ଶିଶୁ କଳାକାରରୁ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିବା ଅଭିନେତ୍ରୀ ଭୂମିକା ନୂଆ ଓଡ଼ିଆ ଫିଲ୍ମ ‘ଅପରେସନ୍ ୧୨/୧୭’ରେ ପ୍ରଥମଥର ପାଇଁ ମା’ ଭୂମିକାରେ ଦର୍ଶକମାନଙ୍କ ସମ୍ମୁଖକୁ ଆସୁଛନ୍ତି। ତେବେ ଏକ ଗୀତର ସୁଟିଂ ସେଟ୍ରୁ ଭୂମିକାଙ୍କର ଲୁକ୍ ଲିକ୍ ହେବାପରେ ଅଲଗା ଅନେକ ତଥ୍ୟ ଜଣାପଡ଼ିଛି। ସେ ରୋମାଣ୍ଟିକ୍ ଗୀତଟିର ସୁଟିଂ କଶ୍ମୀରରେ ହୋଇଛି। ଗୀତଟିକୁ ହ୍ୟୁମାନ୍ ସାଗର ଓ ଅନନ୍ୟା ଶ୍ରୀତମ ନନ୍ଦ ଗାଇଥିବା ବେଳେ ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ବୋଧହୁଏ କୌଣସି ଓଡ଼ିଆ ଫିଲ୍ମର ସୁଟିଂ କାଶ୍ମୀରରେ ହେବା ଇଏ ପ୍ରଥମ ଘଟଣା।
ଫିଲ୍ମଟି ଏକ ସତ୍ୟ ଘଟଣା ଉପରେ ଆଧାରିତ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଦାବି କରାଯାଉଛି। ଏ କାହାଣୀ ସମସ୍ତଙ୍କୁ ନିଶ୍ଚୟ ଭଲ ଲାଗିବ ଏବଂ ଓଡ଼ିଆ ସିନେମାରେ ଏକ ପରିବର୍ତ୍ତନ ଆଣିବ ବୋଲି ପ୍ରଯୋଜନା ସଂସ୍ଥା ଜୋର୍ ଦେଇ କହିଛି। ଜଣାଶୁଣା ନିର୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦେଶିତ ଏ ଫିଲ୍ମର ପୋଷ୍ଟ୍ ପ୍ରଡକ୍ସନ୍ କାମ ଚାଲିଛି ଏବଂ ମାର୍ଚ୍ଚ ମାସରେ ଏହାକୁ ରିଲିଜ୍ କରିବାର ଲକ୍ଷ୍ୟ ରଖାଯାଇଛି। ଶୁଭ୍ରା ପଟ୍ଟନାୟକ ଫିଲ୍ମଟିର ପ୍ରଯୋଜନା କରିଥିବା ବେଳେ ଦ୍ବିପାୟନ ପଟ୍ଟନାୟକଙ୍କର କାହାଣୀରେ ସଂଳାପ ରଚନା କରିଛନ୍ତି ଦିଲ୍ଲୀପ ଚୌଧୁରୀ। ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ବୈଦ୍ୟନାଥ ଦାଶ ଓ ଲାଇନ୍ ପ୍ରଡ୍ୟୁସର ଅଛନ୍ତି ଅମର ମହାପାତ୍ର। ପ୍ରଚାର ପ୍ରସାର ଦାୟିତ୍ୱରେ ପ୍ରଣୟ ଜେଠୀ ରହିଛନ୍ତି।
ଏହି ଫିଲ୍ମରେ ଅଭିନେତା ଶ୍ରେୟାନ ଜଣେ ଆର୍ମି ଅଫିସର ଭାବେ ଅଭିନୟ କରୁଥିବା ବେଳେ ତାଙ୍କ ଧର୍ମପତ୍ନୀ ଭାବେ ଭୂମିକା ଅଭିନୟ କରିଛନ୍ତି। ଅନ୍ୟାନ୍ୟ କଳାକାରଙ୍କ ମଧ୍ୟରେ ଅଛନ୍ତି ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ଅମର ମହାପାତ୍ର, ଦୁଷ୍ମନ୍ତ, ପଙ୍କଜ ମହାନ୍ତି, ଲୋପାମୁଦ୍ରା, ଚିନ୍ମୟୀ, ସୋନାଲୀ, କୈଳାସ ପାଣିଗ୍ରାହୀ, ସୁଜାତା ଏବଂ ଶିଶୁ କଳାକାର ସାନ୍ଭୀ, କିଆରା ଓ କୋମଲ୍ ପ୍ରମୁଖ।