜ୍: ଦ ପ୍ରାଇଡ୍ ଅଫ୍‌ ଇଣ୍ଡିଆରେ ଅଜୟଙ୍କ ସହ ସୋନାକ୍ଷୀ ଥିବାରୁ ଦର୍ଶକଙ୍କ ଭିତରେ ଉତ୍ସାହ ଦେଖାଦେଇଛି।

କାରଗିଲ୍‌ ହିରୋ କ୍ୟାପଟେନ୍ ବିକ୍ରମ ବାତ୍ରାଙ୍କ ସାହିସିକତାର କାହାଣୀ ଉପରେ ପର୍ଯ୍ୟବସିତ ହିନ୍ଦୀ ଚଳଚ୍ଚିତ୍ର ‘ଶେର୍‌ଶାହ’। ଚଳିତ ମାସ ୧୨ ତାରିଖରେ ଏହା ମୁକ୍ତିଲାଭ କରିବ। ୧୯୯୯ରେ କାରଗିଲ୍ ଯୁଦ୍ଧରେ ଶତ୍ରୁପକ୍ଷର ସୈନ୍ୟମାନଙ୍କ ସହ ଦୀର୍ଘ ସମୟ ଧରି ମୁହାଁମୁହିଁ ଲଢ଼େଇ କରିଥିବା ସେଠାକାର ସେନାନୀର କ୍ୟାପ୍‌ଟେନ୍ ଥିବା ବିକ୍ରମ ବାତ୍ରା ଶେଷରେ ଯୁଦ୍ଧଭୂଇଁରେ ନିହତ ହେଇଥିଲେ। ତାଙ୍କ ପରାକ୍ରମ ଓ ବଳିଦାନ ପାଇଁ ତାଙ୍କୁ ଏ ଦେଶର ମର୍ଯ୍ୟାଦାଜନକ ଆଜାଦି ପୁରସ୍କାର ‘ପରମବୀରଚକ୍ର’ ଉପାଧି ପ୍ରଦାନ କରାଯାଇଥିଲା। ଉକ୍ତ ଚଳଚ୍ଚିତ୍ରରେ ସହିଦ ବିକ୍ରମ ବାତ୍ରା ଚରିତ୍ରରେ ଅବତୀର୍ଣ୍ଣ ହେଇଛନ୍ତି ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା। ସିଦ୍ଧାର୍ଥଙ୍କ ସହ ନାୟିକା ଭୂମିକାରେ ଅଛନ୍ତି ‘ଧୋନି: ଦ ଆନ୍‌ଟୋଲ୍‌ଡ ଷ୍ଟୋରି’ ଫେମ୍ ଅଭିନେତ୍ରୀ କିଆରା ଆଡଭାନୀ। ଏଥିରେ ସିଦ୍ଧାର୍ଥ ଓ ଅନ୍ୟ ପ୍ରମୁଖ ଚରିତ୍ରମାନେ ସୁଟିଂସେଟ୍‌ରେ ବେଶ୍ ବିପଜ୍ଜନକ ପରିସ୍ଥିତିରେ ନିଜ ନିଜର କୁଶଳୀ ଓ ସାହସୀ ଚରିତ୍ରକୁ ନିର୍ବାହ କରିଛନ୍ତି। ସ୍ବାଧୀନତା ଦିବସ ଅବସରରେ ସିଦ୍ଧାର୍ଥଙ୍କ ଏଇ ପରାକ୍ରମୀ ଅଭିନୟ ଦେଖିବାକୁ ଦର୍ଶକ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି।

ସମ୍ବନ୍ଧିତ ଖବର