ଆଖିରୁ ଲୁହ ଝରାଇବା ପରି ଚିଠିଟିଏ: ପୁତ୍ର ଅଭିଷେକଙ୍କ ଜନ୍ମଦିନରେ ଏମିତି କ’ଣ ଲେଖିଲେ କି ବିଗ୍‌ ବି?

ମୁମ୍ବାଇ: ବଲିଉଡ୍‌ ଅଭିତେନା ଅଭିଷେକ ବଚ୍ଚନ ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ସେ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ କନ୍ୟା ଆରାଧ୍ୟାଙ୍କ ସହ ଜନ୍ମଦିନ ମନେଇବା ପାଇଁ ଅଷ୍ଟ୍ରେଲିଆରେ ଥିବା ବେଳେ ପୁତ୍ରକୁ ଜନ୍ମଦିନ ଶୁଭେଚ୍ଛ ଜଣାଇ ଅମିତାଭ ବଚ୍ଚନ ଯେଉଁ ପତ୍ର ଲେଖିଛନ୍ତି ତାହା ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଲୋକପ୍ରିୟ ହୋଇଛି। ବିଗ୍‌ ବି ପୁଅ ଅଭିଙ୍କୁ ମନେ ପକାଇ ତାଙ୍କ ବ୍ଲଗ୍‌ରେ ଏକ ଭାବପ୍ରବଣ ପୋଷ୍ଟ୍‍ ଲେଖିଛନ୍ତି। ସେ ଉକ୍ତ ବ୍ଲଗ୍‌ରେ ନିଜ ପୁଅର ଛୋଟ ଛୋଟ କଥା ସବୁ ଲେଖି ପୁୁରୁଣା ଦିନକୁ ତାଜା କରି ଦେଇଛନ୍ତି। କିପରି ସୁଟିଂ ସେଟ୍‌ରେ ପୁଅ ଅଭିଷେକ ବାପାଙ୍କ ଅଭିନୟ ଦେଖିବାକୁ ଉପସ୍ଥିତ ରହୁଥିଲେ, ସେ ସବୁକୁ ବର୍ଣ୍ଣନା କରି ବିଗ୍‌ ବି ଏକ ଦୀର୍ଘ ପୋଷ୍ଟ୍‍ ଲେଖିଛନ୍ତି।

 

ବିଗ୍‌ ବି ଯାହା ଲେଖିଛନ୍ତି ତାହାର ସାରାଂସ ହେଉଛି, ‘ଆଜି ବି ମନେ ଅଛି ସୁଟିଂ ସେଟ୍‌ରେ ବସିଥାଏ ଜଣେ କୁନି ବାଳକ। ମୁଣ୍ଡ ବାଳ ମଥାରେ ଅସଜଡ଼ା ଭାବେ ପଡ଼ିଥାଏ। ପାଟିରେ ପଶିଥାଏ ହାତର ଦୁଇଟି ଆଙ୍ଗୁଠି। ନିଜ ବାପାଙ୍କ ଅଭିନୟକୁ ତନଖୁ ଥାଏ, ନିଜର ଆଗାମୀ ଭବିଷ୍ୟତ ପାଇଁ ଏକ୍‌ଦମ୍‌ ଚୁପ୍‌ ଭାବରେ।’ ବିଗ୍‌ ବି ନିଜ ବ୍ଲଗ୍‌ରେ ଆହୁରି ବି ଲେଖିଛନ୍ତି ଯେ ଏତେ ବର୍ଷ ପରେ ବି ତାଙ୍କ ପୁଅ ଅଭିଷେକ ଆଦୌ ବଦଳି ନାହାନ୍ତି। ବାପାଙ୍କ କୋଳରେ ବସିବା ଦିନ ନାହିଁ, ଉଚ୍ଚତା ଟିକେ ବଢ଼ିଯାଇଛି ହେଲେ ସ୍ୱଭାବ ଏବେ ବି ପିଲାପରି ବୋଲି ବିଗ୍‌ ବି ନିଜ ପୁଅଙ୍କ ସଂପର୍କରେ ଲେଖିଛନ୍ତି। ଗୋଟାଏ ଦିନ ଥିଲା ପୁଅ ବାପାର ହାତ ଧରି ବାଟ ଚାଲୁଥିଲା। ହେଲେ ଆଜି ତାହା ବଦଳି ଓଲଟା ହୋଇଛି। ବାପା ପୁଅର ହାତ ଧରି ବାଟ ଚାଲୁଛି ବୋଲି ବିଗ୍‌ ବି କହିଛନ୍ତି।

ସମ୍ବନ୍ଧିତ ଖବର