ଛୋଟ ପରଦାରେ ‘ବିବାହ ମହୋତ୍ସବ’

ଏକାବେଳେ ତିନିଟି ମେଗା ଧାରାବାହିକର ହେଉଛି ମହାମିଳନ। ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’ ଏବଂ ‘ଖୁସିର ଛୁଙ୍କ’କୁ ନେଇ ଚାଲିଛି ବିବାହ ମହୋତ୍ସବ। ଏ ବିବାହ ଋତୁରେ ମଧ୍ୟ ‘ଦିଦି ନଂ -୧’ ଏବଂ ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ’ ଦର୍ଶକ ଦେଖିବାକୁ ପାଇବେ। ଜୀ ସାର୍ଥକରେ ପ୍ରତି ସନ୍ଧ୍ୟାରେ ଏହା ପ୍ରସାରିତ ହେଉଛି।

ପରିସ୍ଥିତିର ଦାସ ଏ ମଣିଷ ବିଭିନ୍ନ ପରିସ୍ଥିତିର ସାମ୍ନା କରୁଛି। ହାତ ଧରି ସାଥି କରିଥିବା ମଣିଷ ବାଧ୍ୟ ହୋଇ ଅନ୍ୟ ଜଣଙ୍କୁ ସାଥି କରୁଛି। ଆଉ ସେ ସମୟରେ କ’ଣ ଘଟୁଛି? କେମିତି ଆଗକୁ ଯାଉଛି ସମ୍ପର୍କର ନାଆ? କାହାଣୀ ‘ସୁନା ଝିଅ’ରେ ଆସିଛି ଅଦ୍ଭୁତ ପରିବର୍ତ୍ତନ। ସୁନା ଝିଅ ପ୍ରିୟା ଯାହାର ଇଚ୍ଛା ଭବିଷ୍ୟତରେ ଜଣେ ବିଡିଓ ହୋଇ ନିଜ ମା’କୁ ଗର୍ବିତ କରିବ। ଏବେ କାହାଣୀରେ ବିଷ୍ଣୁ ପ୍ରେମିକା ନେତ୍ରା ବଦଳରେ ପ୍ରିୟାକୁ ସିନ୍ଦୁର ପିନ୍ଧେଇ ଦେଉଛି। ହେଲେ ପ୍ରିୟା କ’ଣ ବିଷ୍ଣୁକୁ ସ୍ବାମୀ ଭାବରେ ଗ୍ରହଣ କରିବ?

ସେମିତି ‘ତୁ ଖରା ମୁଁ ଛାଇ’ ଧାରାବାହିକର ମାନିନୀର କାହାଣୀକୁ ନେଇ ପର୍ଯ୍ୟବସିତ। ମାନିନୀ ଏମିତି ଏକ ଚରିତ୍ର ଯୁଆଡ଼େ ଯାଉଛି ସେ କିଛି ନା କିଛି ବିଗାଡ଼ି ଦେଉଛି। ନାୟକ ଅଭିମନ୍ୟୁଙ୍କୁ ସବୁକିଛି ଶୃଙ୍ଖଳା ଦରକାର। କିନ୍ତୁ କାହାଣୀରେ ଘଟୁଛି ପରିବର୍ତ୍ତନ। ଏଜେକୁ ବାହା ହେବା ପାଇଁ ଈଶିତା ପ୍ରସ୍ତୁତ, ହେଲେ ଠିକ୍ ସମୟରେ ମିଲନ୍‌ କିଡ୍‌ନାପ୍ କରୁଛି ସିଦ୍ଧିକୁ, ଆଉ ତା’ଭଉଣୀ ମାନିନୀକୁ ବାଧ୍ୟ କରୁଛି ଏଜେକୁ ବାହା ହେବା ପାଇଁ। ନ ହେଲେ ସେ ସିଦ୍ଧିକୁ ମାରିଦେବା ପାଇଁ ଧମକ ଦେଉଛି। ଏବେ ମାନିନୀ କ’ଣ କରିବ? ବାଧ୍ୟ ହୋଇ ଦୁଇ ଜଣ ବାହା ହେଉଛନ୍ତି କିନ୍ତୁ ପରେ ଦୁଇଜଣ ଏକାଠି ରହିପାରିବେ ତ!

‘ଖୁସିର ଛୁଙ୍କ’ ଏକ ଗତିଶୀଳ କାହାଣୀ। ଏହା ଭିତରେ କରନ୍ ଖୁସି ପ୍ରତି ଥିବା ନିଜ ଭଲ ପାଇବାର କଠିନ ପରୀକ୍ଷା ଦେଉଛି। ପରେ ସୂର୍ଯ୍ୟକାନ୍ତ ଘୋଷଣା କରୁଛନ୍ତି କରନ୍ ଓ ଖୁସିର ବିବାହ ତାରିଖ। ହେଲେ ବିବାହ ଦିନ ସୁଷମାର ଷଡ଼ଯନ୍ତ୍ରରେ ଅନ୍ୟ ଜଣେ ଝିଅ ଆସି ନିଜକୁ କରନ୍‌ର ସ୍ତ୍ରୀ ବୋଲି ଦାବି କରୁଛି। ଦୁର୍ଘଟଣା ପରେ କରନ୍ ସ୍ମରଣ ଶକ୍ତି ହରେଇଥିବା ଯୋଗୁଁ ନିଜ ସ୍ତ୍ରୀକୁ ଭୁଲିଯାଉଛି। ଏସବୁ ଘଟଣା ପରେ ସୁଷମାଙ୍କ ପରାମର୍ଶରେ ସୂର୍ଯ୍ୟକାନ୍ତ ଖୁସିର ବିବାହ ରଜତ ସହ କରିବାକୁ ନିଷ୍ପତ୍ତି ନେଉଛନ୍ତି। ଏମିତି କିଛି ଘଟଣାକୁ ନେଇ କାହାଣୀ ଗତିଶୀଳ ହେଉଛି। କ’ଣ ଅଲଗା ହୋଇଯିବେ ଖୁସି ଓ କରନ୍‌? ଖୁସି କ’ଣ ରାଜି ହେବ ରଜତକୁ ବାହା ହେବା ପାଇଁ?

ସମ୍ବନ୍ଧିତ ଖବର