ମିସନ୍ ସଂଜିବନୀର ସାରଥୀ ଭୂମିକା

କରୋନା ମହାମାରୀ ସମୟରେ ସମାଜ ପ୍ରତି ନିଜ ଦାୟିତ୍ବବୋଧକୁ ହୃଦୟଙ୍ଗମ କରି ଓଡ଼ିଶାର ଜଣାଶୁଣା ମିଡିଆ ପ୍ଲାନର୍ ପ୍ରଣୟ ଜେଠୀ ଆଗେଇ ଆସିଛନ୍ତି। ‘ମିସନ୍ ସଂଜିବନୀ’ ମାଧ୍ୟମରେ ସାଧାରଣ ଲୋକଙ୍କ ମନରେ ବିଶ୍ୱାସ, ଆଶ୍ୱାସନା ଓ ବଂଚିବାର ରାହା ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି। ଏହି ଧାରାରେ ସାମିଲ ହୋଇଛନ୍ତି ସିନେ କଳାକାର ସାମ୍ବାଦିକ ଓ ଡାକ୍ତର। ପ୍ରଥମ ପର୍ଯ୍ୟାୟରେ ଅଭିନେତ୍ରୀ ଭୂମିକା ଦାସ କରୋନା ମହାମାରୀ ଭଳି ଦୁର୍ଦ୍ଦିନରେ ଲୋକଙ୍କୁ ନିଜର ବାର୍ତ୍ତା ଜରିଆରେ ଲଢେଇ ଜାରି ରଖିବାକୁ ଆହ୍ୱାନ ଦେଇଛନ୍ତି। ମହାମାରୀରେ କରୋନା ଯୋଦ୍ଧା ଭାବେ ଛିଡ଼ା ହୋଇଥିବା ପୁଲିସ, ପ୍ରଶାସନ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅକ୍ଳାନ୍ତ ପରିଶ୍ରମକୁ ସେ ସମ୍ମାନ ଜଣାଇଛନ୍ତି। ପରସ୍ପରକୁ ସହାୟତା କରିବା ସହ ସମସ୍ତ ସତର୍କତା ଅବଲମ୍ବନ କରି କରୋନାଠାରୁ ଦୂରେଇ ରହିବାକୁ ସେ ଅନୁରୋଧ କରିଛନ୍ତି।

ସୋସିଆଲ ମିଡିଆରେ ଘୂରି ବୁଲୁଥିବା ମିଥ୍ୟା ଗୁଜବକୁ ବିଶ୍ୱାସ ନ କରି ମାନବିକତାକୁ ଅଗ୍ରାଧିକାର ଦେବାକୁ ସେ କହିଛନ୍ତି। ସେ ନିଜେ ଜଣେ ଡାକ୍ତରୀ ଛାତ୍ରୀ ହୋଇଥିବାରୁ ଡାକ୍ତରଙ୍କ ବଳିଦାନକୁ ଅଣଦେଖା ନ କରିବାକୁ ସାଧାରଣ ଲୋକଙ୍କ ନିକଟରେ ନିବେଦନ କରିଛନ୍ତି। ସରକାରଙ୍କ ଦ୍ୱାରା ପ୍ରଦତ୍ତ କରୋନା କଟକଣାକୁ ମାନି ଚଳିବା ଓ ଅମାନିଆଙ୍କୁ ବୁଝାଇବା ମଧ୍ୟ ଆମ କର୍ତ୍ତବ୍ୟ ବୋଲି ସେ କହିଛନ୍ତି। କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହ ତାଙ୍କ ବଳିଦାନ ଓ ଅବଦାନକୁ ଅଭିନେତ୍ରୀ ଭୂମିକା ସାଲ୍ୟୁଟ୍ କରିଛନ୍ତି।

ସମ୍ବନ୍ଧିତ ଖବର