ଅର୍ଚ୍ଚିତାଙ୍କ ବିପକ୍ଷରେ ନାୟକ ବନି ଓଲିଉଡରେ ପ୍ରବେଶ କରିଥିବା ଏହି ଲୋକପ୍ରିୟ ଅଭିନେତାଙ୍କ ଜନ୍ମଦିନ ଆଜି , ଜାଣନ୍ତୁ କେଉଁସବୁ ସିନେମାରେ ସେ ଆସୁଛନ୍ତି

ଭୁବନେଶ୍ୱର: ଆଜି ହେଉଛି ଓଲିଉଡର ଲୋକପ୍ରିୟ ଅଭିନେତା ଚନ୍ଦନଙ୍କ ଜନ୍ମଦିନ। ସେ ୧୯୮୧ ମସିହା ସେପ୍ଟେମ୍ବର ୧୬ ତାରିଖରେ କଟକରେ ଜନ୍ମ ହୋଇଥିଲେ। ସୁପରହିଟ୍‌ ସିନେମା ‘ବାବୁ ଆଇ ଲଭ ୟୁ’ ସିନେମା ଜରିଆରେ ହିରୋଭାବେ ଓଲିଉଡରେ ପ୍ରବେଶ କରିଥିଲେ ଚନ୍ଦନ। ଏଥିରେ ସେ ଓଲିଉଡର ଲୋକପ୍ରିୟ ନାୟିକା ଅର୍ଚ୍ଚିତାଙ୍କ ବିପକ୍ଷରେ ନାୟକ ବନିଥିଲେ।  ଏହାପରେ ସେ ଉଭୟ ପଜିଟିଭ୍‌ ଏବଂ ନେଗେଟିଭ୍‌ ରୋଲ କରି ଚର୍ଚ୍ଚିତ ହୋଇଛନ୍ତି।


ହେଲେ ଏବେ ସେ ଆଉ ଏକ ଓଡ଼ିଆ ସିନେମାରେ ଫେରୁଛନ୍ତି। ଏଠାରେ ଯେଉଁ ନୂଆ ସିନେମାର କଥା କୁହାଯାଉଛି,ତା’ର ଟାଇଟଲ୍‌ ହେଲା‘ତୋ’ ପାଇଁ ଫେରିବି ବସୁଧା ଚିରି’।ଏହି ଫିଲ୍ମରେ ନମ୍ରତାଙ୍କ ନାୟକ ଭୂମିକା ନିଭାଉଛନ୍ତି ଚନ୍ଦନ। ପ୍ରଥମ ଥର ଲାଗି ପରଦାରେ ଚନ୍ଦନ-ନମ୍ରତାଙ୍କ ଯୋଡ଼ିକୁ ଦେଖିବେ ଦର୍ଶକ। ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରେମାଂଜନ ପରିଡ଼ା,ବିଜୁ ବଡଜେନା,ଶ୍ରୀତମ୍‌ ଦାସ ଏବଂ ଦୁଷ୍ମନ୍ତ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଏହାର ପ୍ରଯୋଜନା କରିଛନ୍ତି ଶରତପ୍ରିୟ ପାଟଯୋଶୀ ଓ ଶ୍ୟାମ ସୁନ୍ଦର ଅଗ୍ରଓ୍ଵାଲା। ସଂଜୟ ନାୟକ ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି। ମଳୟ ମିଶ୍ର ଏହାର ସଙ୍ଗୀତ ନିର୍ଦ୍ଦେଶକ।


‘ତୋ’ ପାଇଁ ଫେରିବି ବସୁଧା ଚିରି’ ବ୍ୟତୀତ ଚନ୍ଦନଙ୍କ ମୁକ୍ତି ପ୍ରତୀକ୍ଷାରେ ଥିବା ଅନ୍ୟ ସିନେମାଗୁଡ଼ିକ ହେଲା ‘ତୁ ଅଛି ତ ମୁଁ ଅଛି’ ଏବଂ ‘ଲୁଚେଇ ଦେ ମତେ ଛାତି ଭିତରେ ’।

ସମ୍ବନ୍ଧିତ ଖବର