ମୁମ୍ବାଇ: ଏସ୍‌. ଏସ୍‌. ରାଜାମୌଲୀଙ୍କ ‘ଆର୍‌ଆର୍‌ଆ୍‌’ (ରୌଦ୍ରମ୍‌ ରଣମ୍ ରୁଧିରମ୍) ଚଳଚ୍ଚିତ୍ରର ‘ନାଟୁ ନାଟୁ’ ଗୀତ ଶ୍ରେଷ୍ଠ ମୌଳିକ ଗୀତ ବର୍ଗରେ ହଲିଉଡ୍‌ର ‌ଅନ୍ୟତମ ସମ୍ମାନଜନକ ପୁରସ୍କାର ‘ଗୋଲ୍‌ଡେନ୍‌ ଗ୍ଲୋବ୍‌ସ୍‌’ ବିଜୟୀ ହୋଇଛି।

Advertisment

ଏହି ଗୀତର ଗୀତିକାର ହେଉଛନ୍ତି କାଳ ଭୈରବୀ ଓ ରାହୁଲ୍‌ ସିପ୍ଲିଗୁଞ୍ଜ ଏବଂ ସ୍ବରସଂଯୋଜକ ହେଉଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ଏମ୍‌. ଏମ୍‌. କୀରାୱାଣୀ।

ଏହି ପୁରସ୍କାର ଗ୍ରହଣ କରିବା ନିମନ୍ତେ ଚଳଚ୍ଚିତ୍ରର ନିର୍ଦେଶକ ଏସ୍‌. ଏସ୍‌. ରାଜାମୌଲୀ ଏବଂ ଅଭିନେତା ଜୁନିୟର୍‌ ଏନ୍‌.ଟି.ଆର୍‌., ରାମ ଚରଣ ଆଦି କାଲିଫର୍ଣ୍ଣିଆ ଗସ୍ତ କରିଥିଲେ। ସେଠରେ ଆୟୋଜିତ ‘ଦି ଗୋଲ୍‌ଡେନ୍‌ ଗ୍ଲୋବ୍‌ସ୍‌ ୨୦୨୩’ (୮୦ତମ) ସମାରୋହରେ ପୁରସ୍କାର ଗ୍ରହଣ କରିବା ଅବସରରେ ରାଜାମୌଲୀ ବିଶ୍ବବ୍ୟାପୀ ସମସ୍ତ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଛନ୍ତି।

‘ଆର୍‌ଆର୍‌ଆର୍‌’ ହେଉଛି ‘ଦି ଗୋଲ୍‌ଡେନ୍‌ ଗ୍ଲୋବ୍‌ସ୍‌’ ଜିଣିବାରେ ପ୍ରଥମ ଭାରତୀୟ ଚଳଚ୍ଚିତ୍ର। ଏହା ମଧ୍ୟ ଶ୍ରେଷ୍ଠ ଅଣ-ଇଂଗ୍ରାଜୀ ଚଳଚ୍ଚିତ୍ର ବର୍ଗରେ ‘ନୋମିନେସନ୍’ ପାଇଛି। ବିଶ୍ବବ୍ୟାପୀ ଏହି ଚଳଚ୍ଚିତ୍ର ପ୍ରାୟ ୧୨୦୦ କୋଟି ଟଙ୍କା ଉପାର୍ଜନ କରି ସାରିଲାଣି।

publive-image Image Courtesy of India Today

ପୁରସ୍କାର ପାଇଁ ମନୋନୀତ ହେବା ପାଇଁ ତାଲିକାରେ ଥିବା ଆଉ ୪ଟି ଗୀତ ସହିତ ‘ନାଟୁ ନାଟୁ’ ଗୀତର ପ୍ରବଳ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଏହି ବର୍ଗରେ ଥିବା ଅନ୍ୟ ଗୀତଗୁଡ଼ିକ ହେଉଛି, ଟେଲର୍‌ ସ୍ବିଫ୍ଟ୍‌ଙ୍କ ‘‌ହ୍ବେୟାର୍‌ ଦି କ୍ରଡ୍ୟାଡ୍‌ ସିଙ୍ଗ୍‌’ ଚଳଚ୍ଚିତ୍ରର  ‘କ୍ୟାରୋଲିନା’, ଗିଲ୍‌ର୍ମୋ ଦେଲ୍‌ ତୋରୋଙ୍କ ‘ପିନୋଚିଓ’ ଚଳଚ୍ଚିତ୍ରର ‘ଚିଆଓ ପାପା’, ଲେଡି ଗାଗାଙ୍କ ‘ଟପ୍‌ ଗନ୍‌: ମ୍ୟାଭେରିକ୍‌’ ଚଳଚ୍ଚିତ୍ରର ‘ହୋଲ୍‌ଡ୍‌ ମାଇଁ ହ୍ୟାଣ୍ଡ୍‌’ ଏବଂ ‘ରିହାନ୍ନାଙ୍କ ‘ବ୍ଲାକ୍‌ ପାନ୍ଥର୍‌: ୱାକାଣ୍ଡା ଫର୍‌ଏଭର୍‌’ ଚଳଚ୍ଚିତ୍ରର ‘ଲିଫ୍ଟ୍‌ ମି ଅପ୍‌’।

ସୂଚନାଯୋଗ୍ୟ, ‘ଆର୍‌ଆର୍‌ଆର୍‌’ ଚଳଚ୍ଚିତ୍ର ହିନ୍ଦୀ, ତାମିଲ୍‌, କନ୍ନଡ଼ ଏବଂ ମାଲାୟାମ୍‌ ଭା‌ଷାରେ ମୁକ୍ତିଲାଭ କରିଥିଲା। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି, ରାମ ଚରଣ ଏବଂ ଜୁନିୟର୍‌ ଏନ୍‌. ଟି.ଆର୍‌.। ତାଙ୍କ ସହିତ ଅଭିନୟ କରିଛନ୍ତି ଶ୍ରୀୟା ଶରଣ, ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନଙ୍କ ଭଳି ଅନେକ ଅଭିନେତା ଓ ଅଭିନେତ୍ରୀ।