ମୁମ୍ବାଇ: 'ବିଗ୍ ବସ୍ ୧୬' ଆରମ୍ଭ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦର୍ଶକ 'ବିଗ୍ ବସ୍'କୁ ଅନାଇ ବସିଥିବା ବେଳେ ଏଥର କେଉଁମାନେ ପ୍ରତିଯୋଗୀ ହୋଇ ଆସି ମନୋରଞ୍ଜନ କରିବେ, ତା’ ଉପରେ ସମସ୍ତଙ୍କ ନଜର ଥିଲା। ଆଜି ସମସ୍ତଙ୍କ ଅପେକ୍ଷାର ଅନ୍ତ ଘଟିଛି। କାରଣ କଲର୍ସ ପକ୍ଷରୁ ଆଜି ବିଗ୍ ବସ୍-୧୬ ପ୍ରତିଯୋଗୀଙ୍କ ତାଲିକା ପ୍ରକାଶ ପାଇଛି। ହେଲେ ଏଥିରେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ନାଁ ନାହିଁ। କିଛି ଦିନ ତଳେ ଅଭିନେତା ବାବୁସାନ ମହାନ୍ତିଙ୍କୁ ନେଇ ବିବାଦରେ ଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଏକ ବଡ଼ ସୁଯୋଗ ମିଳିବାକୁ ଯାଉଥିବା ଚର୍ଚ୍ଚା ହୋଇଥିଲା। ବିଗ୍ ବସର ସିଜିନ-୧୬ରେ ସେ ପ୍ରତିଯୋଗୀ ଭାବେ ନଜର ଆସିବେ ବୋଲି ଆଲୋଚନା ହେଉଥିବା ବେଳେ ଏବେ ତାହାର ଅନ୍ତ ଘଟିଛି। ବିଗ୍ ବସରେ ସାମିଲ ହେବାକୁ ଥିବା ୧୬ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରକୃତି ନଥିବା ଜଣାପଡ଼ିଛି।
ତେବେ ଯେଉଁମାନେ ବିିଗ୍ ବସ-୧୬ରେ ସାମିଲ ହେବାକୁ ଯାଉଛନ୍ତି ସେମାନେ ହେଲେ, ଟିନା ଦତ୍ତା, ଅବଦୁଲ୍ ରୋଜିକ୍, ନିମ୍ରିତ୍ କୌର ଅହଲୁୱାଲିଆ, ଗୌତମ ବିଗ୍, ଏମସି ଷ୍ଟାନ୍, ଅଙ୍କିତ ଗୁପ୍ତା, ସୁମ୍ବୁଲ ତୌକିର୍, ମାନିଆ ସିଂ, ସୌନ୍ଦର୍ଯ୍ୟା ଶର୍ମା, ଶାଲିନ୍ ଭାନୋଟ, ଶ୍ରୀଜିତା ଦେ, ଶିବ ଠାକରେ, ପ୍ରିୟଙ୍କା ଚହର ଚୌଧୁରୀ, ସାଜିଦ୍ ଖାନ୍, ଗୋରି ନାଗୋରୀ ଏବଂ ଅର୍ଚ୍ଚନା ଗୌତମ।
ତେବେ ଗ୍ଲାମର ଦୁନିଆର ଅନେକ ସେଲିବ୍ରିଟି ସଲମାନ ଖାନଙ୍କ ସୋ’ରେ ଅଂଶଗ୍ରହଣ କରିବେ। ଏହି ସୋ’ ପ୍ରାୟ ୧୦୦ଦିନ ପର୍ଯ୍ୟନ୍ତ ଦର୍ଶକଙ୍କ ପୂରା ମନୋରଞ୍ଜନ କରିବ। ଏପର୍ଯ୍ୟନ୍ତ ନିର୍ମାତାମାନେ କିଛି ପ୍ରତିଯୋଗୀଙ୍କ ପ୍ରୋମୋ ରିଲିଜ୍ କରିଛନ୍ତି, ତେଣୁ ବାକି ନାମଗୁଡିକ ସୋ’ର ପ୍ରସାରଣ ସମୟରେ ପ୍ରକାଶ ପାଇବ।