ମୁମ୍ବାଇ : ଭାରତର ସବୁଠାରୁ ଚର୍ଚ୍ଚିତ ରିୟାଲିଟି ସୋ’ ହେଉଛି ବିଗ୍ ବସ୍ । ପ୍ରତି ବର୍ଷ ଏହା ସେପ୍ଟେମ୍ବର ମାସରେ ଆରମ୍ଭ ହେଉଥିବା ବେଳେ ସେଲିବ୍ରିଟିମାନଙ୍କର ଅସଲ ଅବତାର ଏବଂ ଝଗଡ଼ା ଦେଖିବା ପାଇଁ ଦର୍ଶକ ପ୍ରସାରଣକୁ ଅନାଇ ବସିଥାନ୍ତି । ତେବେ ବିଗ୍ ବସ୍ ସହ ଜଡ଼ିତ ଏମିତି ଅନେକ କଥା ରହିଛି ଯାହା ବେଳେ ବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ବିଶେଷ କରି ବିଗ୍ ବସ୍ ପ୍ରତିଯୋଗୀମାନେ ରିୟାଲିଟି ସୋ’ରୁ ଆସିବା ପରେ କରୁଥିବା ଖୁଲାସା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଆଗରୁ ଅନେକ ବିଗ୍ ବସ୍ ପ୍ରତିଯୋଗୀ ନିଜର ଚାଞ୍ଚଲ୍ୟକର ବୟାନ ପାଇଁ ଚର୍ଚ୍ଚାରେ ରହି ଆସିଥିବା ବେଳେ ଏବେ ପୁଣି ଜଣେ ପ୍ରତିଯୋଗୀ ନିଜ ସହ ଘଟିଥିବା ଘଟଣା ବିଷୟରେ କହି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ତେଲୁଗୁରେ ବିଗ୍ ବସ୍ର ଏବେ ଦ୍ୱିତୀୟ ସିଜିନ୍ ଆରମ୍ଭ ହୋଇଥିବା ବେଳେ ଏଥିରେ ପ୍ରତିଯୋଗୀ ଥିବା ମଡ଼େଲ ଏବଂ ଅଭିନେତ୍ରୀ ସଞ୍ଜନା ଆନି କାଷ୍ଟିଙ୍ଗ କାଉଚ୍କୁ ନେଇ କିଛି ଖୁଲାସା କରିଛନ୍ତି । କାମ ଦେବା ପାଇଁ କେମିତି ଜଣେ ନିର୍ଦ୍ଦେଶକ ତାଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ କହିଥିଲେ ସେ ନେଇ ସେ ସର୍ବ ସମ୍ମୁଖରେ ଖୁଲାସା କରିଛନ୍ତି ।
/sambad/media/post_attachments/wp-content/uploads/2018/06/Sanjana-Anne-Casting-Couch--300x200.jpg)
ସେ କହନ୍ତି, ‘ଯେତେବେଳେ ମୁଁ ମଡ଼େଲ ହିସାବରେ ନିଜର କ୍ୟାରିୟର ଆରମ୍ଭ କରିବା ସହ ଜଣେ ଭଲ ଅଭିନେତ୍ରୀ ହେବା ପାଇଁ ଚେଷ୍ଟା ଚଳାଇଥିଲି, ସେ ସମୟରେ ଜଣେ ନିର୍ଦ୍ଦେଶକ ମୋତେ ଫୋନ କରି ମୋ ସହ ଦେଖା ହେବା ପାଇଁ ଚାହୁଁଛନ୍ତି ବୋଲି କହିଥିଲେ । କୌଣସି ଫିଲ୍ମରେ କାମ ଦେବା ପାଇଁ ମୋତେ ଡ଼ାକୁଥିବା ଭାବି ମୁଁ ଖୁସି ହୋଇଯାଇ ଥିଲି । ତା’ପରେ ସେ କହିଥିଲେ, ତୁମେ ତ ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ ଜାଣିଥିବ । ମୁଁ ହଠାତ୍ କିଛି ବୁଝି ପାରି ନ ଥିବା ବେଳେ ମୋ ସାଙ୍ଗ ଜଣେ ଏହାର ମାନେ ସେ ତୁମ ସହ ଶାରୀରିକ ସଂପର୍କ ରଖିବାକୁ ଚାହୁୁଁଛନ୍ତି ବୋଲି ବୁଝାଇଥିଲେ। ଏହା ଜାଣି ମୁଁ ସେ ନିର୍ଦ୍ଦେଶକଙ୍କ ପାଖକୁ ଯାଇ ନ ଥିଲି।’