‘ବିଗ୍ ବସ୍’ରେ ବିଗ୍ ଫାଇଟ୍

ଓଟିଟି ପ୍ଲାଟ୍‌ଫର୍ମରେ ଚାଲିଥିବା ବିଗ୍ ବସ୍ ଘରେ ଦିବ୍ୟା ଅଗ୍ରୱାଲ୍ ଓ ରିଧିମା ପଣ୍ଡିତଙ୍କ ମଧ୍ୟରେ ଚାଲିଛି ବିଗ୍ ଫାଇଟ୍। ଓଟିଟି ପ୍ଲାଟ୍‌ଫର୍ମରେ ଚାଲିଥିଲେ ବି ଟେଲିଭିଜନ୍ ପ୍ଲାଟଫର୍ମ ପରି ଏଥିରୁ ଦର୍ଶକ ଭରପୂର ମଜା ଉଠାଉଛନ୍ତି। କିଛିଦିନ ତଳେ ପ୍ରତୀକ ଶେଜପାଲ ଓ ଦିବ୍ୟା ଅଗ୍ରୱାଲଙ୍କ ମଧ୍ୟରେ ବି ଏମିତି ଖଣ୍ଡଯୁଦ୍ଧ ହେଇଥିଲା। ସମିତା ସେଟ୍ଟୀ ଓ ପ୍ରତୀକ ପରସ୍ପର ଭିତରେ ଏମିତି ଉଚ୍ଚବାଚ ହେଇ ଘରୁ ତଡ଼ା ଖାଇଥିଲେ। ଏଠାରେ ଥିବା ପ୍ରତିଯୋଗୀମାନେ ଶେଷରେ ଦୁଇଟି ଦଳରେ ବିଭକ୍ତ ହେଇଯାଇଥିଲେ। ଚର୍ଚ୍ଚିତ ପ୍ରତିଯୋଗୀ ଜିଶାନ୍ ଖାନଙ୍କୁ ଏହି କାରଣରୁ ପାର୍ଟନର ଉର୍ଫି ଜାଭେଦଙ୍କୁ ଛାଡ଼ି ଦିବ୍ୟା ଅଗ୍ରୱାଲଙ୍କ ସହ ଯୋଡ଼ି ହେବାକୁ ପଡ଼ିଥିଲା। ପରସ୍ପରର ପ୍ରତିଦ୍ବନ୍ଦ୍ବୀ ପ୍ରତୀକ ଶେଜପାଲ ଓ ରାକେଶ ବାପତଙ୍କୁ ‌ନିଜ ଭୁଲ ପାଇଁ କୈଫିୟତ୍ ଦେବାକୁ ପଡ଼ିଥିଲା।

ବିଚାରକ ମଣ୍ଡଳୀ କହିଥିଲେ ନିଜ ନିଜ ଗ୍ରୁପ୍ ପାଇଁ ସେମାନେ ପାର୍ଟନର ପସନ୍ଦ କରନ୍ତୁ। ପ୍ରତୀକ ରିଧିମା-କରନ ଓ ମୋସେ-ନିଶାନ୍ତଙ୍କୁ ବାଛିଥିବା ବେଳେ ରାକେଶ ନେହା-ମିଲିନ୍ଦ ଓ ଦିବ୍ୟା-ଜିଶାନଙ୍କୁ ନିଜ ପକ୍ଷକୁ ନେଇଥିଲେ। ପ୍ରତିଯୋଗୀମାନଙ୍କୁ ଗୋଟିଏ ଟାସ୍କ ଦିଆଯାଇଥିଲା ଯେ ସୋ’ ଶେଷ ହେବା ପର୍ଯ୍ୟନ୍ତ ସମସ୍ତେ ତାଡ଼ନା ପାଉଥିଲେ ବି ଧୈର୍ଯ୍ୟ ଧରିବେ ଏବଂ ଦୃଢ଼ତାର ସହ ନିଜର ଭୂମିକା ନିର୍ବାହ କରିବେ। ରାକେଶ-ସମିତା ଓ ଦିବ୍ୟା-ନିଶାନ୍ତ ଅନ୍ୟ ଦଳ ଦ୍ବାରା ନିର୍ଯାତନା ପାଇଁ ଧୈର୍ଯ୍ୟ ରଖିଥିଲେ ମଧ୍ୟ ପ୍ରତୀକଙ୍କ ଦଳ ଏହି ସର୍ତ୍ତକୁ ନ ମାନି ଦୋଷୀ ସାବ୍ୟସ୍ତ ହେଇଥିଲେ। ଏମିତି ଅନେକ ଘଟଣା ଘଟିବା ପରେ ଶେଷରେ ଦିବ୍ୟା ନିଜର କ୍ରୋଧ ଓଗାଳିଥିଲେ, ତେଣୁ ରିଧିମା ଦିବ୍ୟାଙ୍କ ପକ୍ଷ ଛାଡ଼ିଦେଲେ। ଅକ୍ଷରା ମଧ୍ୟ ନିଜର ଶାନ୍ତ ଅବସ୍ଥା ହରାଇ ରାଗବଶତଃ ଦିବ୍ୟାଙ୍କୁ କଡ଼ାକଥା କହିଲେ। ଦିବ୍ୟା ପ୍ରତ୍ୟୁତ୍ତରରେ ଅକ୍ଷରାଙ୍କୁ ମଧ୍ୟ ଅସମ୍ମାନିତ କଲେ।

କେବଳ ‘ଭୂଟ୍‌’ ଓଟିଟି ପ୍ଲାଟ୍‌ଫର୍ମରେ ସୋମବାରରୁ ଶନିବାର ସନ୍ଧ୍ୟା ୭ଟାରେ ପ୍ରସାରିତ ହେଉଛି ‘ବିଗ୍ ବସ୍’ ସୋ’। ଦର୍ଶକ ସୋ’ରେ ଆଗକୁ ଆଉ କି ତାମସା ଚାଲୁଛି ଦେଖିପାରିବେ।

ସମ୍ବନ୍ଧିତ ଖବର