ନୂଆଦିଲ୍ଲୀ: ବଲିଉଡ଼ ଇଣ୍ଡଷ୍ଟ୍ରିରେ କାମ କରିବା ଓ ତିଷ୍ଠି କି ରହିବା ସହଜ ହୋଇ ନଥାଏ। ଏଥିପାଇଁ କଳାକାରମାନଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥାଏ। ଅନେକ କଳାକାରଙ୍କ ସଂଘର୍ଷ କାହାଣୀ ଶୁଣିଥିବା ବେଳେ ଏହି ତାଲିକାରେ ମନୋଜ ବାଜପେୟୀଙ୍କ ନାମ ବି ରହିଛି। ମନୋଜ ଏପ୍ରିଲ ୨୩ ତାରିଖରେ ତାଙ୍କର ୫୪ତମ ଜନ୍ମଦିନ ପାଳନ କରୁଛନ୍ତି ।
ବିହାରର ଏକ ଛୋଟ ଗାଁ ବେଲୱାରେ ୧୯୬୯ ମସିହା ଏପ୍ରିଲ ୨୩ ତାରିଖରେ ଏକ କୃଷକ ପରିବାରରେ ମନୋଜ ବାଜପେୟୀଙ୍କ ଜନ୍ମ। ଅଭିନେତା ତାଙ୍କ ସଂଘର୍ଷର କାହାଣୀକୁ ମନେ ପକାଇ କହିଛନ୍ତି, 'ମୁଁ ଜଣେ ଚାଷୀଙ୍କ ପୁଅ। ପିଲାଦିନରୁ ସିନେମା ପ୍ରତି ମୋର ଦୁର୍ବଳତା ରହିଥିଲା । ଏହି କାରଣରୁ ମୁଁ ୧୭ ବର୍ଷ ବୟସରେ ଦିଲ୍ଲୀ ଆସିବା ପରେ ଥିଏଟରରେ ଅଭିନୟ ଆରମ୍ଭ କରିଥିଲି।
ଆପଣମାନେ ବି ଭଲ ଭାବେ ଜାଣିଥିବେ ସିନେମା ଜଗତରେ କାମ ପାଇବା ଓ ତିଷ୍ଠି କି ରହିବା ସହଜ କଥା ନୁହେଁ। ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (ଏନଏସଡି)ରେ ଆବେଦନ କରିବା ପରେ ମୁଁ ତିନି ତିନି ଥର ବିଫଳ ହୋଇଥିଲି । ଏହି ସମୟରେ ମୋର ମାନସିକ ଅବସ୍ଥା ଭଲ ନଥିଲା । ମୁଁ ତିନିଥର ଆତ୍ମହତ୍ୟା ଉଦ୍ୟମ କରିଥିଲି । ସାଙ୍ଗମାନଙ୍କ ପାଇଁ ମୁଁ ଆଜି ଜୀବିତ ଅଛି।
ଏମିତି କି ପ୍ରଥମ ସଟରେ ମୋତେ ସେଟରୁ ଗେଟ୍ ଆଉଟ୍ କୁହାଯାଇଥିଲା । ଏହାପରେ ମୁଁ ମୁମ୍ବାଇ ଆସିଥିଲି। ପ୍ରାୟ ୪ ବର୍ଷ ଧରି ସଂଘର୍ଷ କରିବା ପରେ ମହେଶ ଭଟ୍ଟଙ୍କ ଟିଭି ଧାରାବାହିକରେ କାମ ମିଳିଥିଲା। ସେହି ସମୟରେ ଗୋଟିଏ ଅଧ୍ୟାୟ ଲାଗି ମୋତେ ୧୫୦୦ ଟଙ୍କା ମିଳୁଥିଲା । ଏହାପରେ ବଲିଉଡ ଚଳଚ୍ଚିତ୍ର ‘ସତ୍ୟ’ରେ କାମ ପାଇଥିଲି । ଏହି ସିନେମା ପରଠାରୁ ମୁଁ ମୋ ଜୀବନରେ ଆଗକୁ ବଢ଼ି ଚାଲିଛି।’
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମନୋଜଙ୍କ ମୋଟ ସଂପତ୍ତି ମୂଲ୍ୟ ୧୧୮ କୋଟି ଟଙ୍କା ରହିଛି।