ମୁମ୍ବାଇ: ସବୁଠୁ ବଡ଼ ଫ୍ଲପ ସାବ୍ୟସ୍ତ ହେଲା ବଲିଉଡ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ଭୂମି ପେଡନେକରଙ୍କ ଫିଲ୍ମ 'ଦି ଲେଡି କିଲର'। ଏହି ଚଳଚ୍ଚିତ୍ରଟି ଅଜୟ ବହଲଙ୍କ ଦ୍ୱାରା ୨୦୨୩ ମସିହାରେ ନିର୍ମିତ ହୋଇଥିଲା | ୪୫କୋଟି ଟଙ୍କାରେ ନିର୍ମିତ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ମାତ୍ର ୬୦ହଜାର ଟଙ୍କା ଆୟ କରିଥିଲା। କେବଳ ଏତିକି ନୁହେଁ, ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରିଲିଜ୍ ଦିନ ସାରା ଦେଶରେ କେବଳ ୨୯୩ ଟିକେଟ୍ ବିକ୍ରି ହୋଇଥିଲା |
ଜାତୀୟ ଗଣମାଧ୍ୟମ ଲାଇଭମିଣ୍ଟ ଅନୁଯାୟୀ, ବକ୍ସ ଅଫିସରେ ଫିଲ୍ମର ଏହି ଅବସ୍ଥା ଦେଖି କିଛି ଓଟିଟି ପ୍ଲାଟଫର୍ମ ଏହାର ରାଇଟ୍ସ କିଣିବାକୁ ମନା କରିଦେଇଥିଲେ। ଏହି ଚଳଚ୍ଚିତ୍ର ଟି-ସିରିଜ୍ ବ୍ୟାନରରେ ନିର୍ମିତ ହୋଇଥିଲା ଏବଂ ପ୍ରଥମେ ନେଟଫ୍ଲିକ୍ସରେ ମୁକ୍ତିଲାଭ ପାଇଁ ଚୁକ୍ତି ହୋଇଥିଲା | କିନ୍ତୁ ପ୍ରଦର୍ଶନ ଖରାପ ହେବାରୁ ଏହା ନେଟଫ୍ଲିକ୍ସରେ ରିଲିଜ୍ ହୋଇପାରିଲା ନାହିଁ |
ସମସ୍ତ ଡିଜିଟାଲ୍ ପ୍ଲାଟଫର୍ମ, ଫିଲ୍ମର ରାଇଟ୍ସ କିଣିବାକୁ ମନା କରିବା ପରେ ନିର୍ମାତାମାନେ ଏହାକୁ ସେପ୍ଟେମ୍ବର ୨୦୨୪ରେ ୟୁଟ୍ୟୁବରେ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଥିଲେ | ପ୍ରେକ୍ଷାଳୟରେ ଭଲ ଆୟ କରିନଥିଲେ ବି ଚଳଚ୍ଚିତ୍ରଟି ୟୁଟ୍ୟୁବରେ ପ୍ରଶଂସା ସାଉଁଟୁଛି | ଏହି ଚଳଚ୍ଚିତ୍ରକୁ ମାତ୍ର ଗୋଟିଏ ମାସ ମଧ୍ୟରେ ୨.୫ ମିଲିୟନ୍ ଲୋକ ଦେଖିସାରିଲେଣି। ଲୋକମାନେ କେବଳ ଫିଲ୍ମର କାହାଣୀକୁ ପସନ୍ଦ କରୁନାହାନ୍ତି ବରଂ ଅର୍ଜୁନ କପୁର ଏବଂ ଭୂମିଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରୁଛନ୍ତି |