ନୂଆଦିଲ୍ଲୀ: କୁକୁ ଉଇଥ୍ କୋମାଲି ସିଜିନ୍ ୩ର ବିଜେତା ଏବଂ ଅଭିନେତ୍ରୀ ଶ୍ରୁତିକା ଅର୍ଜୁନ୍ ବିଗ୍ ବସ୍ ୧୮ରେ ଖୁବ ଲୋକପ୍ରିୟତା ହାସଲ କରିଥିଲେ।
ନିକଟରେ ଏକ ସାକ୍ଷାତକାରରେ ଶ୍ରୁତିକା ଯୋଗ ଦେଇ କୋଭିଡ୍-୧୯ ଟିକା ନେବା ପରେ ତାଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅଭିଜ୍ଞତା ପ୍ରକାଶ କରିଛନ୍ତି।
ଶ୍ରୁତିକା ନିଜର ଅନୁଭବ ବଖାଣି କହିଛନ୍ତି,‘ କୋଭିଡ୍-୧୯ ଟିକା ନେବା ପରେ, ମୋର ସ୍ବାସ୍ଥାବସ୍ଥା ସମ୍ପୂର୍ଣ୍ଣ ଭାବେ ବିଗିଡ଼ି ଯାଇଥିଲା । ସ୍ୱାମୀ ଅର୍ଜୁନ ମୋ ସ୍ବାସ୍ଥାବସ୍ଥା ଦେଖି ଭୟଭୀତ ହୋଇଯାଇଥିଲେ।
ଯେଉଁଦିନ କୋଭିଡ଼ ଟିକା ନେଇଥିଲି ସେହି ରାତିରେ ମୁଁ ଖୁବ କଷ୍ଟ ଅନୁଭବ କରିଛି। ସମ୍ପୂର୍ଣ୍ଣ ଶରୀର ପିଡାରେ ଫାଟି ପଡ଼ୁଥାଏ। ଅଚେତ ହେବାଭଳି ପରିସ୍ଥିତି ହୋଇ ଯାଇଥିଲା। ଅର୍ଜୁନ ପ୍ରତି ୫ ମିନିଟରେ ମୋ ନାକରେ ହାତ ରଖି ସବୁକିଛି ଠିକ୍ ଅଛି କି ନାହିଁ ଦେଖିବା ପାଇଁ ମୋର ଶ୍ୱାସକ୍ରିୟା ପରଖୁଥିଲେ।
ଟିକା ନେବାର ପରଦିନ ବିଛଣାରୁ ଉଠିଲା ବେଳକୁ ତଳେ ପଡ଼ିଯାଇଥିଲି, ମୋର ରକ୍ତଚାପ ୪୦ରୁ ତଳକୁ ଖସିଯାଇଥିଲା। ମୁଁ କିଛି ବୁଝିପାରିଲି ନାହିଁ । କିନ୍ତୁ ମନେ ଅଛି ଯେ ମୋ ଚାରିପାଖରେ ସମସ୍ତେ କାନ୍ଦୁଥିଲେ ଏବଂ ସେମାନେ ମୋତେ ଉଠାଇବାକୁ ଚେଷ୍ଟା କରୁଥିଲେ। ମୁଁ ମନେମନେ ଓମ୍ ନମଃ ଶିବାୟ ଓମ୍ ନମଃ ଶିବାୟ ଜପ କରି ଚାଲିଥିଲି, ଯାହା ମୁଁ ସବୁବେଳେ କରେ।
ଘଟଣାର ଦୁଇ ଦିନ ପରେ ଅର୍ଥାତ ଟିକା ନେବାର ୪୮ଘଣ୍ଟା ପରେ, ମୋ ଶରୀର ବହୁତ ଦୁର୍ବଳ ହୋଇଯାଇଥିଲା। ମନ ବିଚଳିତ ହୋଇପଡ଼ୁଥିଲା। ସେ ସମୟରେ ହୃଦଘାତର ସମ୍ପୂର୍ଣ୍ଣ ଲକ୍ଷଣ ମୋ ଶରୀରରେ ଦେଖା ଦେଇଥିଲା। ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି। କିନ୍ତୁ ସେ ସମୟରେ ମୁଁ ଯେଉଁ କଷ୍ଟ ପାଇଛି ଆଜି ବି ମନେ ପଡ଼ିଗଲେ ଖୁବ ଭୟ ଲାଗିଥାଏ।’