ରିୟାଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିବ ବିହାର ପୁଲିସ୍
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିହାର ପୁଲିସ ତଦନ୍ତ ଜୋର୍ଦାର୍ କରିଛି। ବିହାର ପୁଲିସ ଏବେ ରିୟାଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରୁଛି। ଏସବୁ ମଧ୍ୟରେ ଏବେ ରିୟା ଫେରାର୍ ହୋଇଯାଇଛନ୍ତି। ପୁଲିସ ତାଙ୍କର ମୋବାଇଲକୁ କଲ୍ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ। ମିଳିଥିବା ଖବର ଅନୁସାରେ, ବିହାର ପୁଲିସ ରିୟାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରିବା ଉପରେ ବିଚାର କରୁଛି। ସୁଶାନ୍ତଙ୍କ ମାମଲାର ତଦନ୍ତ କରିବା ପାଇଁ ଯାଇଥିବା ବିହାର ପୁଲିସ ଟିମ୍ ମୁମ୍ବାଇ ପୁଲିସଠାରୁ ସହଯୋଗ ପାଉନଥିବା ସମସ୍ୟା ଉପରେ ବିଚାର ତଥା ଆଗକୁ ରଣନୀତି ପ୍ରସ୍ତୁତ କରିବା ପାଇଁ ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ ଏକ ବୈଠକ କରିଥିଲେ। ବୈଠକ ପରେ ବିହାର ଡିଜିପି ମହାରାଷ୍ଟ୍ର ଡିଜିପିଙ୍କ ସହ କଥା ହୋଇ ଏହି ମାମଲାରେ ସହଯୋଗ ମାଗିଛନ୍ତି। ରିୟା ସାମନାକୁ ଆସୁ ନଥିବାରୁ ତାଙ୍କ ବିରୋଧରେ ଏବେ ଲୁକ୍ଆଉଟ୍ ନୋଟିସ୍ ଜାରି କରାଯାଇପାରେ। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ବିହାର ପୁଲିସକୁ ବହୁ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି। ପୁଲିସ୍ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ରିୟାଙ୍କ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପୁଲିସ୍ ଏବେ ସମସ୍ତ ଅଭିଯୋଗ ସମ୍ପର୍କରେ ବଳିଷ୍ଠ ପ୍ରମାଣ ଏକାଠି କରୁଛି। ଏହା ପରେ ବିହାର ପୁଲିସ୍ ରିୟାଙ୍କୁ ଗିରଫ କରିବା ପାଇଁ ଓ୍ବାରେଣ୍ଟ ଜାରି କରିବାକୁ କୋର୍ଟରେ ମାମଲା ରୁଜୁ କରିବ। ଏବେ ପୁଲିସ୍ ରିୟାଙ୍କୁ ପଚରାଉଚରା କରିବା ପାଇଁ ତାଙ୍କର ସନ୍ଧାନରେ ରହିଛି। କିନ୍ତୁ ରିୟା ନିଜ ପରିବାର ସହ ଘର ମଧ୍ୟ ବଦଳାଇ ଦେଇଛନ୍ତି।