ପ୍ରଥମେ ମନା କରିଥିବା ଭୂମିକା ଅବଶେଷରେ ନିଭାଇଥିଲେ ବିଜୟ ମହାନ୍ତି

ଭୁବନେଶ୍ୱର : ଅନୁଭବଙ୍କ ପ୍ରଥମ ସିନେମା ‘ଆଇ ଲଭ୍‌ ୟୁ’ ବ୍ଲକବଷ୍ଟର ହେବା ପରେ ସେହି ପ୍ରଯୋଜନା ସଂସ୍ଥା ବ୍ରଜରାଜ ମୁଭିଜ୍‌ ପୁଣି ଅନୁଭବଙ୍କୁ ରିପିଟ୍‌ କରିଥିଲା ପରବର୍ତ୍ତୀ ସିନେମା ‘ବର୍ଷା ମାଇଁ ଡାର୍ଲିଂ’ରେ। ଏଥିରେ ଅନୁଭବଙ୍କ ବିପକ୍ଷରେ ନିଆଯାଇଥିଲା ନବାଗତ ବେଙ୍ଗଲି ବିଉଟି ଅଙ୍କିତାଙ୍କୁ। ଏହାର ନିର୍ଦ୍ଦେଶନା ଦାୟିତ୍ୱ ମିଳିଥିଲା ସିନେମାଟୋଗ୍ରାଫର୍‌ ଟର୍ଣ୍ଣଡ୍‌ ଡିରେକ୍ଟର ପ୍ରଭାକରଙ୍କୁ।

‘ବର୍ଷା ମାଇଁ ଡାର୍ଲିଂ’ର ସଂଳାପ ଲେଖିଥିଲେ ରଣଜିତ ପଟ୍ଟନାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ସ୍ୱରୂପ ନାୟକ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସିନେମାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବା ଲାଗି ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କୁ ଅଫର୍‌ ଦିଆଯାଇଥିଲା, ମାତ୍ର ସେ ମନା କରିଦେଇଥିଲେ। ଏହା ଅବଶ୍ୟ ଭିନ୍ନ କଥା ଯେ ବିଜୟ ମହାନ୍ତି ବ୍ରଜରାଜ ମୁଭିଜ୍‌ର ବିଖ୍ୟାତ ପ୍ରଯୋଜକ ବସନ୍ତ ନାୟକଙ୍କ ଫିଲ୍ମ ‘ନାଗଫାସ’ରେ ଅଭିନୟ କରିବା ପରେ ଷ୍ଟାରଡମ୍‌ ହାସଲ କରିଥିଲେ।

ବିଜୟ ମନା କରିବା ପରେ ବ୍ରଜରାଜ ମୁଭିଜ୍‌ ତାଙ୍କ ପାଇଁ ଉଦ୍ଦିଷ୍ଟ ଭୂମିକାଟି ରାଇମୋହନଙ୍କୁ ଅଫର୍‌ କରିଥିଲେ। ସେ ବି ରାଜି ହୋଇ ନ ଥିଲେ। ତା’ପରେ ସେହି ଅଫରଟି ଯାଇଥିଲା କୁନା ତ୍ରପାଠୀଙ୍କ ପାଖକୁ। ସେ ରାଜି ହେଲେ ଓ ସୁଟିଂ ପାଇଁ ସେଟରେ ବି ପହଞ୍ଚଥିଲେ, କିନ୍ତୁ ହଠାତ୍‌ ସେ ବି ଏହି ଫିଲ୍ମରୁ ଓହରି ଯାଇଥିଲେ। ପୁଣି ସେହି ଭୂମିକାଟି ଫେରିଥିଲା ବିଜୟ ମହାନ୍ତିଙ୍କ ପାଖକୁ। ଏଥର ବିଜୟ ମହାନ୍ତି ରାଜି ହୋଇଥିଲେ ଓ ‘ବର୍ଷା ମାଇଁ ଡାର୍ଲିଂ’ରେ ବେଶ୍‌ ପ୍ରଭାବଶାଳୀ ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର