ମୁମ୍ବାଇ: ‘ବିଗବସ୍-୧୬’ର ବିଜେତା ରାପର୍ ଏମ୍ସି ଷ୍ଟାନ୍ଙ୍କ ଫ୍ୟାନ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଗବସ ବିଜେତା ହେବାପରେ ରାପରଙ୍କ ପାଖକୁ କ୍ରମାଗତ ଭାବେ ସୋ’ର ଅଫର ଆସୁଛି। ତାଙ୍କର ଚାହିଦା ବି ବଢ଼ି ଯାଇଛି।
ସମ୍ପ୍ରତି ଏମସି ଷ୍ଟାନଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଇନ୍ଦୋରରେ ରାପରଙ୍କ ସୋ’କୁ କରଣି ସେନା ବିରୋଧ କରିଥିଲେ।। ଏହି କାରଣରୁ ତାଙ୍କୁ ଅଧାରୁ ସୋ’ ଛାଡ଼ି ଯିବାକୁ ପଡ଼ିଥିଲା।
ଇନ୍ଦୋରର ଲସୁଡିଆ ଥାନା ଅଞ୍ଚଳସ୍ଥ ଏକ ହୋଟେଲରେ ଏମସି ଷ୍ଟାନଙ୍କ ସୋ’ ଥିଲା। ତାଙ୍କୁ ଆଗରୁ ଚେତାବନୀ ଦିଆଯାଇଥିଲା କି ଯଦି ସେ କୌଣସି ପ୍ରକାର ଅଶାଳୀନଶବ୍ଦ ବ୍ୟବହାର କରନ୍ତି ତେବେ କରଣି ସେନା ତାଙ୍କ ବିରୋଧ କରିବ। କିନ୍ତୁ ରାପର କରଣି ସେନାଙ୍କ ଚେତାବନୀକୁ ଶୁଣି ନଥିଲେ। ସେ ବିଳମ୍ବିତ ରାତିରେ ଯେମିତି ମଞ୍ଚ ଉପରେ ଗୀତଗାଇବା ଆରମ୍ଭ କରିଥିଲେ, କରଣି ସେନା ସେଠାରେ ପହଞ୍ଚି ଯାଇଥିଲେ। କରଣି ସେନାଙ୍କୁ ଦେଖି ରାପର ସୋ’ ଅଧାରୁ ମଞ୍ଚ ଛାଡ଼ି ଚାଲି ଯାଇଥିଲେ।
୨୦୨୨ ଅକ୍ଟୋବର ୧ତାରିଖରୁ ଆରମ୍ଭ ହୋଇଥିବା ବିଗ ବସର ଶୋଡ଼ଷ ସଂସ୍କରଣରେ ୧୭ଜଣ ପ୍ରତିଯୋଗୀ ରହିଥିଲେ । ରାପର୍ ଏମ୍ସି ଷ୍ଟାନ୍ ପାଞ୍ଚ ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ବିଗବସ ଶୋଡ଼ଷ ସଂସ୍କରଣର ବିଜେତା ହୋଇଥିଲେ। ବିଗବସ ବିଜେତା ହେବାପରେ ରାପରଙ୍କୁ ପୁରସ୍କାର ବାବଦରେ ୩୧. ୮ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ।